ଲଖିମପୁର ଖେରି: ଲଖିମପୁର ଖେରି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ସିଜେଏମ୍ କୋର୍ଟରେ ଆଶିଷ ଜାମିନ ପାଇଁ ଆବେଦନ କରିଥିଲେ। ଆଜି କୋର୍ଟ ଉଭୟ ଆଶିଷ ଏବଂ ତାଙ୍କ ସହଯୋଗୀ ଆଶିଷ ପାଣ୍ଡେଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷେ ଆଶିଷ ମିଶ୍ରଙ୍କ ସାଙ୍ଗ ଅଙ୍କିତ ଦାଶ ଆଜି ଏସ୍ଆଇଟିରେ ହାଜର ହୋଇଥିଲେ । ହିଂସା ଘଟଣାରେ ଜେରା ପାଇଁ ତାଙ୍କୁ ସମନ୍ କରାଯାଇଥିବା ବେଳେ ଜେରା ପରେ ତାଙ୍କୁ ପୁଲିସ ଗିରଫ କରିଛି। ଅଙ୍କିତ ସମେତ ଆଉ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଚି। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୯ରେ ଗିରଫ ହୋଇଥିବା ଆଶିଷ ମିଶ୍ରଙ୍କୁ ପୁଲିସ ୩ ଦିନ ରିମାଣ୍ଡ୍ରେ ନେଇଛି। ଅନ୍ୟ ଜଣେ ଅଭିଯୁକ୍ତ ଶେଖର ଭାରତୀକୁ ଗତକାଲିଠାରୁ ୩ଦିନିଆ ପୁଲିସ ରିମାଣ୍ଡରେ ପଠାଯାଇଛି। ଅଙ୍କିତ ଦାଶ ହେଉଛି ପୂର୍ବତନ ମନ୍ତ୍ରୀ ଅଖିଳେଶ ଦାଶଙ୍କ ପୁତୁରା । ଘଟଣା ଦିନ କୃଷକଙ୍କ ଉପରେ ଯେଉଁ ଗାଡ଼ିଟି ମାଡ଼ିଯାଇଥିଲା ସେହି ଗାଡ଼ିର ମାଲିକ ଅଙ୍କିତ ଦାସ ବୋଲି ଜଣାପଡ଼ିଛି। ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପିଟିପିଟି ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ପ୍ରୟାସ ଚାଲିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp