ବ୍ୟାସନଗର/ଦାନଗଦୀ: ଏଟିଏମ୍‌ ଲୁଟ୍‌ କରିବାକୁ ଆସିଥିବା ଲୁଟେରାମାନେ ଚୋରି ଗାଡ଼ି ଛାଡ଼ି ଚମ୍ପଟ ମାରିଛନ୍ତି। ଯାଜପୁରରୋଡ୍‌ ଥାନା ଚୋରଦା ଛକ ମାଛ ମାର୍କେଟ ନିକଟରୁ ବୋଲେରୋ କ୍ୟାମ୍ପର (ଓଆର ୦୪ ଇ ୫୯୯୭) ଟି ଚୋରି ହୋଇଥିଲା। ଏହି ଗାଡ଼ିରେ ଲୁଟେରାମାନେ ଗତ ଶନିବାର ବିଳମ୍ବିତ ରାତିରେ ଆସି ଦାନଗଦୀ ବଜାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ଆଇସିଆଇସିଆଇ ବ୍ୟାଙ୍କ୍‌ ଏଟିଏମକୁ ଭାଙ୍ଗିଥିଲେ। ଏହି ସମୟରେ ପୁଲିସ ପାଟ୍ରୋଲିଂ ଗାଡ଼ିକୁ ଦେଖି ଲୁଟେରାମାନେ କ୍ୟାମ୍ପରକୁ ଏଟିଏମ ସମ୍ମୁଖରେ ଛାଡ଼ି ଫେରାର୍‌ ହୋଇଯାଇଥିଲେ।

Advertisment

ଦୁର୍ବୃତ୍ତମାନେ ପ୍ରଥମେ ଏଟିଏମ ଭିତରେ ଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିଲେ। ପରେ ସଟର ଟାଣି ଭିତରେ ଏଟିଏମକୁ କାଟିଥିଲେ। ପୁଲିସ ଏଟିଏମ ଭିତରେ ଯାଞ୍ଚ କରିବାରୁ ଏ ସମ୍ପର୍କରେ ଜଣାପଡ଼ିଥିଲା। ଏଟିଏମ ସଂଯୋଜକ ସୁଜିତ ମହାପାତ୍ରଙ୍କ ଅଭିଯୋଗ ଅନୁସାରେ ନଂ.୩/୨୨ ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଗାଡ଼ିଟି ଗତ ୩୦ ତାରିଖ ରାତିରେ ଚୋରି ହୋଇଥିଲା। ଟଙ୍କା ଲୁଟ୍‌ ଉଦ୍ୟମ ହେଉଥିବା ଖବର ପାଇ ଯାଜପୁରରୋଡ୍‌ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି କ୍ୟାମ୍ପରଟିକୁ ଜବତ କରିଥିଲେ।