ଘାସ ପରିବାରର ସଦସ୍ୟ ଆଖୁରସ ଖାଲି ମିଠା ରସ ନୁହେଁ; ଏଥିରେ ରହିଛି ଶ୍ୱେତସାର, ପୁଷ୍ଟିସାର, କାଲ୍ସିୟମ୍, ଫସ୍ଫରସ୍, ଆଇରନ୍, ଜିଙ୍କ୍ ଏବଂ ପଟାସିୟମ ଭଳି ଖନିଜ ଲବଣ, ଭିଟାମିନ୍ ଏ, ବି-କମ୍ପ୍ଲେକ୍ସ୍ ଓ ସି।
ପାପୁଆ ନିଉ ଗିନିରେ ଆଖୁର ଉତ୍ପତ୍ତି ହୋଇଥିଲେ ମଧ୍ୟ ଭାରତରେ ଏହା ବହୁ ପ୍ରାଚୀନ କାଳରୁ ଜନପ୍ରିୟ। ଏବେ ସମଗ୍ର ବିଶ୍ୱରେ ପ୍ରାୟ ୩୬ ପ୍ରଜାତିର ଆଖୁ ମିଳୁଛି ଏବଂ ସବୁଆଡ଼େ ଏହାର ରସ ମଧୁର ତୃଷା ନିବାରକ ଭାବେ ବିଦିତ। ଆଖୁରସରେ ସୁକ୍ରୋଜ୍, ଫ୍ରୁକ୍ଟୋଜ୍ ଏବଂ ଅନ୍ୟ କେତେ ଜାତିର ଗ୍ଲୁକୋଜ୍ ଥିବାରୁ ଏହାର ମିଠା ଲାଗେ।
ତୁରନ୍ତ ଶକ୍ତି: ଆଖୁରସରେ ସରଳ ଶର୍କରା (ସୁକ୍ରୋଜ୍) ଥିବାରୁ ଏହାକୁ ପିଇଲା କ୍ଷଣି ଶରୀରରେ ବିଶୋଷିତ ହୋଇଯାଏ। ଶରୀରରେ ହଠାତ୍ ଶର୍କରାସ୍ତର ବୃଦ୍ଧି ପାଇବା ଯୋଗୁଁ ଏହା କ୍ଳାନ୍ତି ବୋଧ କରୁଥିବା ବ୍ୟକ୍ତିଙ୍କ ମନ ମିଜାଜ୍କୁ ତାଜା କରିପକାଏ।
ଦନ୍ତକ୍ଷୟ ଓ ମୁଖ ଦୁର୍ଗନ୍ଧ ନାଶକ: ଆଖୁରସରେ ବହୁ ଖନିଜ ଲବଣ ଥିବା କାରଣରୁ ଏହା ଦାନ୍ତର ଏନାମେଲ୍ ତିଆରି କରାଏ। ଏହା ପୋଷକତତ୍ତ୍ୱ ବହୁଳ ହୋଇଥିବାରୁ ଦନ୍ତକ୍ଷୟ ବନ୍ଦ କରିବା ସହ ଦାନ୍ତ ଟାଣୁଆ କରେ। ଶରୀରରେ ପୋଷକତତ୍ତ୍ୱ ଅଭାବ ଦେଖା ଦେଲେ ପାଟି ଗନ୍ଧାଏ। ତେଣୁ ଆଖୁରସ ପିଇଲେ ଆଉ ଦୁର୍ଗନ୍ଧ ହୁଏ ନାହିଁ।
ଲିଭର୍କୁ କାର୍ଯ୍ୟକ୍ଷମ କରାଏ: ଜଣ୍ଡିସ୍ ଭଳି ଲିଭର୍ ସମ୍ବନ୍ଧୀୟ ରୋଗ ଉପସମ କରାଇବାରେ ଆଖୁରସ ଠାରୁ ଆଉ କିଛି ସୁସ୍ୱାଦୁ ଜିନିଷ ବୋଧହୁଏ ନାହିଁ। ଏଥିପାଇଁ ଗିଲାସେ ଆଖୁରସରେ ଚିରୁଡ଼ାଏ କାଗେଜି ଚିପୁଡ଼ି ଦିନକୁ ଦୁଇ ଗିଲାସ ପିଆଯାଏ। ପ୍ରାକୃତିକ କ୍ଷାରରେ ଭରା ଆଖୁରସ ଦେହରେ ଇଲେକ୍ଟ୍ରୋଲାଇଟ୍ର ସନ୍ତୁଳନ ରକ୍ଷା କରି ଲିଭର୍ ବା ଯକୃତ୍କୁ ବିପଦମୁକ୍ତ କରେ।
ତଣ୍ଟି ଦରଜ ଭଲ କରେ: ବିପୁଳ ପରିମାଣର ଭିଟାମିନ୍ ସି ଥିବାରୁ ଗିଲାସେ ଆଖୁ ରସରେ ଚିରୁଡ଼ାଏ କାଗେଜି ଚିପୁଡ଼ି, ଟିକିଏ କଳାଲୁଣ ପକାଇ ପିଇଲେ ତଣ୍ଟି ଦରଜ ସମସ୍ୟାରୁ ଉପସମ ମିଳେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ତଣ୍ଟି ସଂକ୍ରମଣ କରୁଥିବା ଭୂତାଣୁଙ୍କୁ ଦୂରେଇ ଦିଏ।
କ୍ଷତ ନାଶକ: ଆଖୁରସରେ ସୁକ୍ରୋଜ୍ ଥିବାରୁ ଏହାକୁ ପିଇବା ଦ୍ୱାରା ଦେହରେ ହୋଇଥିବା କ୍ଷତ ମଧ୍ୟ ଖୁବ୍ ଶୀଘ୍ର ଭଲ ହୋଇଥାଏ। କ୍ଷତରେ ଟିକିଏ ଆଖୁରସ ଲଗାଇଲେ ମଧ୍ୟ ଉପସମ ମିଳେ।
ପରିସ୍ରା ଜ୍ୱାଳା ଉପସମକାରୀ: ଆଖୁରସ କିଡ୍ନିକୁ ନିରାପଦ ରଖିବା ସହ ପରିସ୍ରା ନଳୀ ସଂକ୍ରମଣ ସମ୍ବନ୍ଧୀୟ ସମସ୍ୟା ଦୂର କରେ। ଏମିତି ବେମାରି ଭୋଗୁଥିବା ବ୍ୟକ୍ତି ଆଖୁସରରେ କାଗେଜିପାଣି ଓ ପଇଡ଼ପାଣି ମିଶାଇ ଦୈନିକ ଦୁଇ ଥର ପିଇବା ଉଚିତ। ଆଖୁରସ ଦେହରେ ପୁଷ୍ଟିସାର ସ୍ତର ବଢ଼ାଇ ଦେଉଥିବାରୁ ଏହା ପରିସ୍ରାନଳୀ ସଂକ୍ରମଣ, ଯୌନସଂସର୍ଗ ଜନିତ ରୋଗ, ପ୍ରୋଷ୍ଟେଟାଇଟିସ୍, ବୃକ୍କ ପଥୁରୀ ଆଦି ରୋଗ ଉପସମ କରେ। ପରିସ୍ରା ପୋଡ଼ା ମଧ୍ୟ କମାଇ ଦିଏ।
ନଖ ମଜଭୁତ କରେ: ପୋଷକତତ୍ତ୍ୱରେ ଭରପୂର ଆଖୁରସ ପିଇବା ଦ୍ୱାରା ନିର୍ଜୀବା ଓ ଭାଙ୍ଗିପଡୁଥିବା ନଖରେ ଚମକ ଆସେ। ଏହା ନଖକୁ ମସୃଣ କରିବା ସହ ଟାଣୁଆ କରେ।
ଜର କମାଏ: ଆଖୁରସ ଜର କମାଏ ବୋଲି କ୍ୱଚିତ୍ ଲୋକ ଜାଣନ୍ତି। ଜରରେ ପଡ଼ିଥିବା ବ୍ୟକ୍ତି ଆଖୁରସ ପିଇଲେ ଦେହରୁ ପୁଷ୍ଟିସାର କ୍ଷୟ ହୋଇ ପାର ନ ଥିବା କାରଣରୁ ଦୁର୍ବଳିଆ ଲାଗେ ନାହିଁ କି, ଯନ୍ତ୍ରଣା ହୁଏନାହିଁ। ତେଣୁ କ୍ରମେ ଜର କମି ଯାଇଥାଏ।
ଅମ୍ଳ ହାରକ: ଆଖୁରସ କ୍ଷାର ପ୍ରଜାତିର ହୋଇଥିବାରୁ ଏହା ପାକସ୍ଥଳୀ ଓ ଅନ୍ତନଳୀରେ ଅମ୍ଳ ଓ ଜ୍ୱାଳା କମାଇ ଦିଏ। ଏହା ସହ ଦେହରେ ଅମ୍ଳ ଭାଗ ସମତୁଲ କରି ରଖେ।
କିନ୍ତୁ ସବୁ ମୂଳରେ କଥା ରହିଲା, ରାସ୍ତାକଡ଼ରୁ ଆଖୁରସ କିଣି ପିଇବା ଅପେକ୍ଷା ନିଜେ ଘରେ ଆଖୁରସ ପ୍ରସ୍ତୁତି କରି ପିିଇବା ଉଚିତ। ତିଆରି ବିଶେଷ କଷ୍ଟସାଧ୍ୟ ନୁହେଁ। ଆଖୁରୁ ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରିବା ପରେ ବ୍ଲେଣ୍ଡ୍ର୍ ଦ୍ୱାରା ରସ ବାହାର କରି ହେବ।