ଧରାପଡ଼ିଲେ ୪ ବଙ୍ଗୀୟ ଲୁଟେରା, ୧୨ଦିନରେ ୬ଦୋକାନରେ ବୁଲାଇଥିଲେ କଳାକନା

 ବ୍ରହ୍ମପୁର, ଭୁ‌ବନେଶ୍ବର ପରେ ଟାର୍ଗେଟ୍‌ ଥିଲା କଟକ

ଭୁବନେଶ୍ବର : ବଡ଼ ଚତୁରତାର ସହ ରାଜଧାନୀରେ ‌ଦୋକାନୀମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ୍‌ କରୁଥିବା ଏକ ବଙ୍ଗୀୟ ଲୁଟେରା ଗ୍ୟାଙ୍ଗ୍‌ ଶେଷରେ ପୁଲିସ ପଞ୍ଝାରେ ପଡ଼ିଛି। ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାଡ୍ ଓ ନୂଆପଲ୍ଲୀ ଥାନା ପୁଲିସ ହାତରେ କଟକରୁ ଧରାପଡ଼ିଥିବା ଏହି ଧୂର୍ତ୍ତମାନେ ହେଲେ, ପଶ୍ଚିମବଙ୍ଗ ନଦିଆର ରାଜୁ ସିଂହ ଓରଫ ରାଜୁ(୪୩), ଉତ୍ତର ଚବିଶପ୍ରଗଣାର ଶଙ୍କର ଦେ(୩୧), ସୁର୍ଜନ ବିଶ୍ବାସ ଓରଫ ସୋନୁ(୩୫) ଓ ଦୀପକ ବିଶ୍ବାସ ଓରଫ ସମା(୫୦)। ରାଜୁ ଏହି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ନଗଦ ୩୯ ହଜାର ଟଙ୍କା, ୪ଟି ମୋବାଇଲ୍ ଫୋନ୍, ୨ଟି ଭୋଟର୍‌ କାର୍ଡ ଓ ଆଧାର କାର୍ଡ ଜବତ କରାଯାଇଛି। ତେବେ ଏହି ଗ୍ୟାଙ୍ଗ୍‌ର କିଛି ସଦସ୍ୟ ଖସି ଯାଇଥିବା ପୁଲିସ ଅନୁମାନ କରୁଛି। ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି। ଆସନ୍ତାକାଲି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

କେମିତି ଲୁଟୁଥିଲେ
ଏହି ଗ୍ୟାଙ୍ଗ୍‌ ଗତ ୨୦ ତାରିଖରେ ରବି ଟକିଜ୍ ଛକସ୍ଥିତ କୌଶଲ୍ୟା ମେଡିସିନ୍ ଷ୍ଟୋର୍‌ରୁ ୩୬ହଜାର ଟଙ୍କା, ପର ଦିନ ଅର୍ଥାତ୍ ୨୧ତାରିଖରେ ଆଇଆର୍‌ସି ଭିଲେଜ୍‌ ସ୍ଥିତ ବୃନ୍ଦାବନ ମେଡ୍‌ଲାଇଫ୍‌ ମେଡିସିନ୍ ଷ୍ଟୋର୍‌ରୁ ୪୮ହଜାରଟଙ୍କା, ୨୨ତାରିଖରେ ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏକ ମେଡିସିନ୍ ଷ୍ଟୋର୍‌ରୁ ୨୦ ହଜାର ଟଙ୍କା‌ ଓ ଶେଷରେ ଖାରବେଳନଗର ଥାନା ଜୟକିଷାନ ମାର୍କେଟ୍‌ସ୍ଥିତ ଗ୍ରୋସରି ଷ୍ଟୋର୍‌ରୁ ୬ ହଜାର ଟଙ୍କା ଲୁଟି ନେଇଥିଲେ। ସେମାନଙ୍କ ଲୁଟ୍‌ ପ୍ରକ୍ରିୟା ଥିଲା ବେଶ୍ ରୋଚକ। ସେମାନେ ଟାର୍ଗେଟ୍‌ କରୁଥିବା ଦୋକାନକୁ ସକାଳୁ ଜଗି ରହୁଥିଲେ। ଦୋକାନ ଖୋଲିବା ମାତ୍ରେ ଗ୍ୟାଙ୍ଗ୍‌ର ଜଣେ କୌଣସି ଏକ ଔଷଧ କିଣି ୨ ହଜାର ଟଙ୍କିଆ ନୋଟ୍‌ ବଢ଼ାଇ ଦେଉଥିଲା। ଦୋକାନୀ ଖୁଚୁରା ନଥିବା କହିବା ପରେ ଧୂର୍ତ୍ତ ଔଷଧ ଧରି ପଳାଉଥିଲା। ତେଣୁ ଦୋକାନୀ ଦୋକାନ ଛାଡ଼ି ତାକୁ ଡାକି ଡାକି ପିଛା କରୁଥିଲେ। ଏହି ସମୟରେ ଗ୍ୟାଙ୍ଗ୍‌ର ଅନ୍ୟ କେହି ସଦସ୍ୟ ଦୋକାନରେ ପଶି କ୍ୟାସ୍‌ ବକ୍ସରେ କଳାକନା ବୁଲାଇ ଦେଉଥିଲା। ସେମିତି କିଛି କେସ୍‌ରେ ଗ୍ରାହକ ସାଜିଥିବା ଧୂର୍ତ୍ତ ୨ ଶହ ଟଙ୍କାର ସାମଗ୍ରୀ କିଣି ୧୬୦ ଟଙ୍କାର ଦଶ ଟଙ୍କିଆ ଧରାଇ ଦେଇ ପଳାଉଥିଲା। ଦୋକାନୀ ଟଙ୍କା ଗଣି କମ୍ ଅଛି ବୋଲି ଜାଣିବା ପରେ ଦୋକାନ ଛାଡ଼ି ତାକୁ ପିଛା କରୁଥିଲା। ଏହି ମଉକାରେ ସେଠାରେ ଛକି ଥିବା ଅନ୍ୟ ଲୁଟେରା ଦୋକାନରେ ପଶି କ୍ୟାସ୍‌ବକ୍ସରୁ ଟଙ୍କା ଲୁଟି ନେଉଥିଲା। ମୋଟାମୋଟି ସକାଳୁ ସକାଳୁ ବଇନି ସମୟରେ ଦୋକାନୀଙ୍କୁ ବାଉଳା କରି ଦୋକାନରୁ ବାହାର କରିବାକୁ ସେମାନେ ଯୋଜନା କରି ଫସାଉଥିଲେ। ଏହି ଚାଲ୍‌ ବୁଝିନପାରି ଦୋକାନୀ ଦୋକାନ ଛାଡ଼ି ଜଣେ ଠକକୁ ଧରିବାକୁ ଗଲା ବେଳେ ଅନ୍ୟ ଲୁଟେରା କ୍ୟାସ୍‌ବକ୍ସରୁ ଟଙ୍କା ଲୁଟି ବଡ଼ ସହଜରେ ଫେରାର୍ ହୋଇଯାଉଥିଲା।

ଲୁଟିବା ପୂର୍ବରୁ ଠାକୁରଙ୍କୁ ରସଗୋଲା ଭୋଗ
ପ୍ରଥମେ ଏହି ଗ୍ୟାଙ୍ଗ୍‌ କୌଣସି ଏକ ଛୋଟ ହୋଟେଲରେ ରହି ନିକଟସ୍ଥ ବଜାର ଉପରେ ନଜର ରଖୁଥିଲେ ଓ ଦୋକାନକୁ ଟାର୍ଗେଟ୍‌ କରୁଥିଲେ। ସକାଳୁ ସକାଳୁ ଦୋକାନ କେତେବେଳେ ଖୋଲା ହେଉଛି, ତାକୁ ଲକ୍ଷ୍ୟ କରି ଛକି ବସୁଥିଲେ। ତେବେ ଲୁଟ୍‌ ପାଇଁ ହୋଟେଲ୍‌ ରୁମ୍‌ ଛାଡ଼ିବା ପୂର୍ବରୁ ସେମାନେ ଏକ ଠାକୁରଙ୍କ ଫଟୋ ନିକଟରେ ରସଗୋଲା ଭୋଗ ଲାଗି କରୁଥିଲେ। ଠାକୁରଙ୍କୁ ରସଗୋଲା ଭୋଗ ଦେଲେ, ଚୋରିରେ ସଫଳ ହେବେ ବୋଲି ଏହି ଗ୍ୟାଙ୍ଗ୍‌ ବିଶ୍ବାସ କରୁଥିଲା।

myjournalcourier.com

କେମିତି ଧରାପଡ଼ିଲେ
ଲଗାତାର ଚାରି ଚାରିଟି ମାମଲା ହେବା ପରେ ପୁଲିସ ତତ୍ପର ହୋଇପଡ଼ିଥିଲା। ଲୁଟ୍‌ର ଶିକାର ହୋଇଥିବା ଦୋକାନୀମାନଙ୍କ ସୂଚନାନୁସାରେ ଏହି ଗ୍ୟାଙ୍ଗ୍‌ରେ ୩ଜଣ ଲୁଟେରା ଅଛନ୍ତି ବୋଲି ପୁଲିସ ଅନୁମାନ କରିଥିଲା। ଲୁଟେରାମାନେ ବଙ୍ଗାଳି ଭାଷାରେ କଥାବାର୍ତ୍ତା କରୁଥିବାରୁ ସେମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଥିଲା। ତେଣୁ ପୁଲିସ ରାଜଧାନୀର ବିଭିନ୍ନ ବସ୍ତିରୁ ସେମାନଙ୍କୁ ଠାବ କରିବାକୁ ଜାଲ ବିଛାଇଥିଲା। ସେହିଭଳି କିଛି ଛୋଟ ହୋଟେଲ୍‌କୁ ମଧ୍ୟ ପୁଲିସ ଟାର୍ଗେଟ୍‌ କରି ଛାନ୍‌ଭିନ୍‌ କରିଥିଲା। ଲୁଟ୍‌ ହୋଇଥିବା ଏକ ଦୋକାନର ସିସିଟିଭି ଫୁଟେଜ୍‌ରୁ ଫଟୋ ସଂଗ୍ରହ କରି ବିଭିନ୍ନ ହୋଟେଲକୁ ପୁଲିସ ଦେଇଥିଲା। ଏଥିରୁ ମିଳିଥିଲା ପୁଲିସକୁ ବଡ଼ ସୁରାକ୍‌। ଅଶୋକନଗରସ୍ଥିତ ଏକ ଗେଷ୍ଟ୍ ହାଉସରୁ ପୁଲିସ ସେମାନଙ୍କୁ ଚିହ୍ନଟ କରିଥିଲା। ୨୪ତାରିଖରେ ସେମାନେ ଉକ୍ତ ଗେଷ୍ଟ ହାଉସ୍ ଛାଡ଼ିଥିଲେ। ଭୁବନେଶ୍ବର ପରେ ସେମାନେ କଟକ ପଳାଇଥିବା ସନ୍ଦେହ କରି ଭୁବନେଶ୍ବର ସ୍ପେସାଲ୍‌ ସ୍କ୍ବାଡ୍‌ କଟକର କିଛି ହୋଟେଲ ତନଖି କରିବାକୁ କଟକ ପୁଲିସର ସହଯୋଗ ଲୋଡ଼ିଥିଲା। ସତକୁ ସତ ସେମାନେ କଟକର ଏକ ହୋଟେଲରେ ଡେରା ପକାଇଥିବା ଜଣାପଡ଼ିବା ମାତ୍ରେ ପୁଲିସ ସେଠାରେ ଚଢ଼ଉ କରିଥିଲା। ତେବେ ଏହି ଗ୍ୟାଙ୍ଗ୍‌ର ସୁଜିତ୍‌ ଧରାପଡ଼ିନଥିଲା। ସ୍ତ୍ରୀ କରୋନାରେ ପୀଡ଼ିତା ବୋଲି ଖବର ପାଇବା ପରେ ସେ ଗତକାଲିଠାରୁ କୋଲକାତା ପଳାଇଥିଲା। ପୁଲିସ ସୂଚନାନୁସାରେ ଏହି ଗ୍ୟାଙ୍ଗ୍‌ ପ୍ରଥମେ ବ୍ରହ୍ମପୁରରେ ହାତ ବୁଲାଇଥିଲେ। ୧୨ ତାରିଖରେ ସମାନ ଢ଼ଙ୍ଗରେ ଏକ ଲେଡିଜ୍‌ କର୍ଣ୍ଣରରୁ ୩୨ ହଜାର ଟଙ୍କା ଓ ପରେ ଏକ ଔଷଧ ଦୋକାନରୁ ୩୨ ହଜାର ଟଙ୍କା ଲୁଟି ରାଜଧାନୀ ପଳାଇଆସିଥିଲେ। ଭୁବନେଶ୍ବରରୁ ୪ଟି ଲୁଟ୍‌ କରିବା ପରେ ସେମାନେ କଟକ ସହରକୁ ଟାର୍ଗେଟ୍‌ କରି ସେଠାରେ ଡେରା ପକାଇଥିଲେ।

ପଶ୍ଚିମବଙ୍ଗ ପୁଲିସ ୪ ଥର ବାନ୍ଧିଥିଲା
ଏହି ଲୁଟେରା ଗ୍ୟାଙ୍ଗ୍‌ର ମୁଖିଆ ରାଜୁ ଜଣେ ରଙ୍ଗ ମିସ୍ତ୍ରି। ପଶ୍ଚିମବଙ୍ଗ ଚବିଶପ୍ରଗଣା ଜିଲ୍ଲାରେ କାମ କରିବା ସହ ଚୋରି କରିବା ଥିଲା ତା’ର ମୁଖ୍ୟ କାମ। ସେଠାରେ ସେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରି ଏକ ଗ୍ୟାଙ୍ଗ୍‌ ଗଢ଼ିଥିଲା। ଦିନରେ ମିସ୍ତ୍ରି କାମ ଓ ରାତିରେ ଚୋରି କରୁଥିଲା। ଏଥିପାଇଁ ସେ ସେଠିକା ପୁଲିସ ହାତରେ ଧରାପଡ଼ି ୪ ଥର ଜେଲ୍‌ ଯାଇଥିଲା। ଆଉ ଚୋରି କଲେ, ପୁଲିସ ତାକୁ ଏନ୍‌କାଉଣ୍ଟର କରିବ କିମ୍ବା ତଡ଼ିପାର୍ କରିବ ବୋଲି ଚେତାବନୀ ଦେଇଥିଲା। ତେଣୁ ରାଜୁ ତା ଗ୍ୟାଙ୍ଗ୍‌କୁ ଧରି ଓଡ଼ିଶା ପଳାଇଆସିଥିଲା।

ସମ୍ବନ୍ଧିତ ଖବର