କୋଭାକ୍ସିନ ୨୦୦% ନିରାପଦ, ଟିକାକୁ ନେଇ ସମାଲୋଚନା କଷ୍ଟଦାୟକ : ଭାରତ ବାୟୋଟେକ

ନୂଆଦିଲ୍ଲୀ : ଭାରତୀୟ ଫାର୍ମା କମ୍ପାନି ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଅନୁମତି ଦିଆଯିବାକୁ ନେଇ କେତେକ ରାଜନୈତିକ ଦଳ ପ୍ରଶ୍ନ ଉଠାଇଥିବାରୁ ତାହାର ଉତ୍ତର ରଖିଛି  କମ୍ପାନି । କୋଭାକ୍ସିନ ୨୦୦ ପ୍ରତିଶତ ନିରାପଦ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଏଲ୍ଲା ଦାବି କରିଛନ୍ତି ।

ଗତକାଲି ଡ୍ରଗ୍ସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସହଯୋଗରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଦ୍ବାରା ବିକଶିତ ଟିକା କୋଭିସିଲ୍ଡର ବ୍ୟବହାରକୁ ନେଇ କେହି ପ୍ରଶ୍ନ କରିନଥିବା ବେଳେ କୋଭାକ୍ସିନକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁଥିବା ଟିକାକୁ କେମିତି ଡିସିଜିଆଇ ଅନୁମତି ଦେଲା, ସେ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏବେ ସାମ୍ବାଦିକ ସମ୍ମିଳନୀ କରି ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ଡ. ଏଲ୍ଲା।

ସେ କହିଛନ୍ତି ଅନ୍ୟ କମ୍ପାନି ଦ୍ବାରା ପ୍ରସ୍ତୁତ କରୋନା ଟିକା ତୁଳନାରେ କୋଭାକ୍ସିନ ମାତ୍ର ୧୦ ପ୍ରତିଶତ କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଛି । କୋଭାକ୍ସିନ ୨୦୦ ପ୍ରତିଶତ ନିରାପଦ ବୋଲି ସେ ଦାବି କରିଛନ୍ତି ।

ତାଙ୍କ କହିବା ମୁତାବକ, ଯଦି ଆପଣଙ୍କର ପ୍ଲାଟଫର୍ମ ପ୍ରମାଣିତ ହୋଇଛି, ସୁରକ୍ଷିତ ଅଛି ଏବଂ ପ୍ରଥମ ଏବଂ ଦ୍ବିତୀୟ ପରୀକ୍ଷାର ତଥ୍ୟ ଉପଲବ୍ଧ ଅଛି, ତେବେ ଆପଣ ଉତ୍ପାଦକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇପାରିବ ବୋଲି କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ୨୦୧୯ ଦେଇଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି | କୋଭାକ୍ସିନକୁ ଏହି ସର୍ତ୍ତ ଆଧାରରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି | କୋଭାକ୍ସିନକୁ ଏକ ଭାରତୀୟ କମ୍ପାନି ତିଆରି କରିଛି ବୋଲି, ତାକୁ ନେଇ ଏବେ ସମାଲୋଚନା କରାଯାଉଛି। ମୁଁ ଜାଣିପାରୁନାହିଁ ଭାରତୀୟ କମ୍ପାନିକୁ ବିଶ୍ବସ୍ତରରେ କାହିଁକି ଟାର୍ଗେଟ କରାଯାଏ। ବିଦେଶୀ କମ୍ପାନିକୁ ସମର୍ଥନ କରି ସ୍ବଦେଶୀ କମ୍ପାନିକୁ ସମାଲୋଚନା କରାଯିବା କଷ୍ଟଦାୟକ। ଭାରତ କାହାଠାରୁ ନକଲ କରିବା ଦେଶ ନୁହେଁ, ସେ ନିଜେ ଉଦ୍ଭାବନ କରିପାରିବ।

indiatoday

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ କେବଳ ଭାରତରେ କ୍ଲିନିକାଲ୍ ପରୀକ୍ଷା କରୁନାହୁଁ। ବ୍ରିଟେନ ସମେତ ୧୨ରୁ ଅଧିକ ଦେଶରେ ଆମେ କ୍ଲିନିକାଲ୍ ପରୀକ୍ଷା କରୁଛୁ | ପାକିସ୍ତାନ, ନେପାଳ, ବାଂଲାଦେଶ ଏବଂ ଅନ୍ୟାନ୍ୟ ଦେଶରେ କ୍ଲିନିକାଲ୍ ପରୀକ୍ଷା କରୁଛୁ | ଆମେ କେବଳ ଏକ ଭାରତୀୟ କମ୍ପାନି ନୁହେଁ, ଆମେ ପ୍ରକୃତରେ ଏକ ବିଶ୍ୱସ୍ତରୀୟ କମ୍ପାନି |

ସମ୍ବନ୍ଧିତ ଖବର