ବାରଣାସୀ: ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ମୁମ୍ବାଇ ଇଣ୍ଡିୟାନସର ମାଲିକାଣି ନିତା ଅମ୍ବାନୀଙ୍କୁ ଅତିଥି ପ୍ରାଧ୍ୟାପିକା ନ କରିବା ପାଇଁ ବାରଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଛାତ୍ରମାନେ ଦାବି କରିଛନ୍ତି। ଆଉ ନିତା ଅମ୍ବାନୀଙ୍କୁ ମହିଳା ସଶକ୍ତିକରଣର ଏକ ଉଦାହରଣ ବୋଲି ମାନିବାକୁ ଛାତ୍ର ସଂଗଠନମାନେ ରୋକଠୋକ ମନା କରି ଦେଇଛନ୍ତି। ଏହାକୁ ନେଇ ଆଜି ବାରଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଛାତ୍ରମାନେ କୁଳପତିଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ।

Advertisment

ସୂଚନା ଅନୁଯାୟୀ, କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟର ସାମାଜିକ ବିଜ୍ଞାନର ଅତିଥି ପ୍ରାଧ୍ୟାପିକା ଭାବରେ ଆସିବା ପାଇଁ ନିତା ଅମ୍ବାନୀଙ୍କୁ ଚିଠି ପଠାଯାଇଥିଲା। ଏହା ଜାଣିବା ପରେ ଏବେ ଛାତ୍ର ସଂଗଠନ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ବାରଣାସୀ ବିଶ୍ବବିଦ୍ୟାଳୟରେ ଛାତ୍ରମାନେ ନିତା ଅମ୍ବାନୀଙ୍କୁ ବାରଣାସୀ ବିଶ୍ବବିଦ୍ୟାଳୟରେ ଅତିଥି ପ୍ରାଧ୍ୟାପିକା ନ କରିବା ପାଇଁ ଦାବି କରିଥିଲେ। ଛାତ୍ରମାନେ ଦାବି କରିଛନ୍ତି ଯେ, ଦେଶରେ ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜ ଶକ୍ତିରେ ସଶକ୍ତ ହୋଇଛନ୍ତି। ଆଉ ଜଣେ ଶିଳ୍ପପତିଙ୍କ ପତ୍ନୀ ହୋଇଗଲେ ଯେ ତାଙ୍କର ମହିଳା ସଶକ୍ତିକରଣରେ ଅବଦାନ ଅଛି ତାହା ସ୍ୱୀକାର କରିହେବ ନାହିଁ। ଯଦି ବି ଅତିଥି ପ୍ରାଧ୍ୟାପିକା ପାଇଁ କାହାକୁ ଡ଼ାକିବାକୁ ପଡେ, ତେବେ ଦେଶର ସେହି ମହିଳାମାନଙ୍କୁ ଡାକିବା ଉଚିତ ହେବ ଯେଉଁମାନେ ନିଜ ଗୋଡ଼ରେ ନିଜେ ଛିଡା ହୋଇଛନ୍ତି।

ତେବେ ଏହାକୁ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି ଯେ, ବାରଣାସୀ ବିଶ୍ବବିଦ୍ୟାଳୟରେ ନିତା ଅତିଥି ପ୍ରାଧ୍ୟାପିକା ଭାବେ ଯୋଗ ଦେବା ଖବର ମିଥ୍ୟା ହୋଇଥିବାବେଳେ ସେଭଳି କୌଣସି ନିମନ୍ତ୍ରଣ ମିଳିନାହିଁ। ଆଉ ବିଏଚୟୁ(ବାରଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟ) ପକ୍ଷରୁ କୁହାଯାଇଛି ଯେ ନିତାଙ୍କୁ ପ୍ରାଧ୍ୟାପିକା ଭାବରେ ନିଯୁକ୍ତି ଦେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।