କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ? ନଭେମ୍ବର ୧୫ରେ ନିଆଯିବ ନିଷ୍ପତ୍ତି

ପାଟନା: ବିହାରରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନରେ ବହୁମତରେ ଏନଡିଏ ବିଜୟ ହାସଲ କରିବା ପରେ ପାଟନାରେ ମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳିବ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ ବିଜେପି, ଏନଡିଏ ଜିତିଲେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଆଯିବ ବୋଲି ଘୋଷଣା କରିଥିବା ବେଳେ ଏବେ ନୀତୀଶ ଆଉ ଆଗ୍ରହୀ ନଥିବା ବିଜେପି ହାଇକମାଣ୍ଡକୁ ଜଣାଇ ଦେଇଛନ୍ତି। ନୀତୀଶଙ୍କୁ ରାଜି କରାଇବା ପାଇଁ ଆଜି ଏନଡିଏ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେପି, ହମ୍ ଏବଂ ଭିଭିଆଇପି ନେତାମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘରେ ପହଞ୍ଚିଥିଲେ।

ବୈଠକ ପରେ ନୀତୀଶ କୁମାର କହିଛନ୍ତି ଯେ, ନଭେମ୍ବର ୧୫ରେ ଆଉ ଥରେ ବୈଠକ ହେବ। ସେହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ନଭେମ୍ବର ୧୫ରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସମସ୍ତ ଏନଡିଏ ବିଧାୟକ ଉପସ୍ଥିତ ରହିବେ ଏବଂ ବୈଠକ ଦିନ ୧୨.୩୦ରେ ଆରମ୍ଭ ହେବ।

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପାଇଁ ନୀତୀଶ କୁମାର ବିଜେପି ଆଗରେ ନୀତୀଶ ଦୁଇଟି ସର୍ତ ରଖିଛନ୍ତି। ପ୍ରଥମଟି ହେଲା ଚିରାଗ ପାଶ୍ବାନଙ୍କୁ ଏନଡିଏରୁ ବିଦା କରାଯାଉ। ଦ୍ବିତୀୟଟି ହେଲା ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କ୍ଷମତା ସଙ୍କୁଚିତ ହେବନାହିଁ। ଏଲ୍‌ଜେପି ନେତା ପାଶ୍ବାନଙ୍କୁ ନେଇ ନୀତୀଶ ଭୀଷଣ କ୍ଷୁବ୍ଧ ଅଛନ୍ତି। ‌ସେ ବିଜେପି ନେତାମାନଙ୍କୁ ଜଣାଇ ଦେଇଛନ୍ତି ଯେ ପାଶ୍ବାନଙ୍କ ଯୋଗୁଁ ତାଙ୍କ ପାର୍ଟିକୁ ୨୫ରୁ ୩୦ଟି ଆସନ ହରାଇବାକୁ ପଡ଼ିଛି। ନିର୍ବାଚନ ବେଳେ ସେ ଏଭଳି ଆଶଙ୍କା ପ୍ରକାଶ କରିଥିଲେ। କିନ୍ତୁ ବିଜେପି ଏହାକୁ ହାଲୁକା ଭାବେ ଗ୍ରହଣ କରିଥିଲା। ଚିରାଗଙ୍କ ପ୍ରତି ବିଜେପି କଠୋର ହୋଇଥିଲେ ଏନଡିଏ ଆଜି ଭଲ ସ୍ଥିତିରେ ଥାଆନ୍ତା। ଚିରାଗ ପାଶ୍ବାନଙ୍କୁ ଏନ୍‌ଡିଏରୁ ବାହାର କରିବା ଲାଗି ସେ ଜିଦ୍ ଧରିଛନ୍ତି।

Nitish Kumar, the clever Ku-Ku squished by Hindutva CAB - The Federal
The Federal News

ଚିରାଗଙ୍କ ଯୋଗୁଁ ତାଙ୍କ ପାର୍ଟି ଏନଡିଏରେ ଦ୍ବିତୀୟ ସ୍ଥାନକୁ ଖସିଛି। ଫଳରେ ବି‌ଜେପି ଦୟାରେ ନୀତୀଶ ମୁଖ୍ୟମନ୍ତ୍ରୀ ହେବେ। ପୂର୍ବଭଳି ତାଙ୍କର ଆଉ କ୍ଷମତା ରହିବ ନାହିଁ। ସବୁ ନିଷ୍ପତ୍ତି ଲାଗି ତାଙ୍କୁ ବିଜେପି ଉପରେ ନିର୍ଭର କରିବାକୁ ପଡ଼ିବ। କେତେକ ବିଜେପି ନେତା ଏଭଳି ଭାଷା କହିବା ଆରମ୍ଭ କରିଥିବାରୁ ନୀତୀଶ କ୍ଷୁବ୍ଧ ହୋଇଛନ୍ତି। ସୀମିତ କ୍ଷମତା ସହିତ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ହେବେ ତାହାହେଲେ ପୂର୍ବଭଳି କ୍ଷମତା ତାଙ୍କ ପାଖରେ ରହିବ।

ତାଙ୍କର ଏହି ଦୁଇଟି ସର୍ତ ମାନିବାକୁ ବିଜେପି ହାଇକମାଣ୍ଡ ରାଜି ଥିବା ସୂଚନା ମିଳିଛି। ବିଜେପି ଏବଂ ଜେଡିୟୁର ବରିଷ୍ଠ ନେତାମାନେ ଆଲୋଚନା ଜାରି ରଖିଛନ୍ତି। ତେବେ ନଭେମ୍ବର ୧୫ରେ ଏସଂପର୍କରେ ସ୍ପଷ୍ଟ ଚିତ୍ର ମିଳିବ।

ସମ୍ବନ୍ଧିତ ଖବର