ବିହାରୀ ମିସ୍ତ୍ରି ହତ୍ୟାକାଣ୍ଡ, ମୃତ ଆଜାଦଙ୍କ ମୋବାଇଲ୍ ଫୋନ୍ ଗାଏବ୍

କଟକ: ନୃଶଂସ ହତ୍ୟାକାଣ୍ଡର ଶିକାର ହୋଇଥିବା ବିହାରୀ ମିସ୍ତ୍ରି ଆଜାଦ୍ କୁମାର ଯାଦବଙ୍କ ମୋବାଇଲ୍ ଫୋନ୍ ଗାଏବ୍ ହୋଇଯାଇଛି। ୨୫ ତାରିଖ ଦିନ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ସେଦିନ ରାତି ପ୍ରାୟ ୧୨ଟାରେ ମୋବାଇଲ୍ ସୁଇଚ୍ ଅଫ୍ ହୋଇଥିଲା। ହତ୍ୟାକାଣ୍ଡ ଲିଙ୍କରେ ପୁଲିସ ସ୍କାନରରେ ଥିବା ମୁନିଲାଲ ଶର୍ମା, ପଙ୍କଜ ଶର୍ମା ଓ କୈଳାସ ଯାଦବର ଫୋନ୍ ବି ସୁଇଚ୍ ଅଫ୍ ହୋଇଯାଇଛି। ୨୬ ତାରିଖ ଯାଏ ଏମାନଙ୍କ ମୋବାଇଲ୍ ଖୋଲା ଥିବାରୁ ପୁଲିସ ସେମାନଙ୍କ ଗତିବିଧି ଠାବ କରିସାରିଛି। ଏମାନେ ସମସ୍ତେ କଟକ ଛାଡ଼ି ବିହାର ଚାଲିଯାଇଥିବା ପୁଲିସ ଶେଷ ମୋବାଇଲ୍ ଲୋକେସନରୁ ସୁରାକ୍ ପାଇଛି। ମୋବାଇଲ୍ ଏମାନଙ୍କ ନିକଟରେ ସନ୍ଦେହ କରାଯାଉଛି। ବିହାର ବାଙ୍କା ଜିଲ୍ଲା ଅମରପୁର ଥାନା ଚକୋଶିଆ ଗାଁର ଆଜାଦ କୁମାର ଯାଦବଙ୍କ ଫେବ୍ରୁଆରି ୨୫ ତାରିଖରେ ବିଡାନାସୀ ଗଜିଆ ପଠାରେ ପଥରରେ ଛେଚି ହତ୍ୟା କରାଯାଇଥିବା ବଡ଼ ଡାକ୍ତରଖାନା ଡାକ୍ତରୀ ଟିମ୍ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି। ଘଟଣାସ୍ଥଳରୁ ଆଜାଦଙ୍କ ୟାମା ଫେଜର୍ ବାଇକ ଓ ହେଲମେଟ୍ ସମେତ ବେକରୁ ଏକ ଚାନ୍ଦିର ଚେନ, ହାତରୁ ବ୍ରେସଲେଟ୍ ଏବଂ ପ୍ୟାଣ୍ଟ ପକେଟରୁ ପର୍ସ ଜବତ ହୋଇଥିବା ବେଳେ ଓପୋ କମ୍ପାନିର ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଗାଏବ୍ ହୋଇଯାଇଛି। ଗାଏବ୍ ହୋଇଥିବା ମୋବାଇଲ୍ ଫୋନ୍ ୨୫ ତାରିଖ ରାତି ପ୍ରାୟ ୧୨ଟା ଯାଏ ଖୋଲା ଥିଲା। ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ। ଫୋନ୍ ରିଙ୍ଗ ହୋଇଥିଲେ ସୁଦ୍ଧା ଫୋନ୍ ଉଠାଇ ନଥିଲେ। କିନ୍ତୁ ରାତି ୧୨ଟା ପରେ ମୋବାଇଲ୍ ସୁଇଚ୍ ଅଫ ହୋଇଯାଇଥିଲା। ୨୫ ତାରିଖରେ ମୁନିଲାଲ ସହିତ ଚାଉଳିଆଗଞ୍ଜ ଭଡ଼ା ଘରେ ଥିବା ବନ୍ଧୁ ବିହାର ବାଙ୍କା ଜିଲ୍ଲାର କୈଳାସ ଯାଦବର ମୋବାଇଲ୍ ୨୫ ତାରିଖ ରାତି ପ୍ରାୟ ୧୨ଟା ଯାଏ ଖୋଲା ଥିଲା। ତା ପରଠାରୁ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଛି। ସେହିଭଳି ଏହି ଘଟଣାରେ ପ୍ରମୁଖ କାର୍ପଟଦାର୍ କୁହାଯାଉଥିବା ମୁନିଲାଲ ଶର୍ମାକୁ ଶେଷ ଥର ୨୫ ତାରିଖ ରାତି ୧୦ଟା େବଳେ ଆଜାଦର ଭାଇ ଶୁଭମ ଦେଖିଥିଲେ। ୨୬ ତାରିଖ ଦିନ ପ୍ରାୟ ୧୦ଟା ଯାଏ ମୁନିଲାଲର ଫୋନ୍ ଖୋଲା ରହିଥିଲା।

କିନ୍ତୁ ୧୦ଟା ପରଠାରୁ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ମୁନିଲାଲ ଏବେ ଭଡ଼ା ଘରେ ତାଲା ପକାଇ ନିଜ ଘର ବିହାର ଭାଗଲପୁର ଜିଲ୍ଲାର ସାବୋର ଅଞ୍ଚଳରେ ଥିବା ପୁଲିସ ସନ୍ଦେହ କରୁଛି। ଘର ଭଡ଼ା ବି ଦେଇ ନଥିବା ଜଣାପଡ଼ିଛି। ସେହିଭଳି ଚାଉଳିଆଗଞ୍ଜ ନୂଆବଜାର ଭଡ଼ା ଘରେ ମୁନିଲାଲ ସହିତ ରହୁଥିବା ଦାଦା ପୁଅ ଭାଇ ପଙ୍କଜ ଶର୍ମାର ମୋବାଇଲ୍ ୨୬ ତାରିଖ ଦିନ ପ୍ରାୟ ୧୦ଟା ୩୦ ଯାଏ ଖୋଲା ଥିଲା। ତା ପରଠାରୁ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଛି। ତେବେ ପୁଲିସ ଟାର୍ଗେଟରେ ଏବେ ମୁନିଲାଲ ସମେତ ପଙ୍କଜ ଓ କୈଳାସ ରହିଛନ୍ତି। ବିଡ଼ାନାସୀ ଗଜିଆ ପଠାରୁ ଗାଏବ୍ ହୋଇଥିବା ଆଜାଦର ମୋବାଇଲ୍ ଓ କୈଳାସର ମୋବାଇଲ୍ ୨୫ ତାରିଖ ରାତିରେ ଗୋଟିଏ ସମୟରେ ସୁଇଚ୍ ଅଫ୍ ହୋଇଥିବା ବେଳେ ପଙ୍କଜ ଓ ମୁନିଲାଲର ୨୬ ତାରିଖ ସକାଳେ ଗୋଟିଏ ସମୟରେ ସୁଇଚ୍ ଅଫ୍ ହୋଇଛି। ୨୫ ତାରିଖ ରାତିରେ ମୁନିଲାଲ ଏକ ଅଟୋରେ ଚାଉଳିଆଗଞ୍ଜରୁ ବାଦାମବା଼ଡ଼ି ବସଷ୍ଟାଣ୍ଡ ଯାଇଥିବା କୁହାଯାଉଥିବାରୁ ପୁଲିସ ଏବେ ଏହି ୪ଟି ମୋବାଇଲ୍ ଫୋନକୁ ଟ୍ରାକ୍ କରୁଛି। ଏମାନେ ସମସ୍ତେ ବିହାର ଯାଇଥିବା କୁହାଯାଉଥିବା ବେଳେ ପୁଲିସର ଏକ ଟିମ୍ ମୋବାଇଲ୍ ନମ୍ବର ଟ୍ରାକ୍ କରି ରାଜ୍ୟ ବାହାରକୁ ଯାଇଥିବା କୁହାଯାଉଛି। ଏହି ତିନି ଜଣଙ୍କ ପରିବାର ସଦସ୍ୟଙ୍କ ଫୋନ୍ ଟ୍ୟାପିଂ ଆରମ୍ଭ କରିଦେଇଛି ବିଡାନାସୀ ଥାନା ପୁଲିସ। ଏମାନେ ଅନ୍ୟ ନମ୍ବରରୁ ପରିବାର ଲୋକ ଓ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗରେ ଥିବାରୁ ଫୋନ୍ ଟ୍ୟାପିଂ କରି ସମସ୍ତଙ୍କ କଥାବାର୍ତ୍ତା ବିଡାନାସୀ ଥାନା ପୁଲିସ ଶୁଣି ସେମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି। ଅନ୍ୟପଟେ ୩ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ବର ପଳାଶୁଣୀ ମୁଣ୍ଡାସାହିରେ ରହୁଥିବା ବିହାରୀ ଶ୍ରମିକ ମାନସ ଚୌଧୁରୀଙ୍କ ମୁଣ୍ଡକୁ ବି ଦୁର୍ବୃତ୍ତମାନେ ଇଟାରେ ଛେଚି ହତ୍ୟା କରିଛନ୍ତି। କମିସନରେଟ୍ ପୁଲିସରେ ଦୁଇ ବିହାରୀ ଶ୍ରମିକଙ୍କୁ ସମାନ ଢଂଗରେ ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର