ଘରକୁ ଫେରି ପାକ୍‌ ଜେଲ୍‌ର ନିର୍ଯାତନାର କାହାଣୀ ବଖାଣିଲେ ବିରଜୁ

ସୁନ୍ଦରଗଡ଼: ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବା ଫେରିଥିବା ସୁନ୍ଦରଗଡ଼ର  ବିରଜୁ କୁଲୁ ବଖାଣିଛନ୍ତି ପାକିସ୍ତାନ ଜେଲରେ ନିର୍ଯାତନାର କାହାଣୀ। ଅନ୍ଧାର କୋଠରୀ ଭିତରେ କେମିତି ଚାବୁକ୍ ମରାଯାଉଥିଲା, ତାହା ବଖାଣିଛନ୍ତି ସେ । ରାଂଚିରୁ ପାକିସ୍ତାନ ପହଂଚିଯିବାର ପୂରା କାହାଣୀ ବୟାନ କରିଛନ୍ତି ସେ । ଠିକ୍ ଭାବେ ସବୁ କଥା ମନେ ପକାଇ ପାରୁ ନଥିଲେ ବି ଯେଉଁ ଅଳ୍ପ କିଛି କହିଛନ୍ତି ବିରଜୁ, ତାହା ଭିତରେ ରହିଛି ପାକ୍ ଜେଲରେ ନିର୍ଯାତନାର କଥା । ପାକ୍ ସୀମାରେ ପ୍ରବେଶ କରିବା ପରେ ତାଙ୍କୁ ସିଆରପୁର ପୁଲିସ୍ ଗିରଫ କରିଥିଲା। ସେଠୁ ଅଦାଲତରେ  ହାଜର କରିବା ପରେ ଲାହୋର୍ ଜେଲକୁ ପଠାଇ ଦିଆଯାଇଥିଲା ।

ଗତକାଲି ବିରଜୁଙ୍କୁ ତାଙ୍କ ଗାଁ କଟଙ୍ଗକୁ ଅଣାଯାଇଥିଲା । ତାଙ୍କ ଫେରିବା ଖବର ପରେ ପୂରା ଗାଁରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା । ବିରଜୁଙ୍କୁ ଆଦିବାସୀ ପରମ୍ପରା ଅନୁସାରେ ପାଛୋଟି ଆଣାଯାଇଥିଲା । ଶାରୀରିକ ଅସୁସ୍ଥ ଥିବା ବିରଜୁଙ୍କୁ ତାଙ୍କ ଦୁଇ ଖୁଡି ଧରି ପାରମ୍ପରିକ ଢଙ୍ଗରେ ପାଛୋଟି ଆଣିଥିଲେ । ନାଗରାର ତାଳେ ତାଳେ ପାରମ୍ପରିକ ନାଚ ଓ ବନ୍ଦାପନା ଭିତରେ ଗାଁକୁ ଫେରିଥିଲେ ବିରଜୁ । ତାଙ୍କୁ ପାଖରେ ପାଇ ପରିବାର ଓ ସମ୍ପର୍କୀୟ ବେଶ୍ ଖୁସି ।

ପାକିସ୍ତାନ ସରକାର ବିରଜୁଙ୍କୁ ଭାରତକୁ ହସ୍ତାନ୍ତର କରିବା ପରେ ସେ ପଞ୍ଜାଵ ଅମୃତସରର ଏକ ସଂଗରୋଧ କେନ୍ଦ୍ରରେ ଥିଲେ। ଏ ସମ୍ପର୍କରେ ସୁନ୍ଦରଗଡ଼ ପ୍ରଶାସନକୁ ଅବଗତ କରାଯିବା ପରେ ପ୍ରଶାସନ ବିରଜୁଙ୍କୁ ଅମୃତସରରୁ ଆଣିବାକୁ ସମସ୍ତ ବ୍ୟବସ୍ଥା କରିଥିଲା । ତାଙ୍କୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ନିଯୁକ୍ତ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଅମୃତସର ଯାଇଥିଲେ। ବଲେରୋ ଯୋଗେ ୨ ଜଣ ଡ୍ରାଇଭରଙ୍କ ସାହାଯ୍ୟରେ ୧୭୫୦ କିଲୋମିଟର ଦୂର ଅମୃତସରରୁ ଵିରଜୁଙ୍କୁ ନେଇ ଫେରିଥିଲେ।

ସମ୍ବନ୍ଧିତ ଖବର