ବଟି ପାଇଁ ବିସ୍କୁଟ୍ ବ୍ୟବସାୟୀଙ୍କୁ ହତ୍ୟା ଧମକ: ଲକ୍ଷେ ନଦେଲେ ଗୁଳି

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମରେ ଜଗନ୍ନାଥ ଡାକୁଆ ନାମକ ଜଣେ ବିସ୍କୁଟ୍ ବ୍ୟବସାୟୀଙ୍କୁ ଦୁର୍ବୃତ୍ତ ମାନେ ଧମକପୂର୍ଣ୍ଣ ଫୋନ୍ କଲ୍ କରି ‌ଏକ ଲକ୍ଷ ଟଙ୍କା ଦାଦାବଟି ଦାବି କରିଛନ୍ତି। ଦାଦାବଟି ନଦେଲେ ଗୁଳି କରି ହତ୍ୟା କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏନେଇ ଜଗନ୍ନାଥ ଆଜି ଦିଗପହଣ୍ଡି ଥାନାରେ ଏତଲା ଦେବା ସହ ସୁରକ୍ଷା ଲୋଡ଼ିଛନ୍ତି। କେସ୍ ନମ୍ବର ୩୧ ଅନୁସାରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଛି। ଜଗନ୍ନାଥ ଏକ ଅଣବ୍ୟାଙ୍କିଂ ଚିଟ୍‌ଫଣ୍ଡ୍ ସଂସ୍ଥାର ଏଜେଣ୍ଟ୍ ଭାବେ କାମ କରିବା ସହ ବିସ୍କୁଟ୍ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ବ୍ୟବସାୟ କରୁଛନ୍ତି। ଗତ ମଙ୍ଗଳବାର ସକାଳ ପ୍ରାୟ ସାଢେ଼ ୧୧ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ତାଙ୍କ ମୋବାଇଲ୍‌କୁ ୨ଟି ଅଜଣା ନମ୍ବରରୁ କଲ୍ ଆସିଥିଲା। ଏଥି‌ରେ ଦୁର୍ବୃତ୍ତ ମାନେ ତାଙ୍କୁ ଏକ ଲକ୍ଷ ଟଙ୍କା ବଟି ଦେବାକୁ ଧମକ ଦେଇଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବଟି ନ‌‌ଦେଲେ ଗୁଳି କରି ହତ୍ୟା କରିବାକୁ ଚେତାବନୀ ଦେଇଥିବା ଜଗନ୍ନାଥ କହିଛନ୍ତି। ପୁଲିସ ଉକ୍ତ ମୋବାଇଲ୍ ନମ୍ବରକୁ ଟ୍ରାକିଂ କରିବା ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
ସମ୍ବନ୍ଧିତ ଖବର