ପଞ୍ଚାୟତ ଭୋଟ ଗଣତି: ଅନୁଗୁଳରେ ବିଜେଡି-ବିଜେପି କଡ଼ା ମୁକାବିଲା

ଅନୁଗୁଳ: ଆରମ୍ଭ ହୋଇଛି ପଞ୍ଚାୟତ ଭୋଟ ଗଣତି। ଆଉ ଆରମ୍ଭରୁ କ୍ଷମତା ଦଖଲ ପାଇଁ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଅନୁଗୁଳ ଜିଲ୍ଲାରେ ବିଜେଡି ୫ ଟି ଓ ବିଜେପି ୩ ଟି ଲେଖାଏଁ ଆସନରେ ଆଗୁଆ ରହିଛି। ତେବେ ମାତ୍ର ୨ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବାରୁ ଫଳାଫଳ ବଦଳିବାର ସମ୍ଭାବନା ରହିଛି।
ଆଜି ସକାଳ ୮ଟାରେ ପଞ୍ଚାୟତ ‌ଭୋଟ ଗଣତି ଆରମ୍ଭ ହୋଇଥିଲା। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଥିବା ଏହି ଗଣତିରେ ପ୍ରଥମେ ୱାର୍ଡ ମେମ୍ବର ପାଇଁ ଭୋଟ ଗଣତି କରାଯାଇଥିଲା। ପରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯାଇଥିଲା। ତେଣୁ ଫଳାଫଳ ଆସିବାରେ ବିଳମ୍ବ ହୋଇଥିଲା। ଅନୁଗୁଳ ୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ଆରମ୍ଭରୁ ବିଜେଡି ଆଗୁଆ ରହିଥିଲା। ଦ୍ବିତୀୟ ରାଉଣ୍ଡ ଗଣତି ସୁଦ୍ଧା ଏହି ‌ଜୋନରେ ବିଜେଡି ପ୍ରାର୍ଥୀ କାଜଲ ପଟ୍ଟନାୟକ ୬୭୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ତାଳଚେର ବ୍ଳକର ୧୮ ନମ୍ବର ଜୋନରେ ବିଜେଡି ଆଗୁଆ ରହିଛି। ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଅମୀୟ ପ୍ରଧାନ ୧୫୬୧ ଖଣ୍ଡ ଭୋଟ ପାଇଥିଲାବେଳେ ବିଜେପି ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ୧୧୨୧ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଡାକ୍ତର ମହାନ୍ତିଙ୍କୁ ୧୩୪ ଖଣ୍ଡ ଭୋଟ ମିଳିଛି। କଣିହାଁ ବ୍ଳକ ୮ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ରଶ୍ମିତା ସେଠୀ ୪୩୨ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଚନ୍ଦନ ସ୍ବରାଜଙ୍କ ପାଖରୁ ଆଗୁଆ ଅଛନ୍ତି। ବଅଁରପାଳ ବ୍ଳକ ୨୫ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ୨୧୬୭ ଖଣ୍ଡ ଭୋଟ ପାଇ ଆଗରେ ଅଛନ୍ତି। ତାଙ୍କ ନିକଟତମ ପ୍ରାର୍ଥୀ ବିଜେପିକୁ ୨୦୬୬ ଖଣ୍ଡ ଭୋଟ ମିଳିଛି। ଆଠମଲ୍ଲିକ ୫ ନମ୍ବର ଜୋନରେ ବିଜେଡି ଆଗୁଆ ରହିଛି। ପ୍ରଥମ ରାଉଣ୍ଡ ସୁଦ୍ଧା ଏଠାରେ ବିଜେଡି ୮୮୦ ଖଣ୍ଡ ଭୋଟ ପାଇଥିଲାବେଳେ ବିଜେପି ୮୬୪ ଖଣ୍ଡ ଭୋଟ ପାଇଛି।
ଛେଣ୍ଡିପଦା ବ୍ଲକର ୧୪ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେପି ପ୍ରାର୍ଥୀ ଅଖିଳ କୁମାର ଗଡ଼ନାୟକ ବିଜେଡି ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନଙ୍କଠାରୁ ଦ୍ବିତୀୟ ରାଉଣ୍ଡ ସୁଦ୍ଧା ୬୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ପାଳଲହଡ଼ାରେ ୨୨ ନମ୍ବରେ ଜୋନରେ ବିଜେପି ଆଗରେ ରହିଛି। ଏଠାରେ ବିଜେପିକୁ ୧୦୦୪ ଖଣ୍ଡ ଭୋଟ ମିଳିଥିଲାବେଳେ ବିଜେଡି ପାଇଛି ୮୫୨ ଖଣ୍ଡ ଭୋଟ। ସେହିପରି କିଶୋରନଗର ବ୍ଳକ ୧୧ ନମ୍ବର ଜୋନରେ ମଧ୍ୟ ବିଜେପି ଆଗୁଆ ଅଛି। ଏଠାରେ ବିଜେପିକୁ ୭୩୫ ଖଣ୍ଡ ଭୋଟ ମିଳିଥିଲାବେଳେ ବିଜେଡି ପାଇଛି ୫୯୬ ଖଣ୍ଡ ଭୋଟ।

ସମ୍ବନ୍ଧିତ ଖବର