ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ତାଙ୍କ ବିଧାୟକ ଅନୁଦାନ ପାଣ୍ଠିରେ ଜଣେ ବିଜେପି କର୍ମୀଙ୍କ ଘରର ପାଚେରି ନିର୍ମାଣ କରିବା ଘଟଣାକୁ ନେଇ ବିଧାୟକଙ୍କୁ ଭର୍ତ୍ସନା କରିଛି ବିଜେଡି। ବିଧାୟକ ଗୁଣ୍ଡାଗର୍ଦ୍ଦି, ପ୍ରୀୟାପ୍ରୀତି ତୋଷଣରେ ମାତିବା ସହ ବିଧାୟକ ଅନୁଦାନ ପାଣ୍ଠିର ଅପବ୍ୟବହାର କରୁଛନ୍ତି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦଳ ଦାବି କରିଛି।
ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଂଜନ ବିଶ୍ୱାଳ ଓ ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ, ବିଧାୟକ ଶ୍ରୀ ପାଣିଗ୍ରାହୀ ଦେବଗଡ଼ ମହିଳା ମହାବିଦ୍ୟାଳୟର ପାଚେରି ନିର୍ମାଣ ନିମନ୍ତେ ତାଙ୍କ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିଲେ। ମାତ୍ର ଏହି ଅନୁଦାନରେ ମହିଳା ମହାବିଦ୍ୟାଳୟର ପାଚେରି ପରିବର୍ତ୍ତେ ତାଙ୍କର ଖାସ୍ ଅନୁଗତ ଭୁକାବେଡ଼ା ଗ୍ରାମର ଅଧିବାସୀ ଶିକ୍ଷକ ସୌଭାଗ୍ୟ ପାତ୍ରଙ୍କ ପାଚେରି ନିର୍ମାଣ ହୋଇଛି। ମହିଳା ମହାବିଦ୍ୟାଳୟ ଠାରୁ ସୌଭାଗ୍ୟ ପାତ୍ରଙ୍କ ଘରର ଦୂରତା ହେଉଛି ପ୍ରାୟ ୭ କିମି। ନିକଟରେ ଏହି ଗ୍ରାମର ଜଣେ ବିଜେପି କର୍ମୀ ଏକଥା ଲୋକଲୋଚନକୁ ଆଣିଥିଲେ। ଗଣମାଧ୍ୟମରେ ତଥ୍ୟ ଓ ଚିତ୍ର ସହିତ ଏହି ଖବର ପ୍ରସାରିତ ହେବା ପରେ ଅନିୟମିତତା ଧରା ପଡ଼ିଯିବା ଭୟରେ ବିଧାୟକଙ୍କ ନିର୍ଦ୍ଦେଶରେ ତରବରିଆ ଭାବେ ପାଚେରିରେ ଲେଖା ଯାଇଥିବା ସୂଚନାକୁ ଲିଭାଇ ଦିଆଯାଇଥିଲା। ଫଳରେ ଏହି ଅନିୟମିତତା ଓ ଅର୍ଥ ଲୁଟରେ ବିଧାୟକ ନିଜେ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଛି। ସଂପୃକ୍ତ ଶିକ୍ଷକ ସୌଭାଗ୍ୟ ପାତ୍ର କୌଣସି ଦିନ ସ୍କୁଲ୍ ନଯାଇ ବିଜେପିର ଦଳୀୟ ସଭାସମିତିରେ ସକ୍ରିୟ ଅଂଶଗ୍ରହଣ କରନ୍ତି। କେବଳ ସରକାରୀ ଅର୍ଥ ହରିଲୁଟ୍ ନୁହେଁ, ବିଧାୟକ ଶ୍ରୀ ପାଣିଗ୍ରାହୀ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ପୂର୍ବରୁ ବହୁବାର ପ୍ରମାଣିତ ହୋଇସାରିଛି। ବିଧାୟକ ପାଣ୍ଠିର ଗତ ଚାରି ବର୍ଷ ହେଲା ଯେଉଁ ଅପବ୍ୟବହାର ହୋଇଛି, ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ବିଧାୟକଙ୍କ ବିରୋଧରେ ଓ ସରକାରୀ ଅର୍ଥରେ ନିଜ ଘରର ପାଚେରି ନିର୍ମାଣ କରିଥିବା ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ।
ବିଭିନ୍ନ ଘଟଣାରେ ହୀନ ରାଜନୀତି କରିବାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଉଥିବା ଓଡ଼ିଶା ବିଜେପି ନିଜ ଦଳର ବିଧାୟକଙ୍କ ଏଭଳି ଅନିୟମିତତାର ତଦନ୍ତ ଲାଗି କେବେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇବ ବୋଲି ବିଜେଡି ପ୍ରଶ୍ନ କରିଛି। ସାମ୍ୱାଦିକ ସମ୍ମିଳନୀରେ ଦେବଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଅମରେଶ ଜେନା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/45-12.jpg)