ଭୁବନେଶ୍ୱର: ୧୨୦ ଦିନ ବିତିଯାଇଥିଲେ ବି ହତ୍ୟାକାଣ୍ଡର ଶିକାର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ମିଳି ନଥିବା ଅଭିଯୋଗ କରି ଆଜି ନବୀନ ନିବାସ ଘେରାଉ କରିବାକୁ ଯାଉଛି ବିଜେପି। ଦୋଷୀକୁ ଜାଣିଶୁଣି ଖସାଇଦେବାକୁ ଉଦ୍ୟମ ହେଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଏଥିଲାଗି ରାଜଧାନୀର ରାଜମହଲ ଛକରୁ ନବୀନ ନିବାସ ଅଭିମୁଖେ ବିଜେପିର ରାଲି ବାହାରିଛି। ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବା ସହ ମମିତା ମେହେରଙ୍କୁ ନ୍ୟାୟ ଦାବି କରି ଆରମ୍ଭ ହୋଇଛି ଏହି ରାଲି। ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ନବୀନ ନିବାସ ଅଭିମୁଖେ ଶହଶହ ବିଜେପି ନେତା ଓ କର୍ମୀ ଯାଉଛନ୍ତି।
ଶିଶୁଭବନ ଛକରେ ପୁଲିସ ବାରିକେଡ୍ କରି ରାଲିକୁ ଅଟକାଇବାରୁ ବିଜେପି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଥିବାର ସୂଚନା ମିଳିଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପି କର୍ମୀମାନଙ୍କୁ ପୁଲିସ ଅଟକାଇଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖାଲି ସେତିକି ନୁହେଁ, କେତେକ ବିଜେପି କର୍ମୀଙ୍କୁ ପୁଲିସ ଉଠାଇ ନେଉଥିବାର ବି ସୂଚନା ମିଳିଛି।
ତେବେ ଏହା ପୂର୍ବରୁ ଯେପରି ଅଧିକ ବିଶୃଙ୍ଖଳା ନ ଘଟେ, ସେଥିପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘର ସମ୍ମୁଖରେ ପୁଲିସ୍ ଛାଉଣୀ କରାଯାଇଛି। ଏଣେ ଅନ୍ୟପଟେ ନବୀନ ନିବାସ ସମ୍ମୁଖରେ ସୁରକ୍ଷା ବଢାଇଦିଆଯାଇଛି। ସେହି ଅଞ୍ଚଳରେ ପୁଲିସର ଛାଉଣୀ ଦେଖିବାକୁ ମିଳିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୋଟ ୧୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବାର ସୂଚନା ମିଳିଛି।