ଭୁବନେଶ୍ବର: ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ନାନା ପ୍ରକାର ଚର୍ଚ୍ଚା ହେଉଛି। ନିର୍ବାଚନ ପରେ ବିଜେଡ଼ିକୁ ବଡ଼ ଧକ୍କା ଲାଗିଛି।
ଦଳ ମୋର ସେବାର ଆବଶ୍ୟକତା ଅନୁଭବ କରୁ ନ ଥିବାରୁ ବିଜେଡ଼ି ଛାଡୁଥିବା ନେଇ ସୋସିଆଲ ମିଡ଼ିଆରେ ମମତା ଦର୍ଶାଇଥିଲେ । ତେବେ ଏହାପଛରେ ବିଜେପିର ହାତ ଥିବା ବିଜେଡ଼ି ନେତା ଅଭିଯୋଗ କରିଛନ୍ତି ।
କିନ୍ତୁ ବିଜେଡିର ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେଡ଼ିରେ ସ୍ବାଧୀନତା ନ ଥିଲା, କିଛି ଲୋକ ଦଳ ଚଲାଉଥିଲେ ବୋଲି ମମତାଙ୍କୁ ଲାଗିଥିବାରୁ ସେ ଦଳ ଛାଡିଥିବେ ବୋଲି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି ।
ଗୁରୁବାର ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଏଇଟା ଟ୍ରେଲର, ବିଜେଡ଼ିର ଏହା ଆରମ୍ଭ । ସାଂସଦ ଦଳ ଛାଡିଲେ, ଏହାପରେ ବହୁତ କିଛି ଘଟିବାକୁ ଯାଉଛି । ବିଜେଡ଼ି ଅନ୍ଧାର ଆଡକୁ ମାଡିକି ଯାଉଛି ବୋଲି ସେ କହିଛନ୍ତି । ଓଡିଶାରେ ବିଜେପି ଏବେ ଉଜ୍ଜଳ ଆଲୋକ ପାଲଟିଛି। ସେଥିପାଇଁ ସମସ୍ତେ ବିଜେପିକୁ ଆସିବାକୁ ଇଚ୍ଛା କରୁଛନ୍ତି ।
ଅନ୍ୟପଟେ ମମତା ଦଳ ଛାଡିବା ପରେ ବିଜେଡ଼ିରେ ଅନ୍ତଃକନ୍ଦଳ ବଢିଥିବା ବିଜେପି ଅଭିଯୋଗ କରୁଥିବା ବେଳେ ବିଜେଡ଼ି ନେତା ସୁଧୀର ସାମଲ କହିଛନ୍ତି, ବିଜେଡି ଭଲ ଅବସ୍ଥାରେ ରହିଛି। ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡ଼ି ଆହୁରି ଶକ୍ତିଶାଳୀ ଓ ଶାଣିତ ହୋଇଛି।