ମମିତା ହତ୍ୟାକାଣ୍ଡ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ପୁରୀ ଓ ଜଗତସିଂହପୁରରେ ବିଜେପିର ଜୋରଦାର ଆନ୍ଦୋଳନ

ପୁରୀ: ପୁରୀରେ ବିଜେପି ପକ୍ଷରୁ ବିଶାଳ ରାଲି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ପ୍ରତିବାଦ ଆନ୍ଦୋଳନକୁ ଆଜି ପୁରୀରେ  ଜୋରଦାର କରିଛି ବିଜେପି । ପୁରୀ ବିଜେପି ପକ୍ଷରୁ ଶହଶହ କର୍ମୀ ବିଶାଳ ଶୋଭାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ବାହାରି ଏସପି ଅଫିସ ଅଭିମୁଖେ ଯାଇଛନ୍ତି । ଦୁଇଟି ବ୍ୟାରିକେଡ୍ ଭାଙ୍ଗି ବିଜେପି କର୍ମୀ ଏସପି ଅଫିସକୁ ଧସେଇ ପଶିବା ପାଇଁ ଚେଷ୍ଟା କରିଥିବା ବେଳେ ବିଜେପି କର୍ମୀଙ୍କୁ ପୁଲିସ ଅଟକାଇବା ପାଇଁ ଚେଷ୍ଟା କରିଥିଲା ବୋଲି ଜଣାପଡ଼ିଛି, ଯାହାଫଳରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

ପୂର୍ବ ଘୋଷଣା ଅନୁସାରେ ଗତକାଲି ଏବଂ ଆଜି ଏସପି ଅଫିସ ଘେରାଉ କରାଯାଇଛି । ପୁରା ମାମାଲରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ରହିଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଓ ଗିରଫ ଦାବି କରୁଛି ଦଳ । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ସହ ଜିଲ୍ଲା ସ୍ତରର ଛାମୁଆ ନେତାଙ୍କ ନେତୃତ୍ୱରେ ଆୟୋଜନ ହୋଇଛି ଏହି ପ୍ରତିବାଦ ଶୋଭାଯାତ୍ରା ।

ସେପଟେ ଜଗତସିଂହପୁରରେ ବିଜେପିର ବିକ୍ଷୋଭ ଦେଖିବାକୁ ମିଳିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ କରାଯାଇଛି । ଜଗତସିଂହପୁର ଏସପି ଅଫିସ୍ ଘେରାଉ କରିଛନ୍ତି ବିଜେପି କର୍ମୀ । ବିଜେପି କର୍ମୀ ଏସପି ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବାର ସୂଚନା ମିଳିଛି। ପୁଲିସ ୩୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇ ନେବା ସହ ସହରରେ ୪ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛନ୍ତି ।
ସମ୍ବନ୍ଧିତ ଖବର