ଯାଜପୁର : ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ସୋମବାର ବିଜେପି ପକ୍ଷରୁ ଉଭୟ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦୁଝର ଜିଲ୍ଲାର କେନ୍ଦୁଝର ସଦର ବ୍ଲକ୍, ଆନନ୍ଦପୁର, ଘସିପୁରା, ହାଟଡିହି, ଘଟଗାଁ, ତେଲକୋଇ, ଚମ୍ପୁଆ, ସାହାରପଡ଼ା, ଯୋଡ଼ା ବ୍ଲକ୍ କାର୍ଯ୍ୟାଳୟ ଆଗରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ ଏବଂ ପ୍ରତିବାଦ ସଭା କରିଥିଲେ। ଦଳୀୟ ନେତାମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ମମିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ସେହିପରି ଯାଜପୁର ଜିଲ୍ଲାର ଯାଜପୁର ସଦର ବ୍ଲକ୍, ବଡ଼ଚଣା, ବ୍ୟାସନଗର ପୌରାଞ୍ଚଳରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳୀୟ ନେତାମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ।
/sambad/media/post_attachments/wp-content/uploads/2021/11/pr2.jpg)
ଅନୁଗୁଳ, ଢେଙ୍କାନାଳରେ ବିକ୍ଷୋଭ
ଅନୁଗୁଳ/ଢେଙ୍କାନାଳ : ମମିତା ମେହେର ହତ୍ୟା ମାମଲାର ତାତି ସୋମବାର ଉଭୟ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଅନୁଭୂତ ହୋଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ସଂପର୍କରେ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ ଓ ଗିରଫ ଦାବିରେ ଆନ୍ଦୋଳନକୁ ଜୋରଦାର କରିଛି ବିଜେପି।
ଆଜି ଦଳ ପକ୍ଷରୁ ଅନୁଗୁଳ ଜିଲ୍ଲାର ୮ଟି ଯାକ ବ୍ଲକ୍ରେ ଗଣବିକ୍ଷୋଭ ସାଙ୍ଗକୁ ପ୍ରତିବାଦ ସଭା କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍ ସଦର ମହକୁମାରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ଅଶୋକ ମହାନ୍ତି, ଭବାନୀପ୍ରସାଦ ଜ୍ୟୋତିଷରାୟ ପ୍ରମୁଖ ସାମିଲ ହୋଇଥିଲେ।
ସେହିଭଳି ଢେଙ୍କାନାଳ ଜିଲ୍ଲାର ୮ଟି ଯାକ ବ୍ଲକରେ ବିଜେପି ପକ୍ଷରୁ ଏହି ଆନ୍ଦୋଳନକୁ ଜୋରଦାର କରାଯାଇଥିଲା। ସମସ୍ତ ବ୍ଲକ ସଦର ମହକୁମା ସମେତ ଜିଲ୍ଲା ସଦର ମହକୁମା ଢେଙ୍କାନାଳରେ ବିଜେପିର ନେତା ଓ କର୍ମୀମାନେ ଗଣବିକ୍ଷୋଭରେ ସାମିଲ ହୋଇ ମମିତା ମେହେର ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗ ନେଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମନ୍ତ୍ରିମଣ୍ଡଳରୁ ତୁରନ୍ତ ବରଖାସ୍ତ ସାଙ୍ଗକୁ ଗିରଫ ଲାଗି ଦାବି କରିଥିଲେ। ଆଗାମୀ ଦିନରେ ରାଜ୍ୟବାସୀଙ୍କ ଏହି ଦାବି ନେଇ ବିଜେପି ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ପାର୍ଟିର ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ସାଂସଦ ରୁଦ୍ରମୋହନ ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ।
/sambad/media/post_attachments/wp-content/uploads/2021/11/pr4.jpg)
ହିଞ୍ଜିଳିକାଟୁରେ ଦୁଇ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ହିଞ୍ଜିଳିକାଟୁ : ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ସହିତ ବ୍ରହ୍ମପୁର ସହରରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହାସହ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରାଯାଇଥିଲା। ହିଞ୍ଜିଳିକାଟୁ ଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ରଙ୍କ ନେତୃତ୍ୱରେ କର୍ମୀ ମାନେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଡାକବଙ୍ଗଳା ଛକରୁ ବାହାରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଏବଂ ଦୁଇମନ୍ତ୍ରୀଙ୍କୁ ଦଳ ସାମାଜିକ ବାସନ୍ଦ କରିବ ବୋଲି ଚେତାବନୀ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/pr1.jpg)