ବିଜେପି ଏସସି ମୋର୍ଚ୍ଚା ଅଧ୍ୟକ୍ଷଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଲେ ଚାଷୀ

ଜୟପୁର: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ଅଧ୍ୟକ୍ଷଙ୍କୁ ଚାଷୀମାନେ ଗୋଡ଼ାଇ ଗୋଡାଇ ଆକ୍ରମଣ କରିଛନ୍ତି | ପୁଲିସ ତାଙ୍କୁ ଉଦ୍ଧାର କରିବାରୁ ଅଳ୍ପକେ ତାଙ୍କ ଜୀବନ ବର୍ତ୍ତଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ଅଧ୍ୟକ୍ଷ କୈଳାସ ମେଘୱାଲ ଶ୍ରୀଗଙ୍ଗାନଗର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଳସେଚନ ଅସୁବିଧାକୁ ନେଇ ଆନ୍ଦୋଳନ କରୁଥିଲେ |

ଏହି ସମୟରେ ଚାଷୀମାନେ ସେଠାରେ ପହଂଚି ଆନ୍ଦୋଳନ କରୁଥିଲେ | କୌଣସି କାରଣକୁ ନେଇ କିଛି ଚାଷୀ ଓ ମେଘୱାଲ ଙ୍କ ମଧ୍ୟରେ ବଚସା ହୋଇଥିଲା | ଏହାପରେ ଚାଷୀମାନେ ମେଘୱାଲଙ୍କ ପୋଷାକ ଚିରିଦେବା ସହ ନିସ୍ତୁକ ମାଡ଼ ମାରିଥିଲେ | ସ୍ଥିତି ଏମିତି ହୋଇଥିଲା ଯେ ମେଘୱାଲ ଲହୁଲୁହାଣ ହୋଇଯାଇଥିଲେ | ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା | ତେବେ ଉତ୍ୟକ୍ତ ଚାଷୀମାନେ ପୁଲିସ ଉପରେ ମଧ୍ୟ ଆକ୍ରମଣ କରିଥିଲେ | ଏହାପରେ ପୁଲିସ ଚାଷୀଙ୍କ ଉପରେ ଲାଠିଚାର୍ଜ କରିଥିଲା | ଏଥିରେ କିଛି ଚାଷୀ ଆହତ ମଧ୍ୟ ହୋଇଛନ୍ତି | ବର୍ତ୍ତମାନ ସାରା ସହରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ପୁଲିସ ମୁତୟନ କରାଯାଇଛି | ତେବେ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ ପୁଲିସ ନିରବଦ୍ରଷ୍ଟା ସାଜିବାରୁ ଏଭଳି ଘଟଣା ଘଟିଲା | ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବ୍ୟତିବସ୍ଥ ହୋଇଥିବାବେଳେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି |

ସମ୍ବନ୍ଧିତ ଖବର