ଗୁଣିଆ ଝାଡ଼େ ଲୋ ଡାହାଣୀ...।
୧୯୬୪ ମସିହାରେ ଦିଗ୍‌ଗଜ କଣ୍ଠଶିଳ୍ପୀ ସିକନ୍ଦର ଆଲମ ଗାଇଥିବା ଏହି ଗୀତର ଦୃଶ୍ୟପଟ୍ଟ ଆଜି ବଦଳି ଯାଇଛି। ତୃଣମୂଳ ସ୍ତରର କାହାଣୀ କହୁଛି ‘ଗୁଣିଆ ଡାହାଣୀ ଝାଡ଼େନି’ ଓଲଟା ‘ଡାହାଣୀ ଗଢ଼େ’। ଦୁଇ ପଇସା ରୋଜଗାର ପାଇଁ ତଥା ଦୁଃଖଦୁର୍ଦ୍ଦଶାରେ ଜର୍ଜରିତ ଲୋକଙ୍କର ବିଶ୍ବାସରେ ବିଷ ଦେଇ ଗୁଣିଆ ନିଷ୍ପାପ ନାରୀଟିଏ ଦେହରେ ଡାହାଣୀର କଳଙ୍କ ବୋଳିଦିଏ। କିଛି ଉଦ୍ଦେଶ୍ୟ ପ୍ରଣୋଦିତ ସମ୍ପର୍କୀୟ ବି ସାମିଲ ହୁଅନ୍ତି ଏଭଳି ଚକ୍ରାନ୍ତ‌େର। ପିଲାଖାଇଠୁ ନେଇ ଅମଙ୍ଗୁଳି, ରକ୍ତପିପାସୁ ଆଦିର କଳଙ୍କ ଆପେ ବୋଳି ହୋଇଯାଏ ତା’ ମୁଣ୍ଡରେ। ସତରେ କ’ଣ ଡାହାଣୀ ଅଛନ୍ତି? ସତରେ କ’ଣ ନିଜ ଗୁପ୍ତବିଦ୍ୟାରେ ସେମାନେ କାହା କ୍ଷତି ସାଧନ କରନ୍ତି। ଆସନ୍ତୁ ଜାଣିବା ଡାହାଣୀର କରୁଣ କାହାଣୀ।
ଅନୁସନ୍ଧାନ ଓ ଉପସ୍ଥାପନା: ସସ୍ମିତା ସାହୁ

Advertisment

ଆଜିର ଏଆଇ ଯୁଗରେ ଆପଣ କଳ୍ପନା କରିପାରିବେ କି, ଖଟ ବୁଲି ନ୍ୟାୟ କରୁଛି! ପୁଣି ଏହି ନ୍ୟାୟ ଆଧାରରେ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଗାଁର ୨୧ ଜଣ ମିଶି ଜଙ୍ଗଲରେ ଜିଅନ୍ତା ଜାଳି ଦେଉଛନ୍ତି! ଖାଲି କ’ଣ ସେତିକି; ଏହା ବି କ’ଣ ବିଶ୍ବାସ କରିପାରିବେ କି, ନିରୀହ ତ୍ରିବେଣୀ ଚଣ୍ଡକୁ ଖଟ ବୁଲିବା ଆଧାରରେ ଡାହାଣୀ ଘୋଷଣା କରାଯାଉଛି। ପୁଣି ଉଲଗ୍ନ କରି ଖୁଣ୍ଟରେ ବାନ୍ଧି ମଳ ସର୍ବତ ପିଆଇ ନିସ୍ତୁକ ମାଡ଼ ମରାଯାଉଛି! ଅବିଶ୍ବାସ୍ୟ ମନେହେଉଥିଲେ ବି ଏସବୁ ସତ। ଏମିତି ଘଟଣା ଅହରହଃ ଘଟିଚାଲିଛି ଆମ ଚଉହଦିରେ। ତ୍ରିବେଣୀଙ୍କ ଭଳି ଆଉ ଜଣେ ପୀଡ଼ିତ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ରେଶମା ବେହେରା। ଗତ ୧୯ ତାରିଖରେ ବୁର୍ଲା ଭିମ୍‌ସାର୍‌ର ୧୦ ଜଣ ଡାକ୍ତର ମିଶି ଅସ୍ତ୍ରୋପଚାର ଜରିଆରେ ତାଙ୍କ ମୁଣ୍ଡରୁ ୭୦ଟି ଛୁଞ୍ଚି ବାହାର କରିଛନ୍ତି। ସେତିକିରେ କଥା ସରି ନଥିଲା, ତା’ ପର ଦିନ ପୁଣି ୭ଟି ଛୁଞ୍ଚି କଢ଼ାଯାଇଥିଲା। ଏତେ ସଂଖ୍ୟାରେ ଛୁଞ୍ଚି ରେଶମାଙ୍କ ମୁଣ୍ଡ‌ରେ ପଶିଲା କିଭଳି? ଉତ୍ତର ଥିଲା- ଗୁଣିଗାରେଡ଼ି ବା ତନ୍ତ୍ର ଚିକିତ୍ସା। ‌ମା’ଙ୍କ ମୃତ୍ୟୁପରେ ରେଶମାଙ୍କ ଶରୀର ଅସୁସ୍ଥ ରହୁଥିବାରୁ ତାଙ୍କ ପରିବାର ଚିକିତ୍ସା ବଦଳରେ ଗୁଣିଆର ସାହାରା ନେଇଥିଲେ। ଉକ୍ତ ଗୁଣିଆ ରେଶମାଙ୍କ ମୁଣ୍ଡରେ ଗଳାଇଥିଲା ୭୦ରୁ ଅଧିକ ଛୁଞ୍ଚି। ତାନ୍ତ୍ରିକର ଏଭଳି ତାମସା ସମସ୍ତଙ୍କୁ ତାଜୁବ କରିଛି।

ମୟୂରଭଞ୍ଜ ଜିଲ୍ଲାର ବେତପାଣି (ନୂଆସାହି) ଗାଁର ପାମୀ ମାଝୀ। ବୟସ ପାଖାପାଖି ୬୫। ଅଲରା ଅଡୁଆ କେଶ, ଦିନରାତି ବାୟାଣୀ ଭଳି ଏଣେତେଣେ ବୁଲିବା ସହ ପୂଜାପାଠରେ ତାଙ୍କର ଦିନ କଟେ। ଗାଁରେ କାହାକୁ ରୋଗ ବା ଜ୍ବର ହେଲେ, ବିଲରେ ଭଲ ଫସଲ ନ ହେଲେ, ଗାଈ କ୍ଷୀର ନ ଦେଲେ ସମସ୍ତେ ପାମୀଙ୍କୁ ହିଁ ସନ୍ଦେହ କରନ୍ତି। ପାମୀଙ୍କ ବେଶଭୂଷା ଓ ଚାଲିଚଳଣି ତାଙ୍କୁ ଡାହାଣୀ ସଜେଇ ଦେଇଛି। ଏଥିପାଇଁ ଅନେକ ମାଡ଼ଗାଳି ସହନ୍ତି ପାମୀ। ଦିନେ ଗାଁର ହେଟଗେଜ ‌ପିଙ୍ଗୁଆଙ୍କ ପୁଅ ହିନ୍ଦୁସ୍ତାନୀ ପିଙ୍ଗୁଆଙ୍କୁ ଜ୍ବର ସହ ପ୍ରବଳ କାଶ ହେଲା। ହିନ୍ଦୁସ୍ତାନୀ କେତେ ତୁଟୁକା ଚିକିତ୍ସା କଲା କିଛି ଲାଭ ହେଲାନାହିଁ। ଶେଷରେ ଗୁଣିଆ ଦେଖାଇଲା। ଗୁଣିଆ କହି‌ଲା ହିନ୍ଦୁସ୍ତାନୀକୁ କୁଆଡ଼େ ଡାହାଣୀ ଗ୍ରାସିଛି। ଗୁଣିଆ, ଡାହାଣୀର ଯେଉଁଭଳି ଭାବେ ହୁଲିଆ ବର୍ଣ୍ଣନା କଲା, ହିନ୍ଦୁସ୍ତାନୀ ବୁଝିଗଲା ଯେ ପାମୀ ମାଝୀ ହିଁ ସେଇ ଡାହାଣୀ। ଏଥିପାଇଁ ଗାଁଠୁ ଦୂରରେ ଜଣେ ସମ୍ପର୍କୀୟଙ୍କ ଘରେ ଯାଇ ରହିଲା। କିନ୍ତୁ କାଶ ଭଲ ହେବ କ’ଣ ଦିନକୁ ଦିନ ବଢ଼ିଲା। କାଶରେ ରକ୍ତ ବି ପଡ଼ିଲା। ଶରୀର ଦୁର୍ବଳ ହୋଇଗଲା। ଦେହରୁ ଡାହାଣୀ ଛଡ଼ାଇବା ପାଇଁ ହିନ୍ଦୁସ୍ତାନୀ ଏକ କଟୁରିରେ ପାମୀ ମାଝୀଙ୍କ ମୁଣ୍ଡ-ଗଣ୍ଡି ଅଲଗା କରିଦେଲା। ତାଙ୍କ ସ୍ବାମୀଙ୍କୁ ବି ହତ୍ୟା କଲା।

ଡାହାଣୀ ଓ ଗୁଣିଗାରେଡ଼ି ମାମଲାରେ ଆଗରେ ମୟୂରଭଞ୍ଜ
ଇଏ ଥିଲା ୨୦୧୪ ମସିହା ଡିସେମ୍ବର ୧୮ର ଘଟଣା। ଗତ ୧୦ ବର୍ଷ ଭିତରେ ବି ଥମିନି ଏମିତି ଅମାନୁଷିକ ଘଟଣା। ଏହା ଭିତରେ ଡାହାଣୀ ସନ୍ଦେହଜନିତ ହତ୍ୟା ମାମଲା ବଢ଼ିବାରେ ଲାଗିଛି। ‘ଓଡ଼ିଶା ରାଜ୍ୟ ମହିଳା କମିସନ୍‌’ ଓ ‘ଆକ୍ସନଏଡ୍‌’ର ଏକ ଯୁଗ୍ମ ସର୍ବେକ୍ଷଣ ଅନୁଯାୟୀ, ଓଡ଼ିଶାରେ ଡାହାଣୀ ଓ ଗୁଣିଗାରେଡ଼ି ସଂପର୍କିତ ଘଟଣାର ୮୩% କେବଳ ମୟୂରଭଞ୍ଜ, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, କେନ୍ଦୁଝର, ଗଜପତି ଓ ଗଞ୍ଜାମ ଜିଲ୍ଲ‌ାରେ ଘଟୁଛି। ଏଥିସହ ନବରଙ୍ଗପୁର, ବାଲେଶ୍ବର, ନୟାଗଡ଼, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲା ବି ଏସବୁ ମାମଲାରେ ପଛରେ ନାହିଁ। ତେବେ ଏହି ଶ୍ରେଣୀୟ ଅପରାଧରେ ମୟୂରଭଞ୍ଜ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ କେନ୍ଦୁଝର ଦ୍ବିତୀୟ, ସୁନ୍ଦରଗଡ଼ ତୃତୀୟ, ଗଞ୍ଜାମ ଚତୁର୍ଥ, ରାୟଗଡ଼ା ପଞ୍ଚମ, ମାଲକାନଗିରି ଷଷ୍ଠ ଓ କୋରାପୁଟ ସପ୍ତମ ସ୍ଥାନରେ ରହିଛି। ଡାହାଣୀ ସନ୍ଦେହରେ ହତ୍ୟା ଭଳି ଅପରାଧର କେବଳ ୬୭% ହିଁ ଏହି ୭ଟି ଜିଲ୍ଲାରେ ସଂଗଠିତ ହେଉଥିବା ରେକର୍ଡ କହୁଛି।

ସାଧାରଣ ମହିଳାଟିଏ ‘ଡାହାଣୀ’ ହୋଇଯାଏ କେମିତି?
ଆଦିବାସୀ ସମ୍ପ୍ରଦାୟରେ ଏକ ବଦ୍ଧମୂଳ ବିଶ୍ବାସ ରହିଛି, ‘ଆତୁରେ ଡାଏନ୍‌ ବାନୁଃକୱାସେ ବୀରରେକୁଲ ବାନୁଃକୱା’। ଅର୍ଥାତ ଜଙ୍ଗଲରେ ବାଘ ସିଂହ ରହିବା ଭଳି ଗାଁରେ ଡାହାଣୀ ରହିବା ସ୍ବାଭାବିକ। ଡାହାଣୀ ତା’ର ଗୁପ୍ତବିଦ୍ୟା ପ୍ରୟୋଗ କରି ଯାହାକୁ ଇଚ୍ଛା ତାକୁ ମାରି ଦେଇପାରେ ବୋଲି ସେମାନେ କହନ୍ତି। ମାତ୍ର ଦୁଇତିନି ଧାଡ଼ିର ମନ୍ତ୍ର ମୁଖସ୍ଥ କରି ଯେ କେହି ବି ଡାହାଣୀ ହୋଇପାରେ। ଡାହାଣୀ ମନ୍ତ୍ର ଶିକ୍ଷା ପରେ ‌ଏହା କେତେ ଶକ୍ତିଶାଳୀ ହେଉଛି ତାହା ୩ଟି ଜୀବନର ବଳିଦାନ ଉପରେ ନିର୍ଭର କରେ। ପେଟ ଅର୍ଥାତ ସନ୍ତାନର ବଳିଦାନ, ପିଠି ଅର୍ଥାତ୍‌ ସହୋଦର ଭାଇ ବା ଭଉଣୀ ଏବଂ ସୀମନ୍ତର ସିନ୍ଦୂର ବା ସ୍ବାମୀର ବଳିଦାନ। ଏଣୁ ପ୍ରବାଦ ଅଛି ‘ନୂଆ ଡାହାଣୀ ଛୁଆ ଖାଏ’। ଏହି ନ୍ୟାୟରେ କାହାର ସନ୍ତାନ ଅଳ୍ପ ବୟସରେ ଚାଲିଗଲେ ବା ଗାଁରେ ଶିଶୁମୃତ୍ୟୁ ଘଟିଲେ, ଅବା ଯୁବାବସ୍ଥାରେ କାହାର ମୃତ୍ୟୁ ଘଟିଲେ ବା କାହା ସ୍ବାମୀଙ୍କ ଅକାଳ ବିୟୋଗ ହେଲେ; ଗାଁଲୋକ ଉକ୍ତ ମହିଳାଙ୍କୁ ଅତି ସହଜରେ କହିବୁଲି ଡାହାଣୀ ସଜାଇ ଦିଅନ୍ତି। ସାଧାରଣତଃ ଦଳିତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଅନ୍ଧବିଶ୍ବାସ ହେତୁ ଡାହାଣୀ ସନ୍ଦେହରେ ହତ୍ୟା ଭଳି ମାମଲା ଅଧିକ ଦେଖାଯାଉଛି। ଦାରିଦ୍ର୍ୟ, କୁପୋଷଣ, ରୋଗଗ୍ରସ୍ତତା ଓ କୁସଂସ୍କାରାଚ୍ଛନ୍ନ ସମାଜରେ ଏଭଳି ଅପରାଧର ସଂଖ୍ୟା ଅଧିକ ହେବା ସ୍ବାଭାବିକ।

ଆଧାରହୀନ ଡାହାଣୀ ଚିହ୍ନଟ ପଦ୍ଧତି
ଘରେ କାହାର ଦେହ ଖରାପ ହେଲେ, ପଶୁପକ୍ଷୀ ମଲେ, ଅଭାବ ଓ ଅଶାନ୍ତି ଲାଗିରହିଲେ, ଚୋରି ହେଲେ, ଶିଶୁ ବା ଯୁବାବସ୍ଥାରେ କାହାର ମୃତ୍ୟୁ ଘଟିଲେ; ପରିସ୍ଥିତିର ସାମ୍ନା ନକରି ତଥା ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରି କିଛି ଲୋକ ଗୁଣିଗାରେଡ଼ିର ଆଶ୍ରୟ ନେଇଥା’ନ୍ତି। ଗୁଣିଆ ଏହି ଅସହାୟତାର ଫାଇଦା ଉଠାଇ ଲୋକଙ୍କ ଭାବନା ସହ ଖେଳନ୍ତି। ଖାଲି ତ’ କାହାକୁ ଡାହାଣୀ କହିଦେଲେ ହେବ ନାହିଁ, ଏହାକୁ ପ୍ରମାଣ କରିବାକୁ ପଡ଼ିବ। ଏଣୁ ବିଭିନ୍ନ ଭେଳିକି କରି ଡାହାଣୀ ଚିହ୍ନଟ କରନ୍ତି। ଏମିତି କିଛି ତଥାକଥିତ ଡାହାଣୀଧରା ପଦ୍ଧତି ହେତୁବାଦୀ ଦେବେନ୍ଦ୍ର ସୂତାର ତାଙ୍କର ‘ଡାହାଣୀର କାହାଣୀ’ ପୁସ୍ତକରେ ଉପସ୍ଥାପନ କରିଛନ୍ତି।

publive-image

ନଖ ଦର୍ପଣ
ଅଲୌକିକ ଶକ୍ତି ବଳରେ ନଖକୁ ‘ଦର୍ପଣ’ରେ ରୂପାନ୍ତରିତ କରିବା ପଦ୍ଧତି ହେଉଛି ‘ନଖ ଦର୍ପଣ’। ଡାହାଣୀ ଚିହ୍ନଟ କରିବା ଏବଂ ଚୋର ଧରିବା ଆଦି କ୍ଷେତ୍ରରେ ନଖ ଦର୍ପଣ କରାଯାଏ। ଯାହାକୁ ଡାହାଣୀ ଭାବେ ସନ୍ଦେହ କରାଯାଏ ବା ଯାହା ଘରୁ ଚୋରି ହୋଇଥାଏ, ସେହି ପରିବାରର ବା ନିକଟ ସମ୍ପର୍କୀୟ ଶିଶୁ, କିଶୋର ବା ମହିଳାଙ୍କୁ ନେଇ ନଖ ଦର୍ପଣ କରାଯାଏ। ବାସ୍ତବରେ ଏହା ଏକ ‘ସମ୍ମୋହନ ବିଦ୍ୟା’। ନଖ ଦର୍ପଣ ପାଇଁ ବଛା ଯାଇଥିବା ବ୍ୟକ୍ତିଙ୍କ ଆଗରେ ଗୁଣିଆ ବା ପରିବାର ଲୋକ ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ବାରମ୍ବାର ଆଲୋଚନା କରନ୍ତି। ପରେ ତାଙ୍କ ବୃଦ୍ଧାଙ୍ଗୁଠିରେ ସୋରିଷ ତେଲ, ସିନ୍ଦୂର ଓ କଳା ଲଗାଇ ଗୁଣିଆ ମନ୍ତ୍ର ଉଚ୍ଚାରଣ କରେ ଓ କହେ ଧ୍ୟାନସ୍ଥ ହୋଇ ଦେଖ- ବୃଦ୍ଧାଙ୍ଗୁଠି ନଖରେ ଚୋର କିମ୍ବା ଡାହାଣୀର ଚିତ୍ର ଭାସିଉଠିବ। ମନରେ ଥିବା ସନ୍ଦେହ ଓ ଗୁଣିଆ ପ୍ରତି ବିଶ୍ବାସ ଯୋଗୁଁ ବ୍ୟକ୍ତିର ମସ୍ତିଷ୍କ କୋଷିକାରେ କିଛି ଛବି ଭାସିଉଠେ, ଯାହାକୁ ସେ ନଖରେ ସ୍ବଚକ୍ଷୁରେ ଦେଖିଥିବା ଭଳି ଲାଗେ। ଏହାକୁ ମନୋବିଜ୍ଞାନ ଭ‌ାଷାରେ ‘ଭିଜୁଆଲାଇଜେସନ୍‌’ କୁହାଯାଏ। ଏଥିସହ ନଖରେ ଲାଗିଥିବା ସୋରିଷ ତେଲ, ‌ସିନ୍ଦୂର ଓ ଅଳତା ଯୋଗୁଁ ଚିକ୍‌ଚିକ୍‌ କରୁଥିବା ନଖରେ କିଛି ଅସ୍ପଷ୍ଟ ପ୍ରତିବିମ୍ବକୁ ଦେଖି ବ୍ୟକ୍ତି ଭାବେ ସେ ନଖରେ କିଛି ଦେଖୁଛି। ସଭ୍ୟ ଓ ଶିକ୍ଷିତ ସମାଜରେ ଏହାକୁ ଅନେକ ଗ୍ରହଣ କରୁ ନଥିବା ବେଳେ ଏବେ ବି କିଛି ଗ୍ରାମରେ ଲୋକେ ଏହି ଅନ୍ଧବିଶ୍ବାସରେ ଭରସା କରିଥା’ନ୍ତି।

କୁଲା ବୁଲା
ମୋର ଚାକିରି ହେବ କି ନାହିଁ, ଆସନ୍ତାବର୍ଷ ଝିଅର ବିବାହ ହେବ କି ନାହିଁ, ମୋ ଗାଡ଼ି ରାମୁ ଚୋରି କରିଛି କି ନାହିଁ, ସେ ମୋ ଗାଈକୁ ମାରିଛି କି ନାହିଁ? ଏସବୁ ପ୍ରଶ୍ନର ଉତ୍ତର ପାଇବାକୁ ଆପଣ କ’ଣ କରିବେ? ଥାନାପୁଲିସ କରିବେ। କିନ୍ତୁ ଏବେ ବି କେତେକ ଅଞ୍ଚଳରେ ଏଭଳି ପ୍ରଶ୍ନର ଉତ୍ତର ପାଇବା ପାଇଁ ‘କୁଲା ବୁଲାଯାଉଛି’। ଆଉ ଗୁଣିଆଟିଏ ପାରିଶ୍ରମିକ ନେଇ ଏ କାମ କରୁଛି। କୁଲା ବୁଲା ଦ୍ବାରା ଚୋର ଧରିବା, ଡାହାଣୀ ଓ ଗୁଣିଆ ଚିହ୍ନଟ କରିବା ଆଦି ଢେର୍‌ ଆଗରୁ ପ୍ରଚଳିତ। ‘କୁଲା ବୁଲା’ କ’ଣ? ଗୋଟିଏ କୁଲାର ଉପର ପଟର ମଝି ଭାଗରେ ଏକ ଲମ୍ବା କଇଁଚିକୁ ପୂରେଇ ଦିଆଯାଏ। କୁଲାକୁ ‘କୁଲା ବୁଲା’ ପାଇଁ ପ୍ରସ୍ତୁତ କରିବା ପରେ ଗୁଣିଆ ମନ୍ତ୍ର ପଢ଼େ। ମନ୍ତ୍ର ପଢ଼ିବା ବେଳେ ପ୍ରଶ୍ନକର୍ତ୍ତା କଇଁଚିର ଗୋଟିଏ ପଟ ହ୍ୟାଣ୍ଡେଲରେ ନିଜ ମଧ୍ୟମ ଆଙ୍ଗୁଠି ରଖନ୍ତି। ଅନ୍ୟ ହ୍ୟାଣ୍ଡେଲରେ ପ୍ରଶ୍ନକର୍ତ୍ତାଙ୍କ କେହି ପରିଚିତ ବ୍ୟକ୍ତି ନିଜର ମଝି ଆଙ୍ଗୁଠି ରଖନ୍ତି। ଏହାପରେ ତାନ୍ତ୍ରିକ ପ୍ରଶ୍ନକର୍ତ୍ତାକୁ ମନେ ମନେ ନିଜ ପ୍ରଶ୍ନ ଦୋହରାଇବାକୁ କହନ୍ତି। ପ୍ରଶ୍ନର ଉତ୍ତର ଯଦି ‘ହଁ’ ତେବେ କୁଲା ଘୂରିବ। ଯଦି ଉତ୍ତର ‘ନା’ ତେବେ କୁଲା ସ୍ଥିର ରହିବ। ତେବେ ଏହା ଏକ ଅବଚେତନ ମନର ଖେଳ ବୋଲି ମନସ୍ତତ୍ତ୍ବବିତ୍‌ମାନେ କହିଥା’ନ୍ତି।

ଖଟ ବୁଲା
ଚୋର ଓ ଡାହାଣୀ ଧରିବା ପାଇଁ ବି ‘ଖଟବୁଲା’ ବେଶ୍ ଜଣାଶୁଣା । ‘ନଖ ଦର୍ପଣ’ ଭଳି ‘ଖଟ ବୁଲା’ ପୂର୍ବରୁ ପ୍ରଚଳିତ ଥିଲା। ବିଶେଷ କରି ଏଥିପାଇଁ ‘ଦଉଡ଼ିଆ ଖଟ’ ବ୍ୟବହାର କରାଯାଏ। ପ୍ରଥମେ ତାନ୍ତ୍ରିକ ପୂଜାପାଠ କରି ଗଞ୍ଜାଟେ ବଳି ଦିଏ, ବେଳେବେଳେ ନିଜ ଶରୀରକୁ କ୍ଷତାକ୍ତ କରି ଅଜଣା ଦେବଦେବୀଙ୍କୁ ରକ୍ତ ଅର୍ପଣ କରିବା ବି ଦେଖାଯାଏ। ଖଟର ଚାରି ଖୁରାକୁ ଚାରିଜଣ ବ୍ୟକ୍ତି କାନ୍ଧରେ ଧରନ୍ତି। ୨/୪ ମିନିଟ୍‌ ଯିବା ପରେ ଖଟର ଓଜନ ବଢ଼ୁଥିବା କଥା ତାନ୍ତ୍ରିକ କହେ। ଖଟ ବୋହୁଥିବା ୪ ଜଣ ଏଥିରେ ସମ୍ମତି ପ୍ରକାଶ କରନ୍ତି। ଖଟ ଧୀରେ ଧୀରେ ହଲିବା ଆରମ୍ଭ କରେ, କେତେ ମିନିଟ ମଧ୍ୟରେ ଖଟ ଧରାଳିମାନେ ଠେଲାପେଲା ହୋଇ ଚାଲିବା ଆରମ୍ଭ କରନ୍ତି ଓ ଦୌଡ଼ନ୍ତି। ଏହି ଅବସ୍ଥାରେ ଖଟଟି ଯାହା ଦୁଆରେ ଅଟକେ, ତାକୁ ଡାହାଣୀ କିମ୍ବା ଚୋର ଭାବେ ଚିହ୍ନଟ କରାଯାଏ। ଅସଲରେ, କାହାକୁ ଡାହାଣୀ ବା ଚୋର ଚିହ୍ନଟ କରାଯିବ ତାହା ଗାଁ ଲୋକ ଆଗରୁ ସ୍ଥିର କରିସାରିଥା’ନ୍ତି ଏବଂ ଏହି ଚକ୍ରାନ୍ତରେ ଖଟ ଧରାଳିଙ୍କ ସହ ତାନ୍ତ୍ରିକ ସାମିଲ ଥାଏ।

ଅଟାଗୁଳା
ଅଟାଗୁଳା ପାଣିରେ ପଡ଼ିଲେ ବୁଡ଼ିଯାଏ। କିନ୍ତୁ ଯାହା ନାଁ ନେଇ ପାଣିରେ ପଡ଼ିଥିବା ଅଟାଗୁଳା ଭାସିବ; ସେ ମହିଳା ଡାହାଣୀ। ଏହି ପଦ୍ଧତିରେ ଗୁଣିଆ ଅଟାକୁ ତନ୍ତ୍ରମନ୍ତ୍ର କରି ପାଣିରେ ଚକଟେ। ପରେ ଗୁଳା ଗୁଳା କରି ଗାଁର ଜଣେ ଜଣେ ମହିଳାଙ୍କ ନାମ ନେଇ ପାଣିରେ ପକାଏ। ଯେଉଁ ମହିଳାଙ୍କ ନାମ ନେଇ ପଡ଼ିଥିବା ଅଟା ଗୁଳା ଭାସେ ସେ ହୋଇଯାଏ ‘ଡାହାଣୀ’। ହେଲେ ଏମିତି କେମିତି ଘଟେ? ବାସ୍ତବରେ ଗୁଣିଆ, ଗାଁ ଲୋକଙ୍କଠାରୁ ପୂର୍ବରୁ ହିଁ ଡାହାଣୀ ସନ୍ଦେହ କରାଯାଉଥିବା ମହିଳାଙ୍କ ସମ୍ପର୍କରେ ବୁଝିନିଏ। ଉକ୍ତ ମହିଳାଙ୍କ ଅଟାଗୁଳାରେ ଥର୍ମୋକଲ୍‌ ବା ଶୋଲ ଭର୍ତ୍ତି କରି ସେ ପାଣିରେ ପକାଏ। ଫଳରେ ପାଣିରେ ଉକ୍ତ ମହିଳାଙ୍କ ନାମ ନେଇ ପକାଯାଇଥିବା ଅଟାଗୁଳା ଭାସେ।

ଧଳା ଲୁଗାରେ ଲାଲ୍‌ ପଦଚିହ୍ନ
ଧୋବ ଫରଫର ଲୁଗାରେ ଯାହାର ରକ୍ତଭିଜା ପାଦଚିହ୍ନ ପଡ଼ିବ ସେ ଡାହାଣୀ! ଗୁଣିଆ ଏକ ଧଳା ଲୁଗାକୁ ମାଟିରେ ବିଛାଏ। ଗ୍ରାମର ମହିଳାମାନଙ୍କୁ ଏହା ଉପରେ ଚାଲିବାକୁ କୁହାଯାଏ। ଗୁଣିଆ ମନ୍ତ୍ର ପଢ଼େ, ପ୍ରତ୍ୟେକଙ୍କ ପାଦରେ ଅରୁଆ ଚାଉଳ, ପତ୍ର, ଦୂବ, ଫୁଲ ଆଦି ପକାଏ। ତା’ପରେ ପାଦରେ ପାଣି ଢାଳେ। ଦେଖାଯାଏ, ମହିଳାଙ୍କ ଭିତରୁ ଜଣେ କିମ୍ବା ଦୁଇ ଜଣଙ୍କର ନାଲି ପାଦଚିହ୍ନ ଲୁଗାରେ ପଡ଼େ। ଆଉ ସେମାନେ ସାଧାରଣ ମଣିଷରୁ ପାଲଟି ଯାଆନ୍ତି ‘ଡାହାଣୀ’। ହେଲେ ଏତେ ଜଣଙ୍କ ମଧ୍ୟରେ ଜଣେ, ଦୁଇ ଜଣଙ୍କ ସହ ଏଭଳି କାହିଁକି ହେଲା? ବାସ୍ତବରେ ଗାଁ ଲୋକ ସନ୍ଦେହ କରୁଥିବା ମହିଳାଙ୍କୁ କିମ୍ବା ତାନ୍ତ୍ରିକ ନିଜେ ଚାହୁଁଥିବା ମହିଳାଙ୍କୁ ସେ ନିଜେ ‘ଡାହାଣୀ’ ସଜେଇ ଦିଏ। ପୂର୍ବରୁ ତାନ୍ତ୍ରିକ ଜଣକ ଉକ୍ତ ଧଳା ଲୁଗାକୁ ଚୁନ ପାଣିରେ ଧୋଇ ଶୁଖାଇ ଆଣିଥ‌ାଏ। ଧଳା ରଙ୍ଗର ଲୁଗା ହୋଇଥିବାରୁ ଚୁନ ଲାଗିଥିବା କଥା କେହି ଜାଣିପାରନ୍ତି ନାହିଁ। ତାନ୍ତ୍ରିକ ଦୁଇଟି ପାତ୍ରରେ ସାଧା ପାଣି ଓ ତେନ୍ତୁଳି ପାଣି ରଖିଥାଏ। ତାନ୍ତ୍ରିକ ଯେଉଁ ମହିଳାଙ୍କୁ ‘ଡାହାଣୀ’ ସଜାଇବାକୁ ସ୍ଥିର କରିଥାଏ, ତାହାଙ୍କ ପାଦରେ ତେନ୍ତୁଳି ପାଣି ପକାଇଥାଏ। ତେନ୍ତୁଳି ପାଣି ଲୁଗାରେ ଥିବା ଚୁନ ସହ ରସାୟନିକ ପ୍ରତିକ୍ରିୟା କରି ଲାଲ୍‌ ରଙ୍ଗର ହୋଇଥାଏ। ଫଳରେ ମହିଳାଙ୍କ ଲାଲ୍‌ ପଦଚିହ୍ନ ଲୁଗାକୁ ଆସିଥାଏ।