ଆସିକା : ଗଞ୍ଜାମ ଜିଲ୍ଲା ବାଲିପଦର, ଆସିକା, ଭେଟନଈ ଅଞ୍ଚଳରେ ବହୁ ବର୍ଷ ଧରି ଦେଖିବାକୁ ମିଳୁଥିବା ବିରଳ କୃଷ୍ଣସାର ମୃଗ(ବ୍ଲାକ୍‌ବକ୍‌) ବଂଶ ଏବେ ସଂକଟରେ। ଦୁର୍ଘଟଣାରେ, ହିଂସ୍ର ଜନ୍ତୁ ହାବୁଡ଼ରେ ପଡ଼ି ବା ଶିକାରୀ ହାତରେ ଏମିତି ପ୍ରାୟ ପ୍ରତ୍ୟେକ ଦିନ ଗୋଟିଏ ଦୁଇଟି କୃଷ୍ଣସାର ପ୍ରାଣ ହରାଉଛନ୍ତି। ଗତକାଲି ଭେଟନଈ ଜଗତ ପଡ଼ିଆରୁ ଏକ ଅଣ୍ଡିରା କୃଷ୍ଣସାରର ଅଧା ଖଣ୍ଡିଆ ମୃତଦେହ ଉଦ୍ଧାର କରା ଯାଇଥିଲା। ଆଜି ଆସିକା ବନାଞ୍ଚଳ ଭେଟନଇ ଅଞ୍ଚଳରୁ ପୁଣି ଏକ କୃଷ୍ଣସାର ମୃଗର କଙ୍କାଳ ମିଳିଥିବା ସୂଚନା ମିଳିଛି। କଙ୍କାଳଟି ନିକଟସ୍ଥ ଧାନବିଲ ପାଖ ଏକ ବୁଦା ମଧ୍ୟରେ ପଡ଼ିଥିଲା।

Advertisment

ଏହି କଙ୍କାଳ ମିଳିବା ଘଟଣା କୃଷ୍ଣସାର ସୁରକ୍ଷା ନେଇ ବନ ବିଭାଗର ତତ୍ପରତାକୁ ପଦାରେ ପକାଇଛି।

ଗତକାଲି ଜବତ ହୋଇଥିବା ମୃତ କୃଷ୍ଣସାରଟି ବନ ବିଭାଗ ଓ୍ଵାଚ ଟାଓ୍ଵାର ନିକଟରେ ପଡ଼ିଥିଲା। ମାତ୍ର ତା’ ଉପରେ ବିଭାଗୀୟ ଅଧିକାରୀଙ୍କ ନଜର ନପଡ଼ିବା ଉଦ୍‌ବେଗର ବିଷୟ ବୋଲି ଗଞ୍ଜାମ ଜିଲ୍ଲା କୃଷ୍ଣସାର ସୁରକ୍ଷା ସମିତିର ସଭାପତି ଅମୂଲ୍ୟ ଉପାଧ୍ୟାୟ କହିଛନ୍ତି। ତେବେ କୃଷ୍ଣସାର କଙ୍କାଳ ମିଳିବା ନେଇ କୌଣସି ସୂଚନା ବନ ବିଭାଗ ପାଖରେ ନଥିବା ବନାଞ୍ଚଳ ଅଧିକାରୀ ହରିହର ମଳିକ କହିଛନ୍ତି।

publive-imageକେବଳ ଗଞ୍ଜାମରେ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଥିବା ବିରଳ କୃଷ୍ଣସାରର ବଂଶ ରକ୍ଷା, ସେମାନଙ୍କ ସୁରକ୍ଷା ଲାଗି ସରକାର କିମ୍ବା ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଗଲା କିଛି ବର୍ଷ ଭିତରେ କୃଷ୍ଣସାରଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ଘଟିଥିଲା। କେବଳ ଆସିକା ବନାଞ୍ଚଳରେ ୨୦୧୫ ଗଣନା ଅନୁସାରେ ୨୬୧୮ଟି କୃଷ୍ଣସାର ଥିଲେ। ବନ ବିଭାଗ ପକ୍ଷରୁ ଦିଆ ଯାଇଥିବା ତଥ୍ୟ ଅନୁସାରେ ୨୦୧୬ରେ ପ୍ରାକୃତିକ କାରଣରୁ ୬ଟି, ଦୁର୍ଘଟଣାରେ ୨ଟି, ପରସ୍ପର ମଧ୍ୟରେ ଲଢ଼େଇରେ ଚାରିଟି, ହିଂସ୍ରଜନ୍ତୁ ଆକ୍ରମଣରେ ୩ଟି ଏଭଳି ୧୫ କୃଷ୍ଣସାରଙ୍କ ମୃତ୍ୟୁ ଘଟିଛି। ତେବେ ବେସରକାରୀ ଭାବେ ଏହି ସଂଖ୍ୟା ବହୁ ଅଧିକ। ଖାଦ୍ୟ ଅନେ୍ଵଷଣରେ ଜନବସତି ମଧ୍ୟକୁ ପଳାଇ ଆସୁଥିବା, ରାସ୍ତା ପାର ହେଉଥିବା ବେଳେ ଗାଡ଼ି ଧକ୍କାରେ ପ୍ରାୟ ଅଧିକାଂଶ ଦିନ କୃଷ୍ଣସାରଙ୍କ ମୃତ୍ୟୁ ଘଟୁଛି। ଏହାଛଡ଼ା ଲୁଚା ଚୋରାରେ ଶିକାରୀଙ୍କ ଦ୍ୱାରା ଅନେକ ମରୁଛନ୍ତି, ଯାହା ବନ ବିଭାଗ ରେକର୍ଡକୁ ନେଉନାହିଁ। ପୋଲସରାରୁ ଉଦ୍ଧାର ଗୋଟିଏ, ଆସିକାରୁ ଉଦ୍ଧାର ୩ଟି ଏଭଳି ଦୁଇ ଅଣ୍ଡିରା, ଦୁଇଟି ମାଈ କୃଷ୍ଣସାରଙ୍କୁ ଗତକାଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଯାଇଛି। ପୂର୍ବରୁ ଦୁଇ ବର୍ଷ ତଳେ ୪ଟି ଓ ଗତ ବର୍ଷ ୩ଟି ଉଦ୍ଧାର ହୋଇଥିବା କୃଷ୍ଣସାରଙ୍କୁ ନନ୍ଦନକାନନରେ ଛଡ଼ା ଯାାଇଥିଲା। ଆଜି ସୁଦ୍ଧା ନନ୍ଦନକାନନ ପଠା ଯାଇଥିବା ସମସ୍ତ ୧୧ଟି ଯାକ କୃଷ୍ଣସାର ସୁସ୍ଥ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।