ବାରୁଦ ଗଦାରେ ଗୁଣପୁର: ପରିବେଶ ମଞ୍ଜୁରୀ, ବ୍ଲାଷ୍ଟିଂ ଅନୁମତି ନ ଥାଇ ଚାଲିଛି ପଥର ଖାଦାନ

ଓକିଲଗୁଡା ଘଟଣାର ତଦନ୍ତ ନିର୍ଦେଶ ଦେଲେ ଉପଜିଲ୍ଲାପାଳ, ମୃତକଙ୍କ ପରିବାରକୁ ୨୦, ଆହତଙ୍କୁ ୧୦ ଲକ୍ଷ ସହାୟତା ଦାବି

ରାୟଗଡ଼ା: ବେଆଇନ ଭାବେ ଆନ୍ଧ୍ରରୁ ଆସୁଛି ବିସ୍ଫୋରକ। ଜିଲୋଟିନ୍, ଡିଟୋନେଟର୍ ସହ ବହୁ ସାମଗ୍ରୀକୁ ଲୁଚାଛପାରେ ଆଣି କରାଯାଉଛି ବ୍ୟବହାର। ଅସୁରକ୍ଷିତ ଭାବେ ଏହି ବିସ୍ଫୋରକ ସାମଗ୍ରୀକୁ ରଖି ପୁଲିସ୍, ପ୍ରଶାସନର ଅଜାଣତରେ ବ୍ୟବହାର କରୁଛନ୍ତି ଠିକାଦାର ଓ ଲିଜଧାରୀ। ଯାହାର କରୁଣ ପରିଣତି ଆଜି ଗୁଣପୁର ଓକିଲଗୁଡ଼ା ପଥର ଖାଦାନରେ ଦେଖିବାକୁ ମିଳିଛି। ବେଆଇନ ଭାବେ ବିସ୍ଫୋରକ ମହଜୁଦ୍ ରଖାଯାଇଥିବା ବେଳେ ବିସ୍ଫୋରଣ ଘଟିବା କାରଣରୁ ଅକାଳରେ ୩ ଜୀବନ ଚାଲିଯାଇଛି। ୫ ଶ୍ରମିକ ଆହତ ହୋଇଛନ୍ତି। ପରିବେଶ ମଞ୍ଜୁରୀ ଓ ବ୍ଲାଷ୍ଟିଂ ଅନୁମତି ନଥାଇ କିପରି ଲିଜଧାରୀ ବିସ୍ଫୋରକ ମହଜୁଦ୍ ରଖିଥିଲେ ତାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଗୁଣପୁର ଉପଜିଲ୍ଲାପାଳ ସୋନାଲ ଜେନା।

ରାୟଗଡ଼ା ଜିଲ୍ଲା ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ବ୍ଲାଷ୍ଟିଂ ପାଇଁ ଆବଶ୍ୟକ ବିସ୍ଫୋରକ ସାମଗ୍ରୀର ବ୍ୟବହାର ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ। ପଥର ଖାଦାନ ସହ ଅନ୍ୟାନ୍ୟା ସାମଗ୍ରୀ ବ୍ଲାଷ୍ଟିଂ ପାଇଁ ସଂପୃକ୍ତ ଲିଜଧାରୀ ଓ ବ୍ୟକ୍ତି ଜିଲ୍ଲା ପ୍ରଶାସନ ନିକଟରେ ଲାଇସେନସ୍ ଆବେଦନ କରିବାର ନିୟମ ରହିଛି। ଜିଲ୍ଲାପାଳ, ଏସପି ଯୁଗ୍ମ ଭାବେ ଆବେଦନର ତଦାରଖ କରିବା ପରେ ଆବେଦନକାରୀଙ୍କୁ ଲାଇସେନସ୍ ପ୍ରଦାନର ନିୟମ ରହିଛି। କିନ୍ତୁ ରାଜସ୍ବ ନିଶାରେ ଜିଲ୍ଲା ସାରା ପ୍ରଶାସନ ପଥର ଖାଦାନକୁ ଲିଜ୍ ଦେଇଥିବା ବେଳେ କାହାକୁ ବ୍ଲାଷ୍ଟିଂ ଅନୁମତି ଦେଇନି।

ସେହିପରି ପରିବେଶ ମଞ୍ଜୁରୀ ମଧ୍ୟ ଅଧିକାଂଶ ପଥର ଖାଦାନର ନାହିଁ। ପରିବେଶ ଓ ସୁରକ୍ଷା ବିଭାଗର ନିୟମକୁ ଉଲ୍ଲଂଘନ କରି ଜିଲ୍ଲାରେ କ୍ରସର ୟୁନିଟ୍ ଚାଲିଥିବା ବେଳେ ବ୍ଲାଷ୍ଟିଂ ପାଇଁ ଲୁଚାଛପାରେ ଆନ୍ଧ୍ରରୁ ଆସୁଛି ବିସ୍ଫୋରକ। ଅସାଧୁ ଅଧିକାରୀଙ୍କୁ ହାତ କରି ଲିଜଧାରୀ ସତର୍କତାର ସହ ବିସ୍ଫୋର ସାମଗ୍ରୀ ଆଣିବା ପରେ ବିଭିନ୍ନ ଜଙ୍ଗଲ ଓ ଖାଦାନ ନିକଟରେ ଲୁଚାଇ ରଖୁଛନ୍ତି। ପୁଲିସ୍, ପ୍ରଶାସନର ଅଜାଣତରେ ରାତିରେ, ଭୋରରେ ଖାଦାନ ଗୁଡ଼ିକରେ ବ୍ଲାଷ୍ଟିଂ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ବେ ପ୍ରଶାସନିକ ଅଧିକାରୀ, ତହସିଲ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଗୁଣପୁର ଉପଖଣ୍ଡର ବିଭିନ୍ନ ବ୍ଲକରେ ୧୫ରୁ ଉର୍ଧ୍ବ ପଥର ଖାଦାନ ରହିଥିବା ବେଳେ ପୁଲିସ୍ ଅଜାଣତରେ ଶହ ଶହ କୁଇଣ୍ଟାଲର ବେଆଇନ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରହିଛି। ଫଳରେ ଏବେ ବାରୁଦ ଗଦା ଉପରେ ରହିଛି ଗୁଣପୁର ଉପଖଣ୍ଡ। ସୁରକ୍ଷା ଗାଇଡ୍ ଲାଇନକୁ ଉଲ୍ଲଂଘନ କରି ଖାଦାନରେ ବ୍ଲାଷ୍ଟିଂ ସହ ପଥର ଉତ୍ତୋଳନ କାମ ଚାଲିଥିବାରୁ ଆଜି ଓକିଲଗୁଡାରେ ଏଭଳି ଘଟଣା ଘଟିଛି। ଗତ କିଛି ମାସ ତଳେ ଗୁଣପୁର ତହସିଲ ପକ୍ଷରୁ ୫ ବର୍ଷ ପାଇଁ ଓକିଲଗୁଡା ଖାଦାନ ପ୍ରତାପ ଯୋଗୀଙ୍କୁ ଲିଜ୍ ସୂତ୍ରରେ ଦିଆଯାଇଥିଲା। କିନ୍ତୁ ଆଜି ସୁଦ୍ଧା ଖାଦାନର ପରିବେଶ ମଞ୍ଜୁରୀ କିମ୍ବା ବ୍ଲାଷ୍ଟିଂ ଅନୁମତି ନଥିଲା। ଘଟଣା ପରେ ଏହାକୁ ଚପାଇ ଦେବା ସହ ୩ ଜଣଙ୍କ ମୃତ୍ୟୁ ଟ୍ରାକ୍ଟର ଦୁର୍ଘଟଣାରେ ହୋଇଥିବା ପ୍ରମାଣିତ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି।  ଘଟଣାର ଦୃଢ଼ ପ୍ରତିବାଦ କରି ସିପିଆଇ ଏମ୍ଏଲର ତ୍ରିପତି ଗମାଙ୍ଗ ମୃତକଙ୍କ ପରିବାରକୁ ୨୦ ଲକ୍ଷ, ଆହତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

୨୦୧୯ ସେପ୍ଟେମ୍ବର ୨୪ ତାରିଖରେ ଗୁଣପୁର ପୁଲିସ୍ ସନ୍ୟାସୀପୁର କ୍ରସର ୟୁନିଟ୍ ଉପରେ ଚଢ଼ଉ କରି ବେଆଇନ ଭାବେ ଗଚ୍ଛିତ ଥିବା ୪୫୮ କୁଇଣ୍ଟାଲ୍ ବିସ୍ଫୋରକ ସାମଗ୍ରୀ ସମେତ ୭୦ଟି ଡିଟୋନେଟର, ୩ ବଣ୍ଡଲ ଇଲେକ୍ଟ୍ରି ତାର ଜବତ କରିଥିଲା। ପୁଲିସ୍ ୫ ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ଆନ୍ଧ୍ରର ବିଆରସି ନାମକ ଏକ କଂପାନିର ଜୟ ପ୍ରକାଶ ଚୌଧୁରୀ, ଏମ୍. ଶିବ କୁମାର, ଜେ. ଶ୍ରୀନିବାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପଦ୍ମପୁର ତହସିଲ ଅଧୀନରେ ଓରେଇ ପର୍ବତକୁ କଂପାନି ଲିଜ୍ ଆକାରରେ ନେଇଛି।

ସମ୍ବନ୍ଧିତ ଖବର