ବ୍ଲକ୍‌ ଉପାଧ୍ୟକ୍ଷ ନିର୍ବାଚନ: ବାଲିପାଟଣାରେ ରାଜଲକ୍ଷ୍ମୀ

ବାଲିପାଟଣା: ରାଜଲକ୍ଷ୍ମୀ ଜେନା ବାଲିପାଟଣା ବ୍ଲକ୍ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ସେ ଗାରେଡିପାଞ୍ଚଣ ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚନ ଜିତିଥିଲେ। ଆଜି ଏହି ପଦବି ପାଇଁ ନିର୍ବାଚନ ଥିବା ବେଳେ ରାଜଲକ୍ଷ୍ମୀଙ୍କ ବିରୋଧରେ କୌଣସି ସମିତି ସଭ୍ୟ ପ୍ରାର୍ଥିପତ୍ର ଦାଖଲ କରିନଥିଲେ। ତେଣୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ତେବେ ରାଜଲକ୍ଷ୍ମୀ ନାମାଙ୍କନ ପତ୍ର ଦାଖଲ କଲା ବେଳେ ତାଙ୍କୁ ୧୨ ସମିତି ସଭ୍ୟ ସମର୍ଥନ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ହରପ୍ରିୟା ଦାଶ ଏହି ବ୍ଲକ୍‌ର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି।

ଭୁବନେଶ୍ବରରେ ଅଜିତ

ଭୁବନେଶ୍ବର: ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଅଜିତ୍‌ ଶ୍ରୀଚନ୍ଦନ ଭୁବନେଶ୍ବର ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଉପାଧ୍ୟକ୍ଷ ନିର୍ବାଚନରେ ଶ୍ରୀଚନ୍ଦନ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ରଘୁନାଥପୁର ପଞ୍ଚାୟତର ନିହାରକାନ୍ତ ପଢ଼ିହାରୀଙ୍କୁ ଗୋଟିଏ ଭୋଟରେ ପରାସ୍ତ କରିଛନ୍ତି। ବ୍ଲକର ମୋଟ ୨୦ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ଅଜିତ୍‌ ୧୦ଟି ଭୋଟ୍‌ ହାତେଇଥିବା ବେଳେ ନିହାରଙ୍କୁ ୯ଟି ଭୋଟ୍‌ ମିଳିଥିଲା। ତମାଣ୍ଡୋ ପଞ୍ଚାୟତର ସମିତି ସଭ୍ୟ ଅନୁପସ୍ଥିତ ରହିଥିଲେ।

ବାଲିଅନ୍ତାରେ ଇତିଶ୍ରୀ

ବାଲିଅନ୍ତା: ଇତିଶ୍ରୀ ଜେନା ବାଲିଅନ୍ତା ବ୍ଲକ୍‌ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସେ ଝିଣ୍ଟିଶାସନ ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଇତିଶ୍ରୀଙ୍କ ବିରୋଧରେ କୌଣସି ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ ନକରିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଆଜି ଉପାଧ୍ୟକ୍ଷ ନିର୍ବାଚନ ଅବସରରେ ପୂର୍ବାହ୍ନ ସାଢ଼େ ୧୦ଟା ସୁଦ୍ଧା ୯ ଜଣ ସମିତି ସଭ୍ୟ ନିର୍ବାଚନ କକ୍ଷକୁ ପ୍ରବେଶ କରିଥିଲେ। ସେମାନେ ସମସ୍ତେ ଇତିଶ୍ରୀଙ୍କୁ ହିଁ ସମର୍ଥନ କରିଥିଲେ। ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜଗନ୍ନାଥପୁର ପଞ୍ଚାୟତ ସମିତି ସଭ୍ୟା ବାସନ୍ତୀ ଖଟୁଆ ଏହି ବ୍ଲକର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର