ଭୁବନେଶ୍ୱର: ଲକଡାଉନ ୪.୦ ଚଳିତ ମାସ ୩୧ ତାରିଖ ଯାଏ ବଢ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଭୁବନେଶ୍ୱର ମହାନଗର ନିଗମରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ନିୟମ ଜାରି ହୋଇଛି। ଆସନ୍ତୁ ଜାଣିବା ରାଜ୍ୟ ରାଜଧାନୀରେ କେଉଁ କଟକଣା ଚାଲୁ ରହିଛି ଓ କ’ଣ କୋହଳ ହୋଇଛି।
ଭୁବନଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ । ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଅନଲାଇନ ପାଠପଢ଼ା ଚାଲୁ ରହିବ। କ୍ୟାଣ୍ଟିନ ସିନେମା, ସପିଂମଲ, ଜିମ, ଅଡିଟୋରିୟମ, ସୁଇମିଂପୁଲ, ଗେମ ପାର୍ଲର, ମନୋରଂଜନ ପାର୍କ, ସଭାଗୃହ ଆଦି ବନ୍ଦ ରହିବ ।
ତେବେ କ୍ରୀଡ଼ା ପରିସର ଖୋଲିବ । ଖେଳାଳି ଭିତରକୁ ପ୍ରବେଶ କରି ପାରିବେ କିନ୍ତୁ ଦର୍ଶକମାନେ ଯାଇପାରିବେ ନାହିଁ । ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ ନାହିଁ ।
ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ କ୍ୟାଣ୍ଟିନ ଖୋଲାଯାଇପାରିବ ନାହିଁ । ହେଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ । କିନ୍ତୁ ହୋମ ଡେଲିଭରି ପାଇଁ କୌଣସି ଅସୁବିଧା ନାହିଁ । ହେଟେଲ, ଲଜ, ଅତିଥିବ ଭବନ ଓ ଅନ୍ୟ ହସ୍ପିଟାଲିଟି ସେବା ଯୋଗାଉଥିବା ସ୍ଥାନ ଚାଲୁ ରହିବ ।
ମଲ୍ଟି ଷ୍ଟୋରେଡ ସପ୍ପିଂମଲରେ ଗ୍ରୋସରୀ, ପନିପରିବା, ମେଡିସିନ ଦୋକାନ ଖୋଲିପାରିବ । କିନ୍ତୁ ଅନ୍ୟ ସାମଗ୍ରୀ ବିକ୍ରିକୁ ଅନୁମତି ମିଳିବ ନାହିଁ । କିନ୍ତୁ ସମାନ କୋଠାରେ ସରକାରୀ ଅଥବା ଘରୋଇ କାର୍ଯ୍ୟାଳୟ ଥିଲେ, ତାହା ଖୋଲିପାରିବ ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତଥା ବିଏମସିର ନୂତନ ଗାଇଡ ଲାଇନ ଅନୁସାରେ ଦୋକାନର ମାଲିକ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଦାୟୀ ହେବେ । ସମସ୍ତ ଦୋକାନ ଅଥବା ବ୍ୟଣିଜ୍ୟିକ ପ୍ରତିଷ୍ଠାନରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଫ୍ଲୁ ଲକ୍ଷଣ ଥିଲେ କୌଣସି ବ୍ୟକ୍ତିଙ୍କୁ କୌଣସି ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନକୁ ଯାଇପାରିବେ ନାହିଁ । ଦୋକାନ ମାଲିକ ଗ୍ରାହକମାନଙ୍କ ପାଇଁ ସାନିଟାଇଜର ଓ ହାତଧୋଇବା ସାମଗ୍ରୀ ରଖିବେ । ବିଏମ୍ସିର ପୂର୍ବ ଆଦେଶ ଅନୁସାରେ ଭୁବନେଶ୍ୱରରେ ପରିବା ଓ ଗ୍ରୋସରୀ ଦୋକାନ ଖୋଲିପାରିବ ।
ସେହିପରି ବାରିକ ଦୋକାନ, ସାଲୁନ, ବିଉଟି ପାର୍ଲରରେ କର୍ମୀ ସଠିକ ପିପିଇ ଯଥା ମାସ୍କ, ହାତ ଗ୍ଲୋଭସ ଆଦି ବ୍ୟବହାର କରିବେ । ସମସ୍ତ ଦୋକାନଗୁଡ଼ିକ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଖୋଲିପାରିବ । ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ଶିଶୁ ଆବଶ୍ୟକ ନ ଥିଲେ ବାହାରକୁ ନ ବାହରିବା ଭଲ ।
ବିଏମସି ପକ୍ଷରୁ ଦିଆଯାଇଥିବା ନୋଟିସ ଅନୁସାରେ ରସୁଲଗଡ଼ସ୍ଥିତ ଏସପ୍ଲାନେଡ, ସତ୍ୟନଗରସ୍ଥିତ ଫୋରମ ମାର୍ଟ, ସହିଦନଗରସ୍ଥିତ ବିଏମସି ଭବାନୀ ମଲ, ସେଣ୍ଟ୍ରାଲ ମଲ, ପ୍ୟାଣ୍ଟାଲୁନ, ରେଳଷ୍ଟେସନର ରିଲାଏନ୍ସ ସୁପର, କଳ୍ପନା ଛକର ଉତ୍କଳ ଗ୍ୟାଲେରୀଆ,ବିଏମସି କେଶରୀ ମଲ୍, ୟୁନିଟ-୨ ମାର୍କେଟ, ରୁଦ୍ରପୁରର ସିମ୍ଫୋନି ମଲ, ପାତ୍ରପଡ଼ାର ଡିଏନ ରେଗାଲିଆ ମଲ, ନୟାପଲ୍ଲୀ କ୍ରିଷ୍ଣା ପ୍ଲାଜା ଖୋଲିପାରିବ ନାହିଁ ।