କଟକ : ରାଜ୍ୟରେ ସମୁଦ୍ର ଠାରୁ ଆରମ୍ଭ କରି ନଦୀ ଓ ହ୍ରଦରେ ଶହ ଶହ ଡଙ୍ଗା/ବୋଟ୍ ଚାଲୁଛି। କିନ୍ତୁ ଡଙ୍ଗା ବା ବୋଟ୍ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପାଇଁ କିଛି ଆଇନଗତ ସହାୟତା ବା ପ୍ରତିବିଧାନ ଲାଗି ବ୍ୟବସ୍ଥା ନାହିଁ। ଡଙ୍ଗା ଗୁଡିକ ପଞ୍ଜୀକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଇନ ନ ଥିବାବେଳେ ଏଥିରେ ଯାତ୍ରା କରୁଥିବା ଲୋକଙ୍କ ବୀମା ରହୁନାହିଁ। ଫଳରେ ଡଙ୍ଗା ଦୁର୍ଘଟଣାରେ ମୃତାହତ କିଛି ବୀମା କ୍ଷତିପୂରଣ ପାଇ ପାରୁନାହାନ୍ତି। ଡଙ୍ଗା ଦୁର୍ଘଟଣା ରୋକିବା ପାଇଁ ରାଜ୍ୟରେ କୌଣସି ଆଇନଗତ ପ୍ରତିଷେଧକ ବ୍ୟବସ୍ଥା ନାହିଁ। ସୋମବାର ଦିନ ହାଇକୋର୍ଟରେ ଡଙ୍ଗା/ବୋଟ ଦୁର୍ଘଟଣା ସଂପର୍କିତ ଜନସ୍ବାର୍ଥ ମାମଲାରେ ଆମିକସ୍ କ୍ୟୁରୀ ଦାଖଲ କରିଥିବା ତଥ୍ୟରୁ ଏଭଳି ଘଟଣା ସ୍ପଷ୍ଟ ହୋଇଥିଲା।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆର.କେ.ମାଇତିଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍ କ୍ୟୁରୀ ଦାଖଲ କରିଥିବା ତଥ୍ୟର କପି ଅତିରିକ୍ତ ସରକାରୀ ଓକିଲଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।