ତାଲାବନ୍ଦ ସମୟରେ ଯାଜପୁରରେ ଖୋଲା ରହିବ ବହି ଦୋକାନ ଓ ଗ୍ୟାରେଜ: ଜିଲ୍ଲାପାଳ

ଯାଜପୁର: ତାଲାବନ୍ଦ ସମୟରେ ଯାଜପୁର ଜିଲ୍ଲାରେ ବହି ଦୋକାନ ଓ ଗ୍ୟାରେଜଗୁଡ଼ିକ ଖୋଲା ରହିବ । ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ବହି ଦୋକାନ ଓ ଗ୍ୟାରେଜଗୁଡ଼ିକ ସୋମବାର ଠାରୁ ଖୋଲିବ ବୋଲି ଜଣାପଡ଼ିଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶିକ୍ଷାନୁଷ୍ଠାନଗୁଡ଼ିକ ଜୁନ ୧୪ ଯାଏଁ ବନ୍ଦ ରହିଥିବାରୁ ପିଲାମାନଙ୍କର ପାଠପଢ଼ାରେ ବାଧାପ୍ରାପ୍ତ ହୋଇଛି । ଅନେକ ଲୋକ, ଅଭିଭାବକ ଓ ବୁଦ୍ଧିଜୀବୀ ବହିଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ବହି ଦୋକାନଗୁଡ଼ିକ ସକାଳ ୬ଟାରୁ ୪ ଘଣ୍ଟା ପାଇଁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ।

ସେହିଭଳି ଲୋକମାନେ ସାଇକେଲ ଓ ବାଇକ ନେଇ ଜରୁରୀ କାମରେ ବାହାରକୁ ଯାଉଛନ୍ତି, ସେମାନେ ଗ୍ୟାରେଜ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଗ୍ୟାରେଜଗୁଡ଼ିକ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଗ୍ୟାରେଜ ଗୁଡ଼ିକ ମଧ୍ୟ ସକାଳୁ ଘଣ୍ଟା ଖୋଲା ରହିବ । ଏହା ୬ଟାରୁ ଦିନ ୧୦ ଟା ଯାଏଁ ଖୋଲା ରହିବ ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଅଞ୍ଚଳରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ଗୁଡ଼ିଏ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । କଳିଙ୍ଗନଗରଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ବ୍ରହ୍ମବରଦା ଓ ନିକଟବର୍ତ୍ତୀ ୧୦ଟି ଗାଁରେ ଆଜି କଣ୍ଟେନମେଣ୍ଟ ଜୋନ ଅବଧି ଶେଷ ହୋଇଯାଇଥିଲେ ବି ପ୍ରଶାସନ ଏହି ଅଞ୍ଚଳ ଉପରେ କଡ଼ା ନଜର ରଖିଛି ।

ସମ୍ବନ୍ଧିତ ଖବର