୫-ଜି ସେବା ଲାଗି ପରୀକ୍ଷଣ ଆରମ୍ଭ କରିବ ବିଏସଏନଏଲ୍‌

ଜାନୁୟାରୀରୁ ୪-ଜି ସେବା

ନୂଆଦିଲ୍ଲୀ: ଦେଶର କେତେକ ପ୍ରମୁଖ ଘରୋଇ ଟେଲିକମ ଅପରେଟର ମାନେ ଇତିମଧ୍ୟରେ ୪-ଜି ସେବା ଲଞ୍ଚ୍‌ କରି ୫ଜି ସେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ, ରାଷ୍ଟ୍ରାୟତ ଟେଲିକମ କମ୍ପାନି ବିଏସଏନଏଲ୍‌ ଆସନ୍ତା ଜାନୁୟାରୀରୁ ନିଜର ୪-ଜି ଏଲଟିଇ ସେବା ଆରମ୍ଭ କରିବାକୁ ଯାଉଛି । କେବଳ ୪-ଜି ନୁହେଁ ୫-ଜି ସେବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି କମ୍ପାନି । ୫-ଜି ସହିତ ଆଇଓଟି ( ଇଣ୍ଟରନେଟ୍‌ ଅଫ ଥିଙ୍କସ) ସେବା ପାଇଁ ଏରିକସନ ସହ କମ୍ପାନି କଥାବାର୍ତ୍ତା ଚଳାଇଛି ।

କିଛିଦିନତଳେ କେନ୍ଦ୍ର ଟେଲିକମ ମନ୍ତ୍ରୀ ମନୋଜ ସିହ୍ନା କହିଥିଲେ ଯେ ଭାରତରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଥିବାରୁ ସେଥିଲାଗି ଯେପରି ସ୍ପେକ୍ଟ୍ରମର ଅଭାବ ନ ରହେ ତାହା ନିଶ୍ଚିତ କରାଯିବ । ୫-ଜି ସେବା ହେଉଛି ୪-ଜି ଟେଲିକମ ସେବାର ପରବର୍ତ୍ତି ପିଢି, ଯେଉଁଥିରେ ଡାଟା ଡାଉନଲୋଡ ସ୍ପୀଡି ୪-ଜି ତୁଳନାରେ ଅତି କମରେ ୧୦ ଗୁଣ ବୃଦ୍ଧି ପାଇବ ।

ଅନ୍ୟପକ୍ଷରେ ୪-ଜି ସେବା ଆରମ୍ଭ କରିବା ସହ ବିଏସଏନଏଲ ବଣ୍ଡଲଡ୍‌ ସେବା ପାଇଁ ମାଇକ୍ରୋମାକ୍ସ ପରି କେତେକ ମୋବାଇଲ ହାଣ୍ଡସେଟ୍‌ କମ୍ପାନି ସହ ସହବନ୍ଧନ କରିଛି । ଏହାଛଡା ନୋକିଆ, ଜେଡ୍‌ଟିଇ ପରି କେତେକ କମ୍ପାନି ସହ ମଧ୍ୟ କମ୍ପାନି କଥାବାର୍ତ୍ତା ଚଳାଇଛି ବୋଲି ବିଏସଏନଏଲ ସିଏମଡି ଅନୁପମ ଶ୍ରୀବାସ୍ତବ କହିଛନ୍ତି । ନିଜର ଏହି ସେବା ନିମନ୍ତେ ଟେଲିକମ ଭିତ୍ତିଭୂମି ନିର୍ମାଣ ପାଇଁ ବିଏସଏନଏଲ ନୋକିଆ ଓ ଜେଡ୍‌ଟିଇର ଟେଲିକମ ଟେକନଲୋଜୀ ବ୍ୟବହାର କରୁଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନି ପ୍ରାୟ ୧୫ହଜାର ଓ୍ଵାଇ-ଫାଇ ହଟସ୍ପଟ୍‌ ସ୍ଥାପନ କରିଥିବାବେଳେ ପରବର୍ତ୍ତକାଳରେ ତାହାକୁ ୧ ଲକ୍ଷ ଓ୍ଵାଇ-ଫାଇ ହଟସ୍ପଟ୍‌କୁ ବୃଦ୍ଧି କରାଯିବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର