ବଜେଟ୍‌ ଖବର : ୩ ବରେଣ୍ୟ କବିଙ୍କ ପଂକ୍ତିକୁ ଉଦ୍ଧୃତ କଲେ ଅର୍ଥ ମନ୍ତ୍ରୀ

ଭୁବନେଶ୍ବର : ବଜେଟ ଉପସ୍ଥାପନା ବେଳେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତିନି ଜଣ ବରେଣ୍ୟ କବିଙ୍କ ପ୍ରସିଦ୍ଧ ପଂକ୍ତିକୁ ଉଦ୍ଧାର କରିଥିଲେ। ସାଧାରଣ ବଜେଟ ଉପସ୍ଥାପନର ‌େଶଷ ଭାଗରେ ଭକ୍ତକବି ମଧୁସୂଦନ ରାଓଙ୍କ ପଂକ୍ତିକୁ ଉଦ୍ଧାର କରି ବଜେଟକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଥିଲେ। ଭକ୍ତକବିଙ୍କ ପଂକ୍ତିଟି ଥିଲା, ‘କଳିଙ୍ଗ ଧରଣୀ ମହିମା ସ୍ମର ସ୍ମର ହେ ବାରେ – ଜାଗ ଜାଗ ଲାଗ ଲାଗ ହେ ଉତ୍କଳର ଉଦ୍ଧାରେ, ଜଡ଼ତା ବିଷାଦ ନିରାଶା ଏବେ ତେଜି ବହନ – ଉଠ ଆଉ ମଠ ନ କର, ଘେନ ଏ ଶୁଭ କ୍ଷଣ।’

କୃଷି ବଜେଟ୍‌ ଉପସ୍ଥାପନ ବେଳେ କୁନ୍ତଳା କୁମାରୀ ସାବତଙ୍କ ପଂକ୍ତିକୁ ଉଦ୍ଧାର କରି ମନ୍ତ୍ରୀ କହିଲେ ଯେ ‘ହେଲାଣି ହେଲାଣି ନବ ସୂର୍ଯ୍ୟୋଦୟ – ଆଉ କି ଲଜ୍ଜା, ଆଉ କି ଭୟ !, ନବ ଯଉବନେ ଶିରୀ ସମ୍ପଦେ ହସଇ ପ୍ରକୃତିରାଣୀ- ନ କହ ନ କହ ଆଉ କର୍ଣ୍ଣ ମୂଳେ ନିରାଶା ଭୀଷଣ ବାଣୀ!’ ‌

ସେହିପରି ଗଙ୍ଗାଧର ‌େ‌ମହେରଙ୍କ କବତା ଉଦ୍ଧୃତ କରି ମନ୍ତ୍ରୀ କହିଥିଲେ, ‘କୃଷି କଲା ନରକୁ ଦିବ୍ୟ ଅନ୍ନ ଦାନ – ଶୀତ ରକ୍ଷା ନିମନ୍ତେ ବସ୍ତ୍ର ଉପାଦାନ, କୃଷି ସିନା ସଂସାରେ ସଭ୍ୟତାର ମୂଳ – କୃଷି ଏକା ସକଳ ଜୀବିକାର ଚୂଳ।’

କରୋନା ଯୋଗୁଁ ରାଜସ୍ବ ସଂଗ୍ରହ ୮.୪୨% କମ୍‌ ହୋଇଛି: ଅର୍ଥମନ୍ତ୍ରୀ
କରୋନା ମହାମାରୀ ପ୍ରଭାବରେ ଏବେସୁଦ୍ଧା ଚଳିତ ଆର୍ଥିକ ବର୍ଷରେ ୮.୪୨ ପ୍ରତିଶତ କମ୍‌ ରାଜସ୍ବ ସଂଗ୍ରହ ହୋଇଛି। କିନ୍ତୁ କଟକଣା କୋହଳ ହେବା ପରେ ଧୀରେ ଧୀରେ ରାଜ୍ୟର ଆର୍ଥିକ ପରିସ୍ଥିତିରେ ସୁଧାର ଆସିବା ଲକ୍ଷ୍ୟ କରାଯାଉଛି। ଆଜି ପ୍ରଶ୍ନକାଳରେ ରାଜସ୍ବ ସଂଗ୍ରହ ସମ୍ପର୍କିତ ବିଜେଡି ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ମୂଳ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ତେବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କେବିକେ ଜିଲ୍ଲା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ନେଇ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିବାରୁ ଅର୍ଥମନ୍ତ୍ରୀ ଉତ୍ତର ଦେଇ ପାରିନଥିଲେ। ଓଲଟି କଥାକୁ ବୁଲାଇ ବଙ୍କାଇ କହିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରାଜସ୍ବ ସଂଗ୍ରହ ସମ୍ପର୍କରେ ଉତ୍ତର ରଖି ଶ୍ରୀ ପୂଜାରୀ କହିଥିଲେ, ଚଳିତ ଆର୍ଥିକ ବର୍ଷ ଡିସେମ୍ବର ସୁଦ୍ଧା ୬୭, ୯୮୩ କୋଟି ୩୭ ଲକ୍ଷ ଟଙ୍କା ରାଜସ୍ବ ସଂଗ୍ରହ ହୋଇଛି। ଯାହାକି ଲକ୍ଷ୍ୟ ଧାର୍ଯ୍ୟ ପରିମାଣର ୫୫ ପ୍ରତିଶତ। ସେଥିରୁ ନିଜସ୍ବ ଟିକସ ବାବଦକୁ ୨୧,୯୪୧ କୋଟି ୭୦ ଲକ୍ଷ ଟଙ୍କା, ଅଣଟିକସ ବାବଦରେ ୧୨,୧୬୭ କୋଟି ୩୩ ଲକ୍ଷ, କେନ୍ଦ୍ର ସରକାରଙ୍କଠାରୁ କେନ୍ଦ୍ରୀୟ ଅନୁଦାନ ବାବଦକୁ ୧୬ ହଜାର ୬୭୧ କୋଟି ୮ ଲକ୍ଷ ଓ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦରେ ୧୭,୨୦୩ କୋଟି ୨୬ ଲକ୍ଷ ମିଳିଛି।

୧,୩୪,୨୨୫ କୋଟିର ଏସ୍‌ଡିଜି ବଜେଟ୍‌
ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ପାଇଁ ଏକ ସ୍ବତନ୍ତ୍ର ବଜେଟ୍‌ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୧,୩୪,୨୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାରଙ୍କ ୪୦ ବିଭାଗ ଓ ୧୦୦୫ କାର୍ଯ୍ୟକ୍ରମ ଓ ସ୍କିମ୍ ମାଧ୍ୟମରେ ୯୮ଟି ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରାାଯିବ। ଏସ୍‌ଡିଜି ବଜେଟ୍‌ର ୫୫% କାର୍ଯ୍ୟକ୍ରମଗୁଡ଼ିକରେ ବ୍ୟୟ ହେବାକୁ ଥିବା ବେଳେ ୩୬% ପ୍ରଶାସନିକ ଓ ୯% ହେଉଛି ଅନ୍ୟାନ୍ୟ ବ୍ୟୟ। ଏସ୍‌ଡିଜି ପାଇଁ ଯେଉଁ ୧୬ଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ସେଥି ମଧ୍ୟରୁ ୪ଟି ଲକ୍ଷ୍ୟ ହାସଲ କରିବା ଲାଗି ୨୨,୬୩୭.୩ କୋଟି ଟଙ୍କା ଦିଆଯାଇଛି ଯାହା ମୋଟ୍ ବଜେଟ୍ ଆବଣ୍ଟନର ୧୬.୮%। ରାଜ୍ୟର ୨୦ଟି ବିଭାଗ ଏହି ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ କରିବେ। ଏସ୍‌ଡିଜି ବଜେଟ୍‌ର ୧୩.୭% ଅର୍ଥ ସାମାଜିକ ସୁରକ୍ଷା ନୀତି ଓ ସମାନତା ହାସଲ କରିବା ଲାଗି ବ୍ୟୟବରାଦ କରାଯାଇଥିବା ବେଳେ ମୁକ୍ତ, ସମାନ ଏବଂ ଗୁଣାତ୍ମକ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇଁ ୧୨ ପ୍ରତିଶତ ଅର୍ଥ ଆବଣ୍ଟନ କରାଯାଇଛି। ଏସ୍‌ଡିଜି ବଜେଟ୍ ପାଇଁ ରାଜ୍ୟ କ୍ଷେତ୍ରର ସ୍କିମ୍ ପାଇଁ ୪୫,୭୩୫.୭ କୋଟି ଟଙ୍କା (୩୪.୦୭%) ଓ କେନ୍ଦ୍ରୀୟ କ୍ଷେତ୍ର ଓ କେନ୍ଦ୍ର ପ୍ରାୟୋଜିତ ସ୍କିମ୍ ପାଇଁ ୨୭,୧୦୪.୭ କୋଟି ଟଙ୍କା (୨୦.୧୯%) ଆବଣ୍ଟନ କରାଯାଇଛି।

ପଞ୍ଚାୟତିରାଜକୁ ଅଧିକ ଅର୍ଥ
ବଜେଟ୍‌ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ସର୍ବାଧିକ ୧୧.୬% ଅର୍ଥ ବରାଦ ହୋଇଛି। ଏହି କ୍ରମରେ ଗଣଶିକ୍ଷା ବିଭାଗକୁ ୧୦.୮%, କୃଷି ବିଭାଗକୁ ୧୦%, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ୫.୪%, ପୂର୍ତ୍ତ ବିଭାଗକୁ ୩.୯%, ଗୃହ ବିଭାଗକୁ ୩.୪% ଅର୍ଥ ବରାଦ ହୋଇଛି। ନଗର ଉନ୍ନୟନ ବିଭାଗକୁ ବି ୩.୪% ଅର୍ଥ ବରାଦ ହୋଇଛି। ଏହି କ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୩.୨%, ମହି​ଳା ଓ ଶିଶୁ ବିକାଶ ବିଭାଗକୁ ୨.୩%, ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ୨.୧% ଅର୍ଥ ବରାଦ ହୋଇଛି।

ସମ୍ବନ୍ଧିତ ଖବର