ରାଇରଙ୍ଗପୁର: ଦହିବରା ବିକ୍ରେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନଂ ୧୦ ଅଁଳାଡୁବାରେ। ଅଭିଯୋଗ ଅନୁଯାୟୀ ଅଁଳାଡୁବାର ଦହିବରା ବିକ୍ରେତା ପରମେଶ୍ବର ଚାଟାର୍ଜୀ (୪୪) ଅଁଳାଡୁବା ୟୁପି ସ୍କୁଲ ନିକଟରେ ଏକ ଠେଲା ଯୋଗେ ଦହିବରା ବିକ୍ରି କରନ୍ତି। ତେବେ ପ୍ରାୟ ୧୫ ଦିନ ପୂର୍ବରୁ ରାଇରଙ୍ଗପୁର ବଜାର ରେ ଥିବା ଯୋଗେଶ୍ୱର ରାମ ଙ୍କ ସିଲଭର ଓ କଂସା ଦୋକାନରୁ ସେ ଏକ ୬୦୦ ଟଙ୍କାର ସିଲଭର ଗମଲା ଉଦ୍ଧାରରେ ଆଣିଥିଲେ। ପରବର୍ତ୍ତୀ ସମୟରେ ସେ ଉକ୍ତ ଦୋକାନୀକୁ ୨୪୦ ଟଙ୍କା ଦେଇଥିଲେ ଏବଂ ୩୬୦ ଟଙ୍କା ବାକି ରହିଥିଲା।
ତେବେ ଗତକାଲି ମଙ୍ଗଳବାର ଦିନ ଧାର ଟଙ୍କାକୁ ନେଇ ଉକ୍ତ ଦୋକାନୀଙ୍କ ପୁଅ ମିଥୁନ ସେଠ୍ ଙ୍କ ସହିତ ବଚସା ହୋଇଥିଲା। ବଚସା ଉଗ୍ରରୂପ ନେଇ ମରଣାନ୍ତକ ଆକ୍ରମଣ ପର୍ଯ୍ୟନ୍ତ କଥା ଯାଇଥିଲା। ମିଥୁନ ସେଠ୍ ଏକ ଶକ୍ତ ଜିନିଷରେ ଦହିବରା ବିକ୍ରେତା ପରମେଶ୍ବରଙ୍କ ମୁଣ୍ଡରେ ପ୍ରହାର କରି ନିର୍ଦ୍ଧୁମ ପିଟିଥିବା ଅଭିଯୋଗ କରିଛନ୍ତି ପରମେଶ୍ବରଙ୍କ ସ୍ତ୍ରୀ ମଞ୍ଜୁଲତା ଚାଟାର୍ଜୀ। ତାସହ ମରଣାନ୍ତକ ଆକ୍ରମଣ ଫଳରେ ପରମେଶ୍ବର ଚେତା ଶୂନ୍ୟ ହୋଇ ପଡିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରିଥିଲେ ଡାକ୍ତର।
ତେବେ ଘଟଣା ସମ୍ପର୍କରେ ପରମେଶ୍ବରଙ୍କ ସ୍ତ୍ରୀ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେପଟେ ମିଥୁନ ସେଠ୍ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏ ନେଇ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦହିବରା ବିକ୍ରି କରି ଘର ସଂସାର ଚଳାଉଥିବା ପରମେଶ୍ବରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗିରଫ କରି ଆଇନ ଅନୁଯାୟୀ ଦଣ୍ଡ ଦିଆଯିବା ନେଇ ପରମେଶ୍ବରଙ୍କ ସ୍ତ୍ରୀ ପୁଲିସ ନିକଟରେ ଗୁହାରି କରିଛନ୍ତି।