ବିବେକାନନ୍ଦଙ୍କ ସ୍ବପ୍ନର ଭାରତ ପୁଣି ବିଶ୍ବଗୁରୁର ସ୍ଥାନ ନେବ: ସ୍ବାମୀ ସମର୍ପଣାନନ୍ଦ ଗିରି

ଶିକ୍ଷା ବିକାଶ ସମିତିର ପୂର୍ବଛାତ୍ର ପରିଷଦ ଦ୍ବାରା ବ୍ୟାଖ୍ୟାନମାଳା

ଭୁବନେଶ୍ବର : ଶିକ୍ଷା ବିକାଶ ସମିତି ଓଡ଼ିଶାର ପୂର୍ବଛାତ୍ର ପରିଷଦ ଆନୁକୂଲ୍ୟରେ “ସ୍ବାମୀ ବିବେକାନନ୍ଦ ଯୁବ ଶକ୍ତିର ପ୍ରେରଣା” ଶୀର୍ଷକରେ ଏକ ବ୍ୟାଖ୍ୟାନମାଳା ଅନୁଷ୍ଠିତ ହୋଇଯାଇଛି। ଏହି ଆଭାସୀ ବ୍ୟାଖ୍ୟାନମାଳାରେ ପ୍ରବକ୍ତା ଭାବରେ ପ୍ରଜ୍ଞାନ ମିଶନର ବରିଷ୍ଠ ସନ୍ୟାସୀ ତଥା ଗୋ-ସେବା ମହୋତ୍ସବ ସମିତିର ସଭାପତି ସ୍ବାମୀ ସମର୍ପଣାନନ୍ଦ ଗିରି ତାଙ୍କ ବହୁମୂଲ୍ୟ ପ୍ରବଚନ ମାଧ୍ୟମରେ କହିଥିଲେ, ବିବେକାନନ୍ଦଙ୍କ ଭଳି ଭାରତର ଯୁବ ସମାଜ ହୃଦୟରେ ଦେଶପ୍ରେମ, ମମତ୍ବଭାବ ଭରିଉଠିଲେ ଏକ ଅଭିନ୍ନ ଭାରତ ସୃଷ୍ଟି ହେବ। ଯେତେବେଳେ ଭାରତମାତା କୋଳରେ ଜାତିପ୍ରିୟ, ଧର୍ମପ୍ରିୟ, ସଂସ୍କୃତିପ୍ରିୟ ଓ ସ୍ବାବଲମ୍ବୀ ବ୍ୟକ୍ତିଟିଏ ଜନ୍ମ ନେବ ଭାରତ ପୁଣି ଉଠିବ। ଆମେ ବିବେକାନନ୍ଦଙ୍କ ଭଳି ନେତୃତ୍ବ ନେବା ସହ ଭାରତବର୍ଷର ନବୀନ ଇତିହାସ ରଚନା କରିବା। ବିବେକାନନ୍ଦଙ୍କ ସ୍ବପ୍ନର ଭାରତ ପୁଣି ବିଶ୍ବଗୁରୁର ସ୍ଥାନ ନେବ।

ସେହିପରି ଏଥିରେ ଶିକ୍ଷା ବିକାଶ ସମିତି, ଓଡ଼ିଶାର ସଂଗଠନ ସଂପାଦକ ରମାକାନ୍ତ ମହାନ୍ତ କହିଥିଲେ ବିଦ୍ୟାଳୟକୁ ଛାତ୍ରଟିଏ ବିଦ୍ୟା ଅଧ୍ୟୟନ କରିବାର ଲକ୍ଷ୍ୟ ନେଇ ପ୍ରବେଶ କରେ ଏବଂ ସମାଜସେବାର ସଂକଳ୍ପ ନେଇ ପ୍ରସ୍ଥାନ କରିଥାଏ । ଅଧୁନା ଆମର ପୂର୍ବଛାତ୍ରମାନେ ନିଜର ଆଦର୍ଶବତ୍ତା ,ଉଦାତ୍ତ ବ୍ୟକ୍ତିତ୍ବ, କର୍ତ୍ତବ୍ୟନିଷ୍ଠା ବଳରେ ବିଶ୍ବର ୭୫ଟି ଦେଶରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଆଜି ଲକ୍ଷାଧିକ ପୂର୍ବଛାତ୍ର ସମାଜର ନେତୃତ୍ବ ନେଲେଣି। ବିଦ୍ୟାଭାରତୀର ପୂର୍ବଛାତ୍ର ବିଶ୍ବର ସର୍ବ ବୃହତ ପୂର୍ବଛାତ୍ର ସଂଗଠନ ଭାବେ ଗୌରବ ବହନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବଛାତ୍ର ପରିଷଦର ପ୍ରାନ୍ତ ପ୍ରଭାରୀ ତଥା ଶିକ୍ଷା ବିକାଶ ସମିତି, ଓଡ଼ିଶାର କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ପୂର୍ବଛାତ୍ର ପରିଷଦର ଅଧ୍ୟକ୍ଷ ଡକ୍ଟର କୁମାରେଶ ବେହେରା ଅଭିଭାଷଣ ପ୍ରଦାନ କରିଥିଲେ। ପରିଷଦର ଉପାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ପୂର୍ବଛାତ୍ରୀ ସୁଶ୍ରୀ ତନୁଶ୍ରୀ ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଏବଂ ପୂର୍ବଛାତ୍ର ମିହିର କୁମାର ପଟ୍ଟନାୟକ ବ୍ୟକ୍ତିଗତ ସଂଗୀତ ଗାନ କରିଥିଲେ। ପରିଷଦର ସଂପାଦକ ଶ୍ରୀଯୁକ୍ତ ବଜରଙ୍ଗ ପ୍ରସାଦ ସ୍ବାଇଁଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା। ଏଥିରେ ୯୦ ଜଣ ପୂର୍ବଛାତ୍ର ପ୍ରତ୍ୟକ୍ଷ ଯୋଗଦାନ କରିଥିବା ବେଳେ। ୟୁଟୁବ ଏବଂ ଫେସବୁକ ଲାଇଭରେ ଶତାଧିକ ପୂର୍ବଛାତ୍ର ଯୋଗଦାନ କରିଥିଲେ।

ସମ୍ବନ୍ଧିତ ଖବର