ସିଏଏ ବିବାଦ, ୮ ହଜାର ଲୋକଙ୍କ ବିରୋଧରେ ମାମଲା

ଚେନ୍ନାଇ ରୢାଲିକୁ ‘ବେଆଇନ୍‌’ ଘୋଷଣା

ଚେନ୍ନାଇ : ନାଗରିକତା ସଂଶୋଧନ ଆଇନ ଏବଂ ଏନ୍‌ଆରସିକୁ ନେଇ ତାମିଲନାଡ଼ୁରେ ଏବେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ସିଏଏ, ଏନ୍‌ଆର୍‌ସିକୁ ବିରୋଧ କରି ଗତକାଲି ଡିଏମ୍‌କେ ଏବଂ ଏହାର ସହଯୋଗୀ ଦଳ ଗତକାଲି ଚେନ୍ନାଇରେ ଏକ ବିଶାଳ ରୢାଲି କରିଥିଲେ। ଚେନ୍ନାଇ ପୁଲିସ ଆଜି ଏହି ମାମଲାରେ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌ କେ ଷ୍ଟାଲିନ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମ, ରାଜ୍ୟସଭା ସାଂସଦ ଭାଇକୋଙ୍କ ସମେତ ୮,୦୦୦ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। । ଅନୁମତି ନଥିବା ସତ୍ତ୍ବେ ଏହି ରୢାଲି କରାଯାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପୁଲିସ କମିସନର କହିଛନ୍ତି। ରୢାଲି ପାଇଁ ଡିଏମ୍‌କେ ପକ୍ଷରୁ ପୁଲିସର ଅନୁମତି ମଗାଯାଇଥିଲା। ତେବେ ରୢାଲିରେ କୌଣସି ପ୍ରକାର ହିଂସା ଉପୁଜିଲେ ଡିଏମ୍‌କେ ଦାୟୀ ରହିବ କି ବୋଲି ଚେନ୍ନାଇ ପୁଲିସ ପକ୍ଷରୁ ପାଲଟା ପ୍ରଶ୍ନ କରାଯାଇଥିଲା। କିନ୍ତୁ ଡିଏମ୍‌କେ ଏନେଇ କୌଣସି ଉତ୍ତର ନରଖିବାରୁ ଚେନ୍ନାଇ ପୁଲିସ ଅନୁମତି ପ୍ରତ୍ୟାଖ୍ୟାନ କରିଥିଲା। ଅନୁମତି ନଥାଇ ମଧ୍ୟ ଡିଏମ୍‌କେ, କଂଗ୍ରେସ, ସିପିଆଇ, ସିପିଏମ୍‌, ଏମ୍‌ଡିଏମ୍‌କେ, ଭିସିକେ, ଆଇଜେକେ ଦ୍ବାରା ବିଶାଳ ରୢାଲି କରାଯାଇଥିଲା। ପୁଲିସ ଆଜି ୮,୦୦୦ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।

ସମ୍ବନ୍ଧିତ ଖବର