ଭୁବନେଶ୍ବର: ଗତକାଲି ରାତିରେ ଲୁଇସ୍ ରୋଡ୍ରେ ଜଣେ ଡାକ୍ତରଙ୍କ କାର୍କୁ ଅଟକାଇ ଭଙ୍ଗାରୁଜା କରିବା ଓ ଗାଳିମନ୍ଦ କରିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୁଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ବାଲିପାଟଣା ସରିପୁର ଅଞ୍ଚଳର ପ୍ରଭାତ କୁମାର ଭୋଳ ଓରଫ୍ କନିଆ(୩୦), ବରିଲୋ ଅଞ୍ଚଳର ମୁନା ଭୋଇ(୨୫), ବନମାଳୀପୁର ଅଞ୍ଚଳର ଉମାକାନ୍ତ ବିଶ୍ବାଳ ଓରଫ୍ ଚନ୍ଦନ ଏବଂ ମହାନ୍ତିସାହି ଅଞ୍ଚଳର ଆଶିଷ ମହାପାତ୍ର ଓରଫ୍ ରିଙ୍କୁ(୩୬)। ପୁଲିସ ସେମାନଙ୍କଠାରୁ ଏକ କାର୍ ଜବତ କରିଛି।
ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରେ ଡାକ୍ତର ସମ୍ବିତ ଦାସ କାର୍ରେ ତାଙ୍କ ବାପା ଏବଂ ଭଉଣୀଙ୍କୁ ନେଇ ଶ୍ରୀରାମନଗରସ୍ଥିତ ଘରକୁ ଫେରୁଥିଲେ। ସେ ଲୁଇସ୍ ରୋଡ୍ରେ ଯାଉଥିବା ସମୟରେ ପଛରୁ ଅନ୍ୟ ଏକ କାର୍ରେ ଆସୁଥିବା ୪ ଅଭିଯୁକ୍ତ ପଛରୁ ବାରମ୍ବାର ହର୍ଣ୍ଣ ବଜାଇ ସାଇଡ୍ ମାଗିଥିଲେ। ମାତ୍ର ହଠାତ୍ ସାଇଡ୍ ଦେବା ପାଇଁ ରାସ୍ତା ସୁବିଧା ନ ଥିବାରୁ ଡାକ୍ତର ଶ୍ରୀ ଦାସ କିଛି ବାଟ ଆଗକୁ ଯାଇ ସାଇଡ୍ ଦେଇଥିଲେ। ଏଥିରେ ଅଭିଯୁକ୍ତମାନେ ରାଗି ଯାଇଥିଲେ। ସେମାନେ କାର୍ରୁ ବହାରି ସିଧା ସମ୍ବିତଙ୍କ କାର୍ ନିକଟକୁ ଆସି ଗାଳିମନ୍ଦ କରିଥିଲେ ଏମିତିକି କାର୍କୁ ପଥରରେ ଛେଚି ଦେଇ ସମ୍ମୁଖ କାଚ ଭାଙ୍ଗି ଦେଇଥିଲେ। ସମ୍ବିତ କାର୍ରୁ ବାହାରି ଆସି ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କଲେ ବି ସେମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ। ତେବେ ରାସ୍ତା ମଝିରେ ସେମାନଙ୍କ ଆତଙ୍କକୁ ନେଇ କିଛି ଲୋକ ଅଟକି ଯାଇଥିଲେ ଏବଂ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ଜଣଙ୍କୁ କାବୁ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/arrest.jpg)