ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରୁ ଚୋରି ହୋଇଥିବା କାରଗୁଡିକ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ହେଉଛି କି? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଦିଲ୍ଲୀ ପୁଲିସର ଏକ ଟିମ୍ ଖୁବ ଶୀଘ୍ର ଜାମ୍ମୁ କାଶ୍ମୀରକୁ ଯିବେ। ସୂଚନାନୁସାରେ, ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ ଦୁଇ ଜଣ କୁଖ୍ୟାତ କାର ଚୋରଙ୍କୁ ଧରିଛି। ଏହି ଦୁଇ ଜଣ ଦିଲ୍ଲୀରୁ ଗାଡି ଚୋରି କରି କାଶ୍ମୀରରେ ବିକ୍ରି କରୁଥିଲେ । ଡିସିପି ଜସମିତ ସିଂ କହିଛନ୍ତି ଯେ ସ୍ୱତନ୍ତ୍ର ଟିମର ସବ୍ ଇନ୍ସପେକ୍ଟର ସନ୍ଦୀପ ଗୋଡାରାଙ୍କ ଟିମ୍ ପ୍ରାୟ ୩ ମାସ ଧରି ଏହି କାର ଚୋରମାନଙ୍କୁ ଖୋଜୁଥିଲେ |

Advertisment

ଶନିବାର ବିଳମ୍ବିତ ରାତିରେ ପୁଲିସ ଟିମ୍ ସୌକତ ଅହମ୍ମଦ ନାମକ ଅଭିଯୁକ୍ତକୁ ଧରିଥିଲା। ସେ ଜାମ୍ମୁ କାଶ୍ମୀରର ବାରାମୁଲାର ସୋପୋର ଅଞ୍ଚଳର ବାସିନ୍ଦା | ଡିସିପି କହିଛନ୍ତି ଯେ ସୌକତ ଅହମ୍ମଦ ଏପର୍ଯ୍ୟନ୍ତ ଦିଲ୍ଲୀରୁ ୧୦୦ରୁ ଅଧିକ ଗାଡି ଚୋରି କରି କାଶ୍ମୀରରେ ବିକ୍ରି କରିଛି । ସେ ଏହି କାରଗୁଡିକ ଅନନ୍ତନାଗ, ପୁଲୱାମା, ସୋପୋର, ବାରାମୁଲ୍ଲାରେ ବିକ୍ରି କରିଥିଲା |

ପଚରାଉଚରା ବେଳେ ଜଣାପଡିଛି ଯେ ଏହି ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରରୁ ପ୍ରାୟ ୧୫୦ କାର ଚୋରି କରିଛି। ସୌକତ ଅହମ୍ମଦ ସହ ତା ସାଥୀ ଜୁବେରକୁ ମଧ୍ୟ ଗିରଫ କରାଯାଇଛି। ଜୁବେରର ଘର ଉତ୍ତରପ୍ରଦେଶର କେରାନା ହୋଇଥିବାବେଳେ ଉଭୟଙ୍କଠାରୁ ପ୍ରାୟ ୧୦୦ଟି ନକଲି ନମ୍ବର ପ୍ଲେଟ୍ ଏବଂ ୧୨୦ ଟି ନକଲ ଚାବି ମଧ୍ୟ ଜବତ କରାଯାଇଛି।