ବାତ୍ୟା ପ୍ରଭାବିତ ପରିବାରକୁ ୧ ହଜାର ଲିଟର କିରାସିନି ଯୋଗାଇ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ/ଭୁବନେଶ୍ୱର: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ପ୍ରଭାବିତ ପରିବାରଗୁଡ଼ିକୁ ମାଗଣାରେ ଏକ ହଜାର ଲିଟର କିରାସିନି ତେଲ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଲ ଯୋଗାଇବା ପାଇଁ ବନ୍ଦୋବସ୍ତ କରିଛନ୍ତି।

ଏ ସଂକ୍ରାନ୍ତରେ ଉତ୍ତର ପତ୍ରରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଏକ ହଜାର ଲିଟର କିରାସିନ ବାତ୍ୟା ଦୁର୍ଗତଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ହଜାର ଲିଟର କିରାସିନିର ମୂଲ୍ୟ ୩. ୩ କୋଟି ଟଙ୍କା । କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଅଥବା ରାଜ୍ୟ ତହବିଲକୁ ଯୋଗାଇ ଦେବ।

ଏଥି ସହ ଆହୁରି ୧ ହଜାର ଲିଟର କିରାସିନ ମଧ୍ୟ ରାଜ୍ୟ ସରକାର ସରକାରୀ ବ୍ୟବସ୍ଥାରେ ନେବାକୁ ଅନୁମତି ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, ବାତ୍ୟା ପରେ ରାଜ୍ୟକୁ ଯଥେଷ୍ଟ ପରିମାଣର ପେଟ୍ରୋଲ୍‌, ଡିଜେଲ୍‌ ଓ ଏଲ୍‌ପିଜି ଦିଆଯାଇଛି। ପେଟ୍ରୋଲିୟମ୍‌ ମନ୍ତ୍ରାଳୟ ଏବଂ ଏହା ଅଧୀନସ୍ଥ ରାଷ୍ଟ୍ରାୟତ ଉଦ୍ୟୋଗସମୂହ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ।

ସମ୍ବନ୍ଧିତ ଖବର