ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ୫.୩ କୋଟି ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ଫ୍ଲାଟ୍କୁ ୧୧ ଲକ୍ଷ ଟଙ୍କାରେ କିଣିଛନ୍ତି। କୋର୍ଟରେ ଆଇସିଆଇସିଆଇ ବ୍ୟାଙ୍କ ଋଣ ଜାଲିଆତି ମାମଲାର ଶୁଣାଣି ଚାଲିଥିବାବେଳେ ସିବିଆଇର ଏଭଳି ଅଭିଯୋଗ ସାମ୍ନାକୁ ଆସିଛି। ଚନ୍ଦା ୨୦୧୬ରେ ଭିଡିଓକନ୍ ଗ୍ରୁପ୍ ଠାରୁ ଉକ୍ତ ଫ୍ଲାଟ ଗ୍ରହଣ କରିଥିଲେ। ମୁମ୍ବାଇର ଚର୍ଚ୍ଚଗେଟ୍ରେ ସିସିଆଇ ଚାମ୍ବର୍ସରେ ଥିବା ଉକ୍ତ ଫ୍ଲାଟ୍ର ବଜାର ମୂଲ୍ୟ ୧୯୯୬ ମସିହାରେ ୫.୩ କୋଟି ଟଙ୍କା ରହିଥିଲା। କିନ୍ତୁ ୨୦୧୬ ଅକ୍ଟୋବରରେ ଉକ୍ତ ଫ୍ଲାଟ୍କୁ କୋଚ୍ଚରଙ୍କ ପରିବାର ଟ୍ରଷ୍ଟକୁ ମାତ୍ର ୧୧ ଲକ୍ଷ ଟଙ୍କାରେ ହସ୍ତାନ୍ତର କରାଯାଇଥିଲା।
ଚଳିତବର୍ଷ ସିବିଆଇ ୧୧ ହଜାର ପୃଷ୍ଠାରୁ ଅଧିକ ଫର୍ଦ୍ଦ ବିଶିଷ୍ଟ ଏକ ଚାର୍ଜସିଟ୍ ଦାଖଲ କରିଛି। ଅଭିଯୋଗଫର୍ଦ୍ଦରେ ଚନ୍ଦା, ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ ଗ୍ରୁପର ପ୍ରତିଷ୍ଠାତା ଭିଏନ୍ ଧୁତ୍ଙ୍କ ନାମ ରହିଛି। ଭିଡିଓକନ ଗ୍ରୁପ୍ ସହ ଜଡ଼ିତ କମ୍ପାନିକୁ ଋଣ ପ୍ରଦାନ ସମୟରେ ଅନିୟମିତତା ହୋଇଥିବା ନେଇ ଉକ୍ତ ଅଭିଯୋଗଫର୍ଦ୍ଦରେ ଦର୍ଶାଯାଇଛି। ସିବିଆଇ ଅଭିଯୋଗ କରିଛି ଯେ ଚନ୍ଦା କୋଚ୍ଚର ଏବଂ ଅନ୍ୟମାନେ ଭିଡିଓକନ ଗ୍ରୁପ କମ୍ପାନିକୁ ଋଣ ଦେବାପାଇଁ ଷଡ଼୍ଯନ୍ତ୍ର କରିଥିଲେ। ୨୦୦୯ ଅଗଷ୍ଟରେ କୋଚ୍ଚରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୩୦୦ କୋଟି ଟଙ୍କାର ଋଣ ଭିଡ଼ିଓକନ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡକୁ ମଞ୍ଜୁର କରିଥିଲା। ଭିଡିଓକନ ଗ୍ରୁପର ଏକାଧିକ କମ୍ପାନିକୁ ଜଟିଳ ପକ୍ରିୟାରେ ଏହି ଋଣ ବଣ୍ଟନ କରାଯାଇଥିଲା। ଏଥିସହିତ ନିବେଶ ଆକାରରେ ୬୪ କୋଟି ଟଙ୍କା ଦୀପକ କୋଚ୍ଚରଙ୍କ ନ୍ୟୁପାୱାର ରିନେୱେବଲ ଲିମିଟେଡକୁ ପ୍ରଦାନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/80-3.jpg)