ରାଜଧାନୀରେ ବିକ୍ରି ଶିଶୁପୁତ୍ର ଉଦ୍ଧାର ଘଟଣା: ମା’, ଛୁଆଙ୍କୁ ଅଲଗା କରିଛି ଆଇନ

ପୁଅକୁ ଚାହିଁ ଚାହିଁ ଆଖିରୁ ଲୁହ ଶୁଖିଗଲାଣି, ଚାଇଲ୍ଡ କେୟାର ହୋମକୁ ଯାଇ ବସି ବସି ଫେରୁଛନ୍ତି

ଭୁବନେଶ୍ବର : ପୁଅ ଉଦ୍ଧାର ହେବା ଦିନ ଖାଲି ଯାହା ମାତ୍ର କେଇ ଘଣ୍ଟା ପାଇଁ ପୁଅକୁ କୋଳରେ ଧରିଥିଲେ। ଏବେ ପୁଅକୁ ଫେରି ପାଇବା ପାଇଁ ଆଇନ ସାଜିଛି ପ୍ରତିବନ୍ଧକ। ଚାଇଲ୍ଡ କେୟାର ହୋମ ଆଗରେ ଘଣ୍ଟା ଘଣ୍ଟା ବସୁଛନ୍ତି। ବର୍ଷେ ପରେ ଫେରିଥିବା ପୁଅ ମୁହଁକୁ ଟିକେ ଦେଖିବେ ବୋଲି ଦିନ ବିତିଯାଉଛି। କିନ୍ତୁ ପୁଅ ସହ ଦେଖା ହୋଇପାରୁନି। ପୁଅ କୋଳକୁ କେବେ ଫେରିବ ଭାବି ଭାବି ଆଖିରୁ ଲୁହ ଶୁଖି ଗଲାଣି। ଘରେ ବି ମନ ବୁଝୁନି କି ଗଣ୍ଡେ ଖାଇବାକୁ ଇଚ୍ଛା ହେଉନି। କେତେବେଳେ ଚାଇଲ୍ଡକେୟାରକୁ ଦୌଡ଼ୁଛନ୍ତି ତ ଆଉ କେତେବେଳେ ଥାନାକୁ ଯାଇ ଗୁହାରି ହେଉଛନ୍ତି। ଏ ହେଉଛି ପାତ୍ରପଡ଼ାରେ ରହୁଥିବା ଆରତି ନାୟକଙ୍କ କାହାଣୀ।

ଆରତି ବେଙ୍ଗାଲୁରୁରେ ରହି କାମ କରୁଥିବା ସମୟରେ ୨୦୧୮ରେ ତପନ ପଲେଇଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେମାନେ ବିବାହ କରି ଭୁବନେଶ୍ବର ଫେରି ଆସି ସାଲିଆସାହି ନୀଳଚକ୍ରନଗରରେ ରହୁଥିଲେ। ୨୦୨୦ ମାର୍ଚ୍ଚରେ ଆରତିଙ୍କର ଏକ ଘରୋଇ ହସ୍ପିଟାଲରେ ଶିଶୁପୁତ୍ର ଜନ୍ମ ହୋଇଥିଲା। ଏହା ପରେ କୌଶଳକ୍ରମେ ତପନ ଶିଶୁପୁତ୍ରକୁ ଖୋର୍ଦ୍ଧା ପିଚୁକୁଳି ନିକଟରେ ନୟାଗଡ଼ର ଶ୍ରୀନିବାସ ଜେନା ଓରଫ୍ ନିବାସଙ୍କୁ ବିକ୍ରି କରି ଦେଇଥିଲେ। ଆରତି ଶିଶୁପୁତ୍ରକୁ ଫେରି ପାଇବା ପାଇଁ ପ୍ରବଳ ସଂଘର୍ଷ କରିଥିଲେ। ଶେଷରେ ବର୍ଷେ ପରେ ପୁଲିସ ନିକଟରେ ଶିଶୁପୁତ୍ରକୁ ଶ୍ରୀନିବାସଙ୍କ ଘରୁ ଉଦ୍ଧାର କରିବା ସହ ଶ୍ରୀନିବାସକୁ ଗିରଫ କରିଥିଲା। କିନ୍ତୁ ପିଲା ବିକ୍ରି କରିଥିବା ବାପା ତପନ ପଲେଇର କୌଣସି ପତ୍ତା ପାଇପାରି ନାହିଁ ପୁଲିସ। ସେଦିନ ପୁଅକୁ ଫେରି ପାଇ ଖୁସିରେ ବିଭୋର ହୋଇ ଯାଇଥିଲେ ଆରତି। କିନ୍ତୁ ମା, ପୁଅଙ୍କୁ ଅଲଗା କରି ଦେଇଥିଲା ଆଇନ। ଉଦ୍ଧାର ପରେ ଶିଶୁପୁତ୍ରକୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିଲା। ଏହା ପରେ ପାତ୍ରପଡ଼ାସ୍ଥିତ ଏକ ଚାଇଲ୍ଡକେୟାର ହୋମରେ ଛଡ଼ାଯାଇଛି। କାରଣ ପ୍ରଥମେ ଶିଶୁପୁତ୍ର କାହାର ତାହା ଆଇନଗତ ଭାବେ ପ୍ରମାଣ କରିବାକୁ ପଡ଼ିବ। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ସିଡବ୍ଲ୍ୟୁସି ପକ୍ଷରୁ ତଦନ୍ତ କରାଯିବ। ତାଙ୍କର ପରିବାର, ପଡ଼ୋଶୀ, ଯେଉଁ ହସ୍ପିଟାଲରେ ପିଲା ଜନ୍ମ ହୋଇଥିଲା ସେଠାରେ ଅନୁସନ୍ଧାନ କରାଯିବ। ସେଠାରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରମାଣ ଯଦି ଆରତିଙ୍କ ସପକ୍ଷରେ ଯାଏ ତାହେଲେ ତାଙ୍କୁ ଶିଶୁପୁତ୍ରକୁ ହସ୍ତାନ୍ତର କରାଯିବ। ନଚେତ୍ ଖବରକାଗଜରେ ବିଜ୍ଞାପନ ଦିଆଯିବ।

କିନ୍ତୁ ପିଲାଟି ଆରତିଙ୍କର ବୋଲି ସ୍ପଷ୍ଟ ହୋଇସାରିଛି। ପିଲା ଯେଉଁଠି ବିକ୍ରି ହୋଇଥିଲା ତାହାର ଠିକଣା ଆରତି ଦେଇଥିଲେ। ତାଙ୍କରି ତଥ୍ୟ ଆଧାରରେ ନୂଆପଲ୍ଲୀ ଥାନା ପୁଲିସ ଶିଶୁପୁତ୍ରକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ଆଇନ ଜାଲରେ ବନ୍ଧା ମା’-ପୁଅର ମିଳନ। କେବେ ପିଲା ମା’ କୋଳକୁ ଫେରିବ? କେବେ ପୁଅକୁ ନିଜ କୋଳରେ ପାଇବେ ଆରତି? ଆଇନଗତ ପ୍ରକ୍ରିୟା ଆହୁରି କେତେ ଲମ୍ବା ହେବ? ପିଲାକୁ ପାଇବାକୁ ମା’କୁ ଆଉ କେତେ ଧୈର୍ଯ୍ୟ ଧରିବାକୁ ପଡ଼ିବ? କେବେ ସରିବ ତଦନ୍ତ, କେବେ ଫେରିବ ପିଲା? ଏ ସବୁ ପ୍ରଶ୍ନ ଏବେ ମୁଣ୍ଡ ଟେକିଛି।

ସମ୍ବନ୍ଧିତ ଖବର