ଛୁଆଙ୍କ ଖାଦ୍ୟ ଖାଇଗଲେ…ଜିଲ୍ଲାପାଳଙ୍କ ନାଁ ନେଇ ଖସିବାକୁ ଉଦ୍ୟମ!

ଦସ୍ତଖତ ଦେଇଥିଲେ କେମିତି? ଶିଶୁ ମଙ୍ଗଳ କମିଟିର ଉଦ୍‌ବେଗ

ବଲାଙ୍ଗୀର: ପଛୁଆ ବଲାଙ୍ଗୀର ଜିଲ୍ଲାରେ ଶିଶୁଙ୍କ ପୃଷ୍ଟିହୀନତା ଚିନ୍ତାର ବିଷୟ। କିନ୍ତୁ ଏଠି ସରକାରୀ ଯୋଜନାରେ ଆସୁଥିବା ଶିଶୁଙ୍କ ପୁଷ୍ଟିକର ଖାଦ୍ୟରୁ ଲୁଟ ଚାଲିଛି। ଏନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଟ୍ରାନ୍ସପୋର୍ଟିଂ ଏଜେଣ୍ଟ ନାଁରେ ମାମଲା ରୁଜୁ ହୋଇଥିଲା। ପୁଲିସ ବି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ପଇଁତରା ମାରୁଛି। ଏହି ମାମଲା ସହ ସଂପୃକ୍ତ ଫାଇଲ ଓ କାଗଜପତ୍ର ସବୁ ଜବତ କରିବା ସହ ପୁଲିସ ତଦନ୍ତ ଚଳାଇଛି। ହେଲେ ଦାୟୀ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଉଛି ପ୍ରଶାସନ। ତଳିଆ କର୍ମଚାରୀଙ୍କୁ କାରଣଦର୍ଶାଅ ନୋଟିସ ଦେଇ ତୁନି ପଡ଼ିଛନ୍ତି ବିଭାଗୀୟ ବାବୁଆଣୀ।

ପ୍ରଥମେ ପ୍ରଥମେ ଡିଏସ୍‌ଡବ୍ଲୁଓ ସଫେଇ ଦେଇ କହିଥିଲେ, ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିବା ଚାଉଳ ଲିପ୍ଟିଂ ଓ ଡେଲିଭରି ଦାୟିତ୍ୱରେ ଥିବା ଅଧିକାରୀ ଏଡିଏସ୍‌ଡବ୍ଲୁ ଛୁଟିରେ ଥିଲେ। ଏଣୁ ଟ୍ରାନ୍ସପୋର୍ଟିଂ ଏଜେଣ୍ଟ ବିରୋଧରେ ଥାନାରେ ଏତଲା ଦିଆଯାଇଛି। ପୁଲିସ ତାହାର ତଦନ୍ତ କରୁଛି ବୋଲି କହୁଥିଲେ। କିନ୍ତୁ ବିଭାଗର ଦୁର୍ନୀତିର ଗୁମର କଥା ସବୁ ପ୍ରଘଟ ହେବା ପରେ ସବୁ କାଗଜପତ୍ର ଓ ଚିଠିପତ୍ର ଅଧିକାରୀଙ୍କ ସଂପୃକ୍ତିର ପ୍ରମାଣ ଦେଇଥିଲା। ଏହି ପ୍ରମାଣ ସବୁ ସାମ୍ନାକୁ ଆସିବା ପରେ ଏଡିଏସ୍‌ଡବ୍ଲୁଓଙ୍କ ବିଷୟରେ ଜିଲ୍ଲାପାଳଙ୍କୁ କହିବେ ଓ ସେ ଯାହା କରିବେ ବୋଲି କହିଛନ୍ତି ଡିଏସ୍‌ଡବ୍ଲୁଓ।

ପ୍ରକାଶ ଯେ ଚାଉଳ ଲିଫ୍ଟିଂ ଓ ଡେଲିଭରି ପାଇଁ ସବୁରେ ଦସ୍ତଖତ କରିଛନ୍ତି  ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ତଥା ଏଡିଏସ୍‌ଡବ୍ଲୁ  ନାନକୁ ସା। ବାବୁ ଯଦି ଛୁଟିରେ ଥିଲେ ଦସ୍ତଖତ କଲା କିଏ? ଏବେ ବାବୁଙ୍କ ଦସ୍ତଖତକୁ ନେଇ ଚାରିଆଡ଼େ ଚର୍ଚ୍ଚା। ବିଭାଗୀୟ ବାବୁଙ୍କୁ ସୁରକ୍ଷା ଦେବା ପାଇଁ ବାବୁଆଣୀଙ୍କ ପ୍ରଥମ ବୟାନ ଥିଲା ‘ଛୁଟିରେ ଥିଲେ ଅଧିକାରୀ’। କିନ୍ତୁ ପୂରା ଘଟଣାରେ ପରିବହନ ଏଜେଣ୍ଟ ସହିତ ଦାୟିତ୍ୱରେ ଥିବା ଅଧିକାରୀ ନାନକୁ ସାଙ୍କ ମଧୁଚନ୍ଦ୍ରିକା ସାମ୍ନାକୁ ଆସିଛି। ବର୍ତ୍ତମାନ ପୁଲିସ ମାମଲାର ତନାଘନା କରିବା ସମୟରେ ଛୁଟିରେ ଚାଲିଯାଇଛନ୍ତି ନାନକୁ ସା। ଏପରିକି ତାଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କଲେ ଫୋନ୍‌ ସୁଇଚ୍‌ଅଫ ରହିଛି। ଦୁର୍ନୀତିର ଚେର ତଳୁ ଉପର ଯାଏ ଲମ୍ବିଥିବାରୁ ଏବେ ସବୁ ଛାନିଆଁ ହେଲେଣି। ଡିଏସ୍‌ଡବ୍ଲୁଓ ଏହାରି ଭିତରେ ସିଡିପିଓ ଏବଂ ସୁପରଭାଇଜରଙ୍କୁ କା‌ରଣଦର୍ଶଆ ମାଗିଦେଇ ସେ ବି ଛୁଟିରେ ଅଛନ୍ତି। ପୁଲିସ କାର୍ଯ୍ୟାଳୟକୁ ତଦନ୍ତ ପାଇଁ ଗଲେ ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ଫେରି ଆସୁଛି। ଏପଟେ ଘଟଣାକୁ ଗୁରୁତ୍ବର ସହ ନେଇଛି ଜିଲ୍ଲା ଶିଶୁ ମଙ୍ଗଳ କମିଟି। ଛୁଆଙ୍କ ଖାଦ୍ୟ ଲୁଟି ଖାଇଯିବା ଏକ ଅପରାଧ ବୋଲି କହିଛନ୍ତି ସିଡବ୍ଲୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି। ସେ କହିଛନ୍ତି, ଘଟଣା ସଂର୍ପକରେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ। ଯେଉଁମାନେ ଏଥିରେ ସଂପୃକ୍ତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଲକ୍‌ଡାଉନ୍‌ ଯୋଗୁଁ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବାକୁ ନିର୍ଦେଶ ରହିଥିଲା। ଯାହା ଫଳରେ ଚାଉଳ ଗ୍ରହଣ କରିବା ସମୟରେ ଅଙ୍ଗନୱାଡ଼ି କର୍ମୀ ଓଜନ କରିଥିଲେ। ହେଲେ ଓଜନ ପରେ ଧରାପଡ଼ିଲା ଲୁଟ। ପ୍ରତି ୫୦ କିଲୋ ବସ୍ତାରୁ ୫ରୁ ୬ କେଜି ଚାଉଳ ହରିଲୁଟ ହୋଇଥିଲା। ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ବାହାରିଥିଲା ବିଭାଗର ଅଧିକାରୀଙ୍କ ସଂପୃକ୍ତି। ସାରା ଜିଲ୍ଲାରେ ଏମିତି ବର୍ଷ ବର୍ଷ ଧରି ହରିଲୁଟ ହେଉଥିଲା ଚାଉଳ। କିନ୍ତୁ ପ୍ରଶାସନ ଟ୍ରାନ୍ସପୋର୍ଟିଂ ଏଜେଣ୍ଟ ବିରୋଧରେ ଥାନାରେ ଏତଲା ଦେଇଥିବା ବେଳେ ଅଧିକାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନେବ? ନା ଏଥିରେ ବି ଅଧିକାରୀ ଖସିଯିବେ? ଏସବୁ ଭିତରେ ଛୁଆଙ୍କ ଖାଦ୍ୟ ବି ଠିକ ସମୟରେ ସେମାନଙ୍କ ପାଖକୁ ପହଞ୍ଚି ନାହିଁ। ଏ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର