ସୀମାରେ ମିଳିତ ପ୍ରୟାସରେ ଶାନ୍ତି ରଖିବୁ: ଚୀନ୍‌

ବେଜିଂ: ଚୀନ୍‌-ଭାରତ ସୀମାରେ ଶାନ୍ତି ବଜାୟ ରଖିବାକୁ ଚୀନ୍‌ ଆଗ୍ରହ ପ୍ରକାଶ କରିଛି ଏବଂ ଭାରତ ସହ ମିଳିତ ପ୍ରକ୍ରିୟାରେ ଏହାକୁ ସାକାର କରିବାକୁ ଚୀନ୍‌ ସରକାର ଗୁରୁତ୍ୱାରୋପ କରିଛନ୍ତି। ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ସିକିମର ନାଥୁଲା ସୀମାରେ ଚୀନ୍‌ ସୈନିକଙ୍କୁ ଭେଟିଥିଲେ ଏବଂ ସେମାନଙ୍କୁ ‘ନମସ୍ତେ’ କହିବା ଶିଖାଇଥିଲେ। ଚୀନ୍‌ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁନିୟାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଭାରତ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଆମେ ଆଗ୍ରହୀ ଏବଂ ଉଭୟ ପକ୍ଷ ଏ ବାବଦରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

୧୮୯୦ ମସିହା ବ୍ରିଟେନ୍‌-ଚୀନ୍‌ ସୀମା ଚୁକ୍ତିକୁ ଭାରତ ସମ୍ମାନ ଜଣାଇବାକୁ ଚୀନ୍‌ ଗତକାଲି ଜୋର୍‌ ଦେଇଥିବା ବେଳେ ଆଜି ସୀମାରେ ଶାନ୍ତି ସ୍ଥାପନ ପାଇଁ ଭିନ୍ନ ଆଭିମୁଖ୍ୟ ଦେଖାଇଛି। ଗତକାଲି ଚୀନ୍‌ ବୈଦେଶିକ ମନ୍ତ୍ରାଳୟ କହିଥିଲା ଯେ ତତ୍କାଳୀନ ବ୍ରିଟେନ୍‌-ଚୀନ୍‌ ସୀମା ରାଜିନାମାରେ ସିକିମ ଅଞ୍ଚଳର ସ୍ଥିତି ସ୍ଥିରୀକୃତ ସରିଛି। ସେହି ଚୁକ୍ତିକୁ ଭାରତ ସମ୍ମାନ ଦେଇ କାର୍ଯ୍ୟ କରିବାକୁ ଚୀନ୍‌ ପରମର୍ଶ ଦେଇଥିଲା।

ସମ୍ବନ୍ଧିତ ଖବର