ଲଦାଖରେ ଚୀନର ସାମରିକ ହେଲିକପ୍ଟର, ଲଢୁଆ ବିମାନ ପଠାଇଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : କରୋନା ଭାଇରସ ପ୍ରସଙ୍ଗରୁ ବିଶ୍ୱ ସମୁଦାୟର ଧ୍ୟାନ ଏଡ଼ଇବାକୁ ଚୀନ ନିଜର ପଡ଼ୋଶୀ ଦେଶମାନଙ୍କ ସହ ଶତ୍ରୁତାପୂର୍ଣ ବ୍ୟବହାର ଆରମ୍ଭ କରିଦେଇଛି । କିଛିଦିନ ପୂର୍ବେ ସିକ୍କିମର ନାକୁ-ଲା ଅଞ୍ଚଳରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହୋଇ ହାତାହାତି ହେବା ଖବର ନ ଥମୁଣୁ ଚୀନର ଆଉ ଏକ ଉତ୍ତେଜନାସୃଷ୍ଟିକାରୀ କାର୍ଯ୍ୟକଳାପ ସାମନାକୁ ଆସିଛି ।

ଗତ ସପ୍ତାହରେ ଲଦାଖରେ ଥିବା ଭାରତ-ଚୀନ ସୀମାର ଅତିନିକଟରେ ଚୀନର ମିଲଟାରୀ ହେଲିକପ୍ଟର ଉଡ଼ୁଥିବା ସୂଚନା ମିଳିବାପରେ ଭାରତୀୟ ବାୟୁସେନା ତୁରନ୍ତ ନିଜର ଲଢୁଆ ବିମାନ ସେଠାକୁ ପଠାଇ ଥିଲା । ଚୀନର ହେଲିକପ୍ଟର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ପଇଁତରା ମାରୁଥିବାରୁ ସୀମାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ହେଲିକପ୍ଟରଟି ସୀମା ଅତିକ୍ରମ କରିନଥିଲା ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ଚୀନର ହେଲିକପ୍ଟର ଚୀନ ସୀମାରେ ଓ ଭାରତୀୟ ଲଢୁଆ ବିମାନ ନିଜ ସୀମା ଭିତରେ ରହି ଉଡ଼ୁଥିବା ସୂଚନା ମିଳିଛି  । ଏହା ଏକ ନିୟମିତ ବ୍ୟାପାର ବୋଲି ବାୟୁସେନା କହିଛି । ତେବେ ବିଶେଷଜ୍ଞମାନେ ଏହାକୁ ଏକ ଉସୁକାଇବା ଭଳି କାମ ବୋଲି ମନେକରୁଛନ୍ତି ।

ଗତ ସପ୍ତାହରେ ସିକିମ ଓ ଲଦାଖରେ ଭାରତ ଓ ଚୀନ ସୈନ୍ୟ ହାତାହାତି ଓ ଟେକା ଫିଙ୍ଗାଫିଙ୍ଗି କରିଥିଲେ । ଏହା ଫଳର ଉଭୟ ପକ୍ଷର କେତେକ ସୈନ୍ୟ ଆହତ ହୋଇଥିଲେ ।

ସମ୍ବନ୍ଧିତ ଖବର