ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନର ସବୁଠାରୁ ଅଧିକ ପ୍ରଭାବ ଚାଷ ଓ ଚାଷୀମାନଙ୍କ ଉପରେ ପଡୁଛି। ଆମ ରାଜ୍ୟ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ଗତ କିଛି ଦଶନ୍ଧିଧରି ଭୋଗିବାରେ ଲାଗିଛି । ଅନିୟମିତ ବର୍ଷା, ମରୁଡି, ପ୍ରବଳ ବର୍ଷା ଓ ତୋଫାନ ଆଦି ଆମ ରାଜ୍ୟରେ ନିୟମିତ ହୋଇଯାଇଛି । ଚଳିତ ବର୍ଷ ରାଜ୍ୟର ପ୍ରାୟ ସବୁ ଜିଲ୍ଲାର କୃଷି ଏହି ଅସ୍ଥିର ପାଣିପାଗ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ଆଗାମୀ ଦିନରେ ମଧ୍ୟ ଏହା ବଢିଚାଲିବ ଓ ଆମ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ ଆମ ରାଜ୍ୟ ବିଶେଷଭାବେ ପ୍ରଭାବିତ ହେବ । ଏହାକୁ ଦୃଷ୍ଟିରେ ରଖି ଆମ କୃଷକମାନଙ୍କୁ ଜଳବାୟୁ ସହନକ୍ଷମ କୃଷି କୌଶଳର ତାଲିମ ଦେବାକୁ ହେବ ବୋଲି କହିଛନ୍ତି ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର ।

Advertisment

ଏଠାରେ ଅନୁଷ୍ଠିତ ଏକ କୃଷକ ତାଲିମ ଶିବିରକୁ ଉଦଘାଟନ କରି ସେ କହିଛନ୍ତି ଯେ ଆମ କୃଷି ପଦ୍ଧତିକୁ ଜଳବାୟୁ ସହନକ୍ଷମ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଏହି ତାଲିମ ଶିବିରକୁ ଆକ୍ସନ ଅନ କ୍ଲାଇମେଟ ଚେଞ୍ଜ ଓ ସିଟ୍ରାନ ପକ୍ଷରୁ ଆୟୋଜନ କରାଯାଇଥିଲା ।

ଏହି ଅବସରେ ସିଟ୍ରାନର ମୁଖ୍ୟ ଅଶୋକ ସିଂ କହିଥିଲେ ଯେ କୃଷି ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବାକୁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ଆକ୍ସନ ଅନ କ୍ଲାଇମେଟ ଚେଞ୍ଜ-ଓଡ଼ିଶାର ଟିମ ଲିଡର ସୌମିକ୍‌ ବିଶ୍ୱାସ କହିଛନ୍ତି ଯେ ଜଳବାୟୁ ସହନକ୍ଷମ କୃଷି ଉପରେ ଅଧିକରୁ ଅଧିକ ଚାଷୀଙ୍କୁ ତାଲିମ ଦେବାର ଆବଶ୍ୟକତା ରହିଛି । ଏହି ଶିବିରରେ ବିଭିନ୍ନ ଜିଲ୍ଲାର ଚାଷୀ ଉପସ୍ଥିତ ଥିଲେ ।