ଜଳବାୟୁ ପରିବର୍ତ୍ତନ ମୁକାବିଲା ଅର୍ଥ ଖର୍ଚ୍ଚ ହେଇପାରୁନି

ଭୁବନେଶ୍ବର : ଓୟୁଏଟି ଅଧୀନରେ ୨୦୧୧-୧୨ ବର୍ଷ ଠାରୁ ୫ଟି କୃଷି ବିଜ୍ଞାନ କେନ୍ଦ୍ର ଯଥା ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ସୋନପୁରରେ ଜାତୀୟ ପରିବର୍ତ୍ତତ ଜଳବାୟୁ ଅନୁକୂଳ ଚାଷ ପଦ୍ଧତିି ଯୋଜନା କାର୍ଯ୍ୟକାରୀ ହେଉଛି। ୨୦୧୧-୧୨ରୁ ବର୍ତ୍ତମାନ ସୁଦ୍ଧା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଠାରୁ ୪୯୨.୭୦ଲକ୍ଷ ଟଙ୍କା ଆସିଛି। ଏଥିରୁ ୪୨୧.୫୦ଲକ୍ଷ ଟଙ୍କା ପ୍ରାକୃତିକ ସମ୍ପଦ ପରିଚାଳନା, ଫସଲ ଉତ୍ପାଦନ, ଗୋପାଳନ ଓ ମତ୍ସ୍ୟ ଚାଷ ଉତ୍ପାଦନ ଏବଂ ଆନୁଷ୍ଠାନିକ ସହଯୋଗ ବାବଦରେ ଖର୍ଚ୍ଚ ହୋଇଛି ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ମୁକାବିଲା ଲାଗି ୨୦୧୦ରୁ କାର୍ଯ୍ୟକାରୀ ୩ଟି କାର୍ଯ୍ୟକାରୀ ଯୋଜନାରେ କୃଷି କ୍ଷେତ୍ର ପାଇଁ ସ୍ବତନ୍ତ୍ର ଭାବେ କେତେ ଅର୍ଥ ବରାଦ ହୋଇଥିଲା ଏବଂ କେତେ ବ୍ୟୟ କରି କେଉଁ ଲକ୍ଷ୍ୟ ହାସଲ ହୋଇଛି ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହାସହ ସୂଚନା ଦେଇଛନ୍ତି ଯେ, ଏବାବଦକୁ ବିଭିନ୍ନ ଯୋଜନାରେ ବିଭାଗକୁ ୬୦କୋଟି ୫୮ଲକ୍ଷ ୯ହଜାର ୩୪୧ଟଙ୍କା ମିଳିଥିବାବେଳେ ଏଥିରୁ ୩୯କୋଟି ୧୪ଲକ୍ଷ ୫୪ହଜାର ୭୧୯ଟଙ୍କା ଖର୍ଚ୍ଚ ହୋଇଛି। ୨୧କୋଟି ୪୩ଲକ୍ଷ ୫୪ହଜାର ୬୨୨ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି।

Twitter

ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ତଥ୍ୟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ମୁକାବିଲା ଲାଗି ଜମିରେ ଜଳ ସଂରକ୍ଷଣ ଓ ପରିଚାଳନ ଆଡ଼ିବନ୍ଧ ଓ ଫାର୍ମ ପୋଖରୀର ନବୀକରଣ, ବର୍ଷା ଜଳ ସଂରକ୍ଷଣ, ବିଭିନ୍ନ ଜଳ ସଂରକ୍ଷଣ ପଦ୍ଧତି ଇତ୍ୟାଦି ମାଧ୍ୟମରେ କ୍ଷେତ୍ର ପ୍ରଦର୍ଶନ ଓ ତାଲିମ ଦିଆଯାଇଛି। ସେହିଭଳି ମରୁଡ଼ି ସହନଶୀଳ କିସମ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଧାନ, ମୁଗ, ହରଡ଼, ବିରି, କୋଳଥ ଓ ବିଭିନ୍ନ କିସମ ପନିପରିବା ଫସଲରେ ଜଳ ସଂରକ୍ଷଣ କରିବା ପାଇଁ ପଲିଥିନ ଦ୍ବାରା ଛାଦି କରଣ, ଗୋଖାଦ୍ୟ ପାଇଁ ଘାସ ଚାଷ, ଉନ୍ନତ କିସମର କୁକୁଡ଼ା ଓ ବତକ ପାଳନ, ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ, ସମନ୍ବିତ ପଦ୍ଧତିରେ ମତ୍ସ୍ୟ ଚାଷ ଓ ବିହନ ଭଣ୍ଡାର ଉପରେ ଗୁରୁତ୍ବ ଆରୋପ କରି ଚାଷୀଙ୍କୁ ଲାଭାନ୍ବିତ କରାଯାଉଛି।

ସେହିପରି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିଶ୍ବ୍ବବ୍ୟାଙ୍କ ସହାୟତାରେ ‘ଓଡ଼ିଶା ସମନ୍ବିତ ଜଳସେଚନ ପ୍ରକଳ୍ପ ଏବଂ ଜଳବାୟୁ ସହନଶୀଳ କାର୍ଯ୍ୟକ୍ରମ’ ୨୦୧୯ରୁ କାର୍ଯ୍ୟକାରୀ ହେଉଛି। ଏଥିରେ ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପାଇଁ ମୋଟ୍ ୫୫,୫୫,୩୯,୩୪୧ଟଙ୍କା ଆସିଥିବାବେଳେ ଏଥିରୁ ୩୪,୯୩,୦୪,୭୧୯ ଟଙ୍କା ଖର୍ଚ୍ଚ ହୋଇଛି।

ସମ୍ବନ୍ଧିତ ଖବର