ଭୁବନେଶ୍ୱର: ଉତ୍ତର ଓଡ଼ିଶାର ଟାଣୁଆ ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କର ପରଲୋକକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ କେନ୍ଦ୍ର ମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ "ବାଲେଶ୍ୱରର ବିଧାୟକ ମଦନମୋହନ ଦତ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି'' |

Advertisment


ସେହିପରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଲେଖିଛନ୍ତି ଯେ "ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ପ୍ରିୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶ୍ରୀଯୁକ୍ତ ଦତ୍ତ ମୋର ଭାଇ ଭଳି ଥିଲେ । ଅତ୍ୟନ୍ତ ଖୋଲା, ଆମାୟିକ ତଥା ଲୋକଙ୍କ ପାଇଁ ସମର୍ପିତ ଥିଲେ " |

ସେହିପରି ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଟ୍ୱିଟ କରି ଲେଖିଛନ୍ତି ଯେ "ବାଲେଶ୍ବରର ବିଧାୟକ ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରଦ୍ଧେୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ବିନା ମେଘରେ ବଜ୍ରପାତ ଭଳି ଆମ ସମସ୍ତଙ୍କୁ ମର୍ମାହତ କରିଛି । ଗରିବ ଲୋକଙ୍କ ହକ ପାଇଁ ସେ ସର୍ବଦା ଅନ୍ୟାୟ, ଅନିତି ଏବଂ ଶୋଷଣ ବିରୁଦ୍ଧରେ ସାଲିସ୍ ବିହୀନ ସଂଘର୍ଷ ଜାରି ରଖିଥିଲେ ''।


ଏଠାରେ ସୂଚନା ଥାଉ କି ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା | ତାଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିବାବେଳେ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ କିଛି ମାସ ଧରି ଚିକିତ୍ସାଧୀନ ଥିଲେ |୨୦୧୯ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ସଦରରୁ ବିଧାୟକ ଭାବେ ବିଜେପି ଟିକଟରେ ନିର୍ବାଚିତ ହୋଇଥିଲେ | ଜଣେ ଲୋକପ୍ରିୟ ଓ ତୃଣମୂଳ ସ୍ତରର ନେତା ଭାବେ ବେଶ ପରିଚିତ ମଦନ ମୋହନଙ୍କ ପୂର୍ବରୁ ରେମୁଣା ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦର ଉପସଭାପତି ଥିଲେ |