ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା’ର ଉଦଘାଟନ କରିଛନ୍ତି। ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହିତ ଏହାଦ୍ବାରା ଏହି ୪ଟି ଜିଲ୍ଲାର ଗରିବ ଜନସାଧାରଣ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ଆଶାପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନଵ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି..କେ ପାଣ୍ଡିଆନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହା ଜରିଆରେ ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ବି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବ। ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର, କଟକର ବଡ଼ ହସ୍ପିଟାଲକୁ ଆସିବାକୁ ପଡ଼ିବନି। ସେମାନଙ୍କୁ ସେମାନଙ୍କ ଜିଲ୍ଲା ଚିକିତ୍ସାଳୟରେ ହିଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା’ ଆରମ୍ଭ କରିଛନ୍ତି।
ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍ ହସ୍ପିଟାଲର ଦକ୍ଷ ଓ ସ୍ବନାମଧନ୍ଯ ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏହିସବୁ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ । ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଏବେ ଚାରିଟି ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ଆରମ୍ଭ ହେବ। ଏହି ଚାରିଟି ଜିଲ୍ଲାରେ ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇବା କଷ୍ଟକର ହେଉଥିବାରୁ ଏବଂ ବହୁ ଡାକ୍ତର ସେଠାରେ ରହିବାକୁ ରାଜି ହେଉନଥିବାରୁ ଏହି ଯୋଜନା ଦ୍ବାରା ଗୁଣାତ୍ମକ ଚିକିତ୍ସା ଯୋଗାଇହେବ।
ଏହି ଯୋଜନାରେ ଜଣେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ କେଉଁ କେଉଁ ବିଶେଷଜ୍ଞ ଡାକ୍ତର ଆବଶ୍ୟକ ସେନେଇ ଏକ ତାଲିକା ପ୍ରସ୍ତୁତ କରି ସ୍ବାସ୍ଥ୍ୟ ବିଭାଗକୁ ପଠାଯିବ। ଏଠାରୁ ପୂର୍ବରୁ ସ୍ବତନ୍ତ୍ର ଡାକ୍ତରୀ ଦଳରେ ସାମିଲ୍ ହୋଇଥିବା ଡାକ୍ତରମାନଙ୍କ ମଧ୍ୟରୁ ଆବଶ୍ୟକ ଡାକ୍ତରଙ୍କୁ ତୁରନ୍ତ ହେଲିକପ୍ଟରରେ ପଠାଯିବ। ସେମାନେ ଅପରେସନ୍ ବା ଚିକିତ୍ସା କରିବା ପରେ ଭୁବନେଶ୍ବର ଫେରିଆସିବେ। ଏବେ ଏସ୍ସିବିର କିଛି ଡାକ୍ତରଙ୍କୁ ନେଇ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଛି। ପରେ ଏମକେ ସିଜି, ବୁର୍ଲା ଏବଂ ବିଏସ୍ କେୱାଇ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଘରୋଇ ଡାକ୍ତରଙ୍କୁ ବି ଏହି ସ୍ବତନ୍ତ୍ର ଡାକ୍ତରୀ ଦଳରେ ସାମିଲ୍ କରାଯିବ।