ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ସାବଧାନ ଓ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: ଆଲୋକ ଏବଂ ଆନନ୍ଦର ପର୍ବ ଦୀପାବଳି। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତଙ୍କ ଜୀବନରେ ବିକାଶର ଆଲୋକ ଭରିଦେବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବା ଏବଂ ଓଡ଼ିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବ‌ା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଟିକା ବାହାରିବା ପର୍ଯ୍ୟନ୍ତ କୋଭିଡ଼ ନିୟମ ପାଳନ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଠିକ୍ ଭାବରେ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ ବୋଲି ସେ ଟୁଇଟ କରି କହିଛନ୍ତି । ବାଣ ନଫୁଟାଇ କେବଳ ଦୀପ ଜଳାଇ ଦୀପାବଳି ପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ୍ ନେହେରୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଟୁଇଟରେ ଲେଖାଯାଇଛି ଯେ‌, ପବିତ୍ର କାଳୀପୂଜା ଓ ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚଳିତ ବର୍ଷ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ସାବଧାନତା ଓ ସତର୍କତା ବଜାୟ ରଖନ୍ତୁ। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ।

ଏପଟେ ଦୀପାବଳିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ଦେଶୀବାସୀଙ୍କ ସୁଖ ଓ ସଂବୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହିପରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ୍ ନେହେରୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କ ସମେତ ଦେଶ ବାହାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର