ଭୁବନେଶ୍ବର: ଖଣ୍ଡଗିରି ଧର୍ମବିହାର ଠାରେ ରାଜ୍ୟର ସର୍ବପ୍ରଥମ ପ୍ରାକୃତିକ ଗ୍ୟାସ ଆଧାରିତ ‘ଶବଦାହ ଗୃହ’ ବା ଶ୍ମଶାନଘାଟ ପ୍ରତିଷ୍ଠା ହୋଇଛି। ଗେଲ୍ ଇଣ୍ଡିଆ ଲିମିଟେଡର ସିଏସଆର୍ ଅର୍ଥରେ ନିର୍ମିତ ଏହି ପ୍ରକଳ୍ପକୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଗେଲ୍ ୧୬ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ୱର ଓ କଟକରେ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହ ନିର୍ମାଣ କରୁଛି। ପ୍ରାକୃତିକ ଗ୍ୟାସ୍ରେ ଏଠାରେ ଶବ ଦାହ ହେବ। ଆଜି ଧର୍ମବିହାରର ଉଦ୍ଘାଟିତ ହୋଇଥିବା ଶ୍ମଶାନରେ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଏମସି ଏଥିରେ ସହଯୋଗୀ ହୋଇଛି। ଏହା ବ୍ୟତୀତ ଆଉ ଦୁଇଟି ଶ୍ମଶାନଘାଟ ଆଇଗିଣିଆ ଓ କଟକର ଖାନନଗର ଠାରେ ତିଆରି ଚାଲିଛି। ଏହାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଖୁବ୍ ଶୀଘ୍ର ଏହାର ଲୋକାର୍ପଣ ହେବ।
ଏହା ଫଳରେ ଦ୍ୱୈତ ନଗରୀରେ ଶବଦାହ ପାଇଁ ଯେଉଁ ଅସୁବିଧା ରହିଥିଲା ତାହା ଦୂର ହେବ। ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଇଜ୍ ଅଫ୍ ଲିଭିଂ’ ପରିକଳ୍ପନାରେ ଏହି ନୂଆ ଅତ୍ୟାଧୁନିକ ଶ୍ମଶାନ ପ୍ରସ୍ତୁତ କରିଥିବାରୁ ଗେଲ୍ ଇଣ୍ଡିଆ ଧନ୍ୟବାଦର ପାତ୍ର ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ର ସରକାରଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡ଼ିଶା ସମେତ ପୂର୍ବ ଭାରତରେ ତୈଳ ଓ ଗ୍ୟାସ ଭିତ୍ତିଭୂମିକୁ ମଜଭୁତ କରାଯାଇଛି। ଗତ ୯ ବର୍ଷରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୨ ଲକ୍ଷ ୩ ହଜାର ୪୭୨ କୋଟି ଟଙ୍କାର ପେଟ୍ରୋଲିୟମ, ପେଟ୍ରୋ କେମିକାଲ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପ୍ଲାଇନ କାମ ଶେଷ ହୋଇଛି। ଧାମରାରେ ଏଲ୍ଏନ୍ଜି ଟର୍ମିନାଲ ବି ପ୍ରସ୍ତୁତ ହୋଇଛି। କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ, ୨୦୧୮ ଅକ୍ଟୋବରରେ କଟକ ଓ ଭୁବନେଶ୍ୱରରେ ଗେଲ୍ ଦ୍ୱାରା ଗ୍ୟାସ ପାଇପ୍ଲାଇନ୍ ବିଛା କାର୍ଯ୍ୟ ଆରମ୍ଭ ହୋଇଥିଲା। ୫ ବର୍ଷ ମଧ୍ୟରେ ପ୍ରାୟ ୫୦ ହଜାର ଘରେ ସଂଯୋଗ ପହଞ୍ଚା ଯାଇପାରିଛି। ଭୁବନେଶ୍ୱରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଘରେ ସୁଲଭ ମୂଲ୍ୟରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି। ସରହାଞ୍ଚଳର ବିକାଶ ସହରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଦ୍ୟୁତ ଯାନ ଓ ସିଏନଜି ଚାଳିତ ଗାଡ଼ି ଉପରେ ଗୁରୁତ୍ବ ଦିଆଯାଉଛି। କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ୨୩ଟି ସିଏନ୍ଜି ଫିଲିଂ ଷ୍ଟେସନ ପ୍ରତିଷ୍ଠା କରାଯାଇଛି।
କେନ୍ଦ୍ର ମନ୍ତ୍ରୀ ରାଜ୍ୟସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି କି ଭୁବନେଶ୍ୱରରେ ଗରିବଙ୍କୁ ଉନ୍ନତି କରିବାକୁ ଦିଆଯାଉନି। ସେମାନଙ୍କୁ ଗରିବ ରଖି ଭୋଟ୍ ରାଜନୀତି କରାଯାଉଛି। କେନ୍ଦ୍ର ସରକାରଙ୍କ ପିଏମ୍ ଆବାସ ଯୋଜନାରେ ସହରାଞ୍ଚଳର ଗରିବ ଓ ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇବା ବ୍ୟବସ୍ଥା ରହିଛି। କିନ୍ତୁ ଗରିବ ବା ବସ୍ତିବାସିନ୍ଦାଙ୍କ ନାମରେ ଜମି ନଥିବାରୁ ସେମାନଙ୍କୁ ଘର ମିଳିପାରୁ ନାହିଁ। ଏଣୁ ରାଜ୍ୟ ସରକାର ଭୋଟ୍ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେମାନଙ୍କୁ ଜାଗା ଉପଲବ୍ଧ କରାଇଲେ ପିଏମ୍ଏୱାଇ ଯୋଜନାରେ ପର୍ଯ୍ୟାପ୍ତ ମାତ୍ରାରେ ଘର ଯୋଗାଇ ଦିଆଯିବ। ଭୁବନେଶ୍ୱର ବସ୍ତି ଶୂନ୍ୟ ହେବ। ଏହା ଅମୃତ ମହୋତ୍ସବର ସଂକଳ୍ପ ହେବା ଉଚିତ୍। ଓଡ଼ିଶାକୁ ଦେଶରେ ୧ ନମ୍ବର କରିବା ସହ ଦାରିଦ୍ୟକୁ ଦୂର କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।
ଚା’ ପିଇଲେ ମନ୍ତ୍ରୀ
ଭୁବନେଶ୍ୱରରେ ଗେଲ ଇଣ୍ଡିଆ ପ୍ରାକୃତିକ ରନ୍ଧନ ଗ୍ୟାସ ପାଇପଲାଇନ ଜରିଆରେ ଯୋଗାଇ ଦେଇଛି। ଏଭଳି ସୁବିଧା ପାଇଥିବା ଅନନ୍ତବିହାରର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅଶୋକ ପ୍ରଧାନଙ୍କ ଘରକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପରିବାର ସହ ଚା’ ପିଇଛନ୍ତି। ପୂର୍ବରୁ ଗ୍ୟସ୍ ଟାଙ୍କି ଜରିଆରେ ରନ୍ଧନ ଗ୍ୟାସ୍ ପାଉଥିବା ଅଶୋକ ପ୍ରଧାନ ଏବେ ପାନୀୟ ଜଳ ଭଳି ପାଇପ୍ ଲାଇନ୍ ଜରିଆରେ ରନ୍ଧନ ଗ୍ୟାସ୍ ପାଉଛନ୍ତି। ଏହି ଗ୍ୟାସ ଅନ୍ୟ ଇନ୍ଧନ ଠାରୁ ଢେର୍ ମାତ୍ରାରେ ଶସ୍ତା ଓ ସୁବିଧାଜନକ। ଏହା ଫଳରେ ଗ୍ୟାସ୍ ଟାଙ୍କି ବୁକିଂ ଓ ଡେଲିଭରି ଝିନ୍ ଝଟ୍ନାହିଁ। ୧୫ ଦିନ ହେବ ସେ ପିଏନ୍ଜି ଗ୍ୟାସ ସଂଯୋଗ କରିଛନ୍ତି ବୋଲି ସେ କେନ୍ଦ୍ରମନ୍ତ୍ରୀଙ୍କୁ ଚା’ପିଇବା ଅବସରରେ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ‘ଇଜ୍ ଅଫ୍ ଲିଭିଂ’ ବା ସହଜ ଜୀବନଯାପନ ପ୍ରଣାଳୀରେ ଏହା ଏକ ବଡ଼ ଉଦାହରଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/fs654f65h45h6fhfh.jpg)