ଫେରିଲେ ସୁନା ଝିଅ ଜୟନ୍ତୀ

ଭୁବନେଶ୍ୱର: ଦୁବାଇରେ ଶେଷ ହୋଇଥିବା ତୃତୀୟ ଦିବ୍ୟାଙ୍ଗ ଏସୀୟ ଯୁବ କ୍ରୀଡ଼ାରେ ୨ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଜିତିଥିବା ଓଡ଼ିଶାର ସୁନା ଝିଅ ଜୟନ୍ତୀ ବେହେରା ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବାପରେ ଗୁରୁକୁଳ ଦୌଡ଼କୁଦ ଏକାଡେମିର ସାଥୀ ଖେଳାଳି, ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ୍‌ ଏବଂ ପ୍ରଶଂସକମାନେ ଫୁଲ ତୋଡ଼ା ଦେଇ ସମ୍ବର୍ଧିତ କରିଥିଲେ। ମୁଁ ଏସୀୟ ପ୍ରତିଯୋଗିତାରେ ୩ ସ୍ୱର୍ଣ୍ଣ ଜିତି ପାରିଥାନ୍ତି। କିନ୍ତୁ ୧୦୦ ମିଟର (୧୩.୪୮ ସେକେଣ୍ଡ୍‌) ଦୌଡ଼ରେ ମାତ୍ର ୦.୦୩ ସେକେଣ୍ଡ୍‌ ଅଧିକ ପାଇଁ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିବା ଟିକେ ଦୁଃଖ ଦେଇଥିଲା। ତେବେ ୨୦୦ ମିଟର (୨୭.୬୦ ସେକେଣ୍ଡ୍‌) ଏବଂ ୪୦୦ ମିଟର (୧.୦୯.୦୮ ସେକେଣ୍ଡ୍‌) ସ୍ୱର୍ଣ୍ଣ ପଦକ ଜିତିଲା ପରେ ଏହି ଦୁଃଖ ଲାଘବ ହୋଇଥିଲା ବୋଲି ଜୟନ୍ତୀ କହିଛନ୍ତି। ଆସନ୍ତା ବର୍ଷ ଇଣ୍ଡୋନେସିଆର ଜାକର୍ତାରେ ହେବାକୁଥିବା ଏସୀୟ ପାରା କ୍ରୀଡ଼ା ଏବଂ ୨୦୨୦ ଟୋକିଓ ପାରା ଅଲିମ୍ପିକ୍‌ସରେ ସ୍ୱର୍ଣ୍ଣ ଜିତିବା ମୋର ପରବର୍ତୀ ଲକ୍ଷ୍ୟ। ଏଥିପାଇଁ ମୁଁ ମୋର ଗୁରୁ ବିଷ୍ଣୁ ସାର୍‌ଙ୍କ ସହ ମିଶି ପ୍ରସ୍ତୁତ ଚଲାଇଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ଏହି ପ୍ରତିଯୋଗିିତାରେ ଭାରତୀୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ୧୭ ସ୍ୱର୍ଣ୍ଣ, ୧୪ ରୌପ୍ୟ ଏବଂ ୧୩ କାଂସ୍ୟ ସହ ମୋଟ ୪୪ ପଦକ ଜିତିଥିଲା।

ସମ୍ବନ୍ଧିତ ଖବର