ଶ୍ରମିକ ସଙ୍ଗଠନର ସମ୍ବର୍ଦ୍ଧନା ସଭାରେ ରୋଚକ ଦୃଶ୍ୟ: ଗୋଟିଏ ମଞ୍ଚରେ କଂଗ୍ରେସ ଓ ବିଜେଡି ବିଧାୟକ ପ୍ରାର୍ଥୀ

ରାଉରକେଲା: ରାଉରକେଲା ସେକ୍ଟର-୮ସ୍ଥ ଗାଙ୍ଗପୁର ମଜଦୁର ମଞ୍ଚ (ଜିଏମ୍‌ଏମ୍‌) ତରଫରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ତଥା ଜିଏମ୍‌ଏମ୍‌ ସଭାପତି ଜର୍ଜ ତିର୍କି ଏଥିରେ ସଭାପତିତ୍ବ କରିଥିଲେ। କଂଗ୍ରେସ୍‌ର ରଘୁନାଥପାଲି ବିଧାୟକ ପ୍ରାର୍ଥୀ ଗୋପାଳ ଦାସ ନିକଟରେ ଆର୍‌ଏସ୍‌ପିରୁ ଅବସର ନେଇଥିବାରୁ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ବୋଲି ଆୟୋଜକଙ୍କ ତରଫରୁ ସଫେଇ ଦିଆଯାଉଛି। କିନ୍ତୁ ଜିଏମ୍‌ଏମ୍‌ କାର୍ଯ୍ୟାଳୟ ପରିସରରେ ଯେଭଳି ସମ୍ବର୍ଦ୍ଧନାର ସଭା ଆୟୋଜିତ ‌ହୋଇଥିଲା, ସେଥିରେ ରାଜନୀତିର ରଙ୍ଗ ଦେଖିବାକୁ ମିଳିଥିଲା। ଶତାଧିକ ଶ୍ରମିକ ଓ କିଛି ରାଜନୈତିକ କର୍ମୀ ଉପସ୍ଥିତ ରହି ବୀରମିତ୍ରପୁର ବିଧାନସଭାର ବିଜେଡି ପ୍ରାର୍ଥୀ ରୋହିତ ଯୋସେଫ ତିର୍କି ଏବଂ କଂଗ୍ରେସର ରଘୁନାଥପାଲି ପ୍ରାର୍ଥୀ ଗୋପାଳ ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

କେବଳ ଏତିକି ନୁହେଁ ଜିଏମ୍‌ଏମ୍‌ କାର୍ଯ୍ୟାଳୟ ଆଗରେ ଶ୍ରମିକ ନେତା ଓ କିଛି ରାଜନୈତିକ ଦଳର ନେତା ବାଣଫୁଟାଇ ବେଶ ଖୁସି ମନାଇଥିଲେ। ସମ୍ବର୍ଦ୍ଧନା ସଭାର ଗୋଟିଏ ମଞ୍ଚରେ ବୀରମିତ୍ରପୁରର ବିଜେଡି ପ୍ରାର୍ଥୀ ରୋହିତ ଏବଂ ରଘୁନାଥପାଲିର କଂଗ୍ରେସ ପ୍ରାର୍ଥୀ ଗୋପାଳଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି। ଗୋପାଳ ଓ ରୋହିତଙ୍କ ଏହ‌ି ଫଟୋ ଏବେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ଟିକଟ୍‌ରୁ ବଞ୍ଚିତ କିଛି ନେତାଙ୍କୁ ରାଜନୀତିର ଖୋରାକ ଯୋଗାଇଛି। ସେମାନେ ଏହି ଫଟୋକୁ ନିଜନିଜ ଦଳର ହାଇକମାଣ୍ଡଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି। ‌ଫଟୋ ସହ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଭିତିରି ସମ୍ପର୍କ ରହିଛି ବୋଲି ମଧ୍ୟ ହାଇକମାଣ୍ଡକୁ ଜଣାଇଥିବା କର୍ମୀମାନଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋକୁ କଂଗ୍ରେସ ପ୍ରାର୍ଥୀ ଗୋପାଳ ଦାସ ସ୍ବୀକାର କରିଛନ୍ତି। କହିଛନ୍ତି, ସେ ଗତ ମାର୍ଚ୍ଚ ୩୧ରେ ଆର୍‌ଏସ୍‌ପି ଚାକିରିରୁ ଅବସର ନେଇଥିଲେ। ଗାଙ୍ଗପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଥିବାରୁ ଅବସରକାଳୀନ ସମ୍ବର୍ଦ୍ଧନା ଆୟୋଜନ ହୋଇଥିଲା। ମଞ୍ଚର ସଭାପତି ଜର୍ଜ ତିର୍କି ଏବଂ କାର୍ଯ୍ୟକାରୀ ସଭାପତି ରୋହିତ ‌‌ଯୋସେଫ ତିର୍କି ଥିବାରୁ ସେମାନେ ମଧ୍ୟ ସାମିଲ ହୋଇଥିଲେ। ଏହାକୁ କଂଗ୍ରେସର କିଛି ନେତା ମିଛରେ ରାଜନୈତିକ ରଙ୍ଗ ଦେଉଛନ୍ତି। ସେମାନଙ୍କର ଏଭଳି ମିଛ ପ୍ରଚାର କେବେ ସଫଳ ହେବେ ନାହିଁ ବୋଲି ଗୋପାଳ କହିଛନ୍ତି।

ସମ୍ବନ୍ଧିତ ଖବର