ପୂର୍ବତନ ବିଧାୟିକା ମମତା ମାଢୀଙ୍କୁ ପିସିସି ସାଧାରଣ ସଂପାଦିକା ନିଯୁକ୍ତି

ଜିଲ୍ଲା କଂଗ୍ରେସରେ ତେଜୁଛି ଗୋଷ୍ଠୀ କନ୍ଦଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟିକା ମମତା ମାଢୀଙ୍କୁ ପିସିସିର ସାଧାରଣ ସଂପାଦିକା ଭାବେ ଦାୟିତ୍ବ ପ୍ରଦାନ କରାଯିବା ପରେ ମାଲକାନଗିରି ଜିଲ୍ଲା କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଯାଇଛି। ଜିଲ୍ଲା କଂଗ୍ରେସରେ ଏବେ ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି। ଦୀର୍ଘ ଦଶବର୍ଷ ହେବ ସେ ମାଲକାନଗିରି ଜିଲ୍ଲା କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ କିମ୍ବା ପିସିସିର କୌଣସି କାର୍ଯ୍ୟକ୍ରମରେ ଯୋଗଦାନ କରିନଥିବା ବେଳେ କିପରି ତାଂକୁ ଏତେ ବଡ ଦାୟିତ୍ବ ପ୍ରଦାନ କରାଗଲା ବୋଲି ମାଲକାନଗିରି ଜିଲ୍ଲା କଂଗ୍ରେସରେ ଏବେ ଚର୍ଚ୍ଚା ଜୋର ଧରିଛି। କେଉଁ ମାନଙ୍କ ନିର୍ଦେଶରେ ମମତା ମାଢୀଙ୍କୁ ସାଧାରଣ ସଂପାଦିକା କରାଗଲା ବୋଲି ପ୍ରଶ୍ନ କରାଯାଇଛି। ଜିଲ୍ଲା କଂଗ୍ରେସର ଆଗଧାଡିର ନେତାମାନେ ନିଜ ନାମ ଗୋପନ ରଖି କଂଗ୍ରେସରେ ଏବେ ଗୋଷ୍ଠୀ କନ୍ଦଳ ବଢୁଥିବା ସ୍ବୀକାର କରିଛନ୍ତି।ଦୀର୍ଘଦିନ ଧରି ରାଜନୀତିରୁ ଦୂରେଇ ରହିଥିବା ସହ ଜିଲ୍ଲା କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସହଯୋଗ ନକରିବା ଏବଂ ଜିଲ୍ଲାରେ ନରହି ବାହାରେ ରହୁଥିବା ନେଇ ଆଲୋଚନା ଜୋର ଧରିଛି।

ଆସନ୍ତା ବର୍ଷ ପଞ୍ଚାୟତ ଏବଂ ପୌରନିର୍ବାଚନ ରହିଥିବା ବେଳେ କଂଗ୍ରେସରେ ଆରମ୍ଭ ହୋଇଥିବା ଗୋଷ୍ଠୀ କନ୍ଦଳ ନିର୍ବାଚନରେ ପ୍ରଭାବ ପକାଇବ ବୋଲି ଆଲୋଚନା ମଧ୍ୟ ହେଉଛି। ଅନ୍ୟଦିଗରେ ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ବିଜେଡିରେ ଯୋଗଦାନ କରିବେ ବୋଲି ସାରା ରାଜ୍ୟରେ ଉଠୁଛି ପଡୁଛି। ନିଜର ସମର୍ଥକ ମାନଙ୍କୁ ନେଇ ସେ ଦଳ ଛାଡିବା ଏକ ପ୍ରକାର ସୁନିଶ୍ଚିତ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଥିବା ବେଳେ ପ୍ରଦୀପ ମାଝୀ କିନ୍ତୁ ଏହାକୁ ଅସ୍ବୀକାର କରି ଚାଲିଛନ୍ତି। ପ୍ରଦୀପ ମାଝୀ ଯଦି ବିଜେଡିରେ ଯୋଗଦାନ କରିବେ ମାଲାକନଗିରି ଜିଲ୍ଲା କଂଗ୍ରେସରୁ ମଧ୍ୟ ବହୁ ନେତା ଏବଂ କର୍ମୀ ବିଜେଡିରେ ଯୋଗଦାନ କରିବେ ବୋଲି କୁହାଯାଉଛି। ଗୋଟିଏ ପଟେ ଦୀର୍ଘଦିନ ଧରି ସୁପ୍ତ ଅବସ୍ଥାରେ ରହିବା ପରେ ମମତା ମାଢୀ ରାଜନୀତିରେ ପୁଣି ସକ୍ରୀୟ ହେଉଥିବା ବେଳେ ପ୍ରଦୀପ ମାଝୀଙ୍କ କଂଗ୍ରେସକୁ ଛାଡିବା ମାଲକାନଗିରି ଜିଲ୍ଲା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଏକ ପ୍ରକାର ଶକ୍ତିହୀନ କହିଲେ ଅତ୍ୟୁକ୍ତି ହେବ ନାହିଁ।

ମାଲକାନଗିରିରେ କଂଗ୍ରେସର ସ୍ଥିତି ଧୀରେଧୀରେ ଦୁର୍ବଳ ହେଉଥିବା ବେଳେ ପ୍ରଦୀପ ମାଝୀ ହିଁ ଜିଲ୍ଲାରେ କଂଗ୍ରେସକୁ ବଂଚାଇ ରଖିବାରେ ଏକ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ବହୁ କଂଗ୍ରେସ ନେତା ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ଯେ କିପରି ମମତା ମାଢୀଙ୍କୁ ପୁଣି ଦଳରେ ବଡ ଦାୟିତ୍ବ ପ୍ରଦାନ କରାଗଲା ଏବଂ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା କର୍ମୀଙ୍କୁ ଉପେକ୍ଷା କରାଗଲା। ପିସିସିର ମନମୁଖୀ କାର୍ଯ୍ୟକୁ ମାଲକାନଗିରି ଜିଲ୍ଲା କଂଗ୍ରେସର କିଛି ଟାଣୁଆ ନେତା ନାପସନ୍ଦ କରିଛନ୍ତି। ଏଭଳି କରିବାର ଥିଲା ଯଦି ମାଲକାନଗିରି କଂଗ୍ରେସକୁ ଏନେଇ ପଚାରିବାର ଥିଲା ବୋଲି କୁହାଯାଇଛି। ଏତେ ଦିନ ଧରି ସେ କେଉଁ ଆଡେ ରହିଥିବା ବେଳେ ଏବେ କାହାର ନିର୍ଦେଶରେ ତାଂକୁ ଏତେ ବଡ ଦାୟିତ୍ବ ଦିଆଗଲା ତାହା ତଦନ୍ତ ସାପେକ୍ଷ।

ପିସିସି କଂଗ୍ରେସ କର୍ମୀଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ କରାଯାଇଛି। କଂଗ୍ରେସ କର୍ମୀଙ୍କ ମଧ୍ୟରେ ରହିଥିବା ଅସହିଷ୍ଣୁତା ଏବେ ଧୀରେଧୀରେ ପଦାରେ ପଡିଲାଣି। ଆଗାମୀ ଦିନରେ ଏହା ଦାଣ୍ଡରେ ପଡି ହାଟରେ ଗଡିବ ବୋଲି କିଛି ନେତା ପ୍ରକାଶ କରିଥିଲେ। ଆଗାମୀ ନିର୍ବାଚନ ପୂର୍ବରୁ କିଛି ବି କଂଗ୍ରେସରେ ଅଦଳା ବଦଳି ହୁଏ ତେବେ ଏହା ସିଧାସଳଖ କଂଗ୍ରେସ ଉପରେ ମାଡ ହେବ ବୋଲି ମତ ପ୍ରକାଶ ପାଇଛି। ଜିଲ୍ଲାରେ କଂଗ୍ରେସ ସଂପୂର୍ଣ୍ଣ ଭୁଷୁଡିଯିବ ବୋଲି କୁହାଯାଇଛି। ତେବେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ବଢିବା ପୂର୍ବରୁ ଏହାକୁ ତୁରନ୍ତ ସମାଧାନ କରିବା ପାଇଁ କର୍ମୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର