ସରିଲା କଂଗ୍ରେସର ନବସଂକଳ୍ପ ଶିବିର: ୨୦୨୪ ପାଇଁ ରୋଡମ୍ୟାପ ପ୍ରସ୍ତୁତ

ବୁଥସ୍ତରରୁ କଂଗ୍ରେସକୁ ମଜଭୁତ କରିବାକୁ ନିଷ୍ପତ୍ତି
କଂଗ୍ରେସର କ୍ଷତି କରିଥିବା ନେତାଙ୍କୁ ଦଳରୁ ଦୂରେଇ ରଖାଯାଉ

ଭୁବନେଶ୍ବର : ରାଜ୍ୟ କଂଗ୍ରେସର ଦୁଇଦିନିଆ ନବସଂକଳ୍ପ ଶିବିର ଗୁରୁବାର ଦିନ ଶେଷ ହୋଇଛି। ଦ୍ବିତୀୟ ଦିବସରେ ବ୍ଲକ୍‌ସ୍ତରରୁ ଆସିଥିବା କଂଗ୍ରେସ ନେତୃବୃନ୍ଦ ଓ ରାଜ୍ୟସ୍ତରୀୟ ନେତୃବୃନ୍ଦ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି। ରାଜ୍ୟସ୍ତରରେ ଯେଉଁଭଳି ଭାବେ ନବସଂକଳ୍ପ ଶିବିର ଅନୁଷ୍ଠିତ ହୋଇଛି ସେହିଭଳି ଆସନ୍ତା ୧୧ତାରିଖରୁ ଜିଲ୍ଲାସ୍ତରରେ ଏଭଳି ନବସଂକଳ୍ପ ଶିବିର ଆୟୋଜନ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି। ଖୁବଶୀଘ୍ର ଏହା ସଂପର୍କରେ ଦଳ ପକ୍ଷରୁ ଘୋଷଣା କରାଯିବ।

ପ୍ରଥମ ଦିନରେ ଦଳ ପକ୍ଷରୁ ୬ଟି କମିଟି ଗଠନ କରାଯାଇଥିଲା। ଦ୍ବିତୀୟ ଦିନରେ ମଧ୍ୟ ଏହି କମିଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲା। ରାଜ୍ୟରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା ଲାଗି ବୁଥ କମିଟିକୁ ସୁଦୃଢ଼ କରିବା ସହ ପ୍ରତ୍ୟେକ ବୁଥରୁ ବୁଥର ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବ। ନୂତନ ଯୁବକଯୁବତୀଙ୍କ ନାମକୁ ଭୋଟର ଲିଷ୍ଟରେ ସାମିଲ କରିବା ସହିତ କଂଗ୍ରେସ କର୍ମୀଙ୍କୁ ସମ୍ମାନିତ କରିବା ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯିବ। ପଞ୍ଚାୟତସ୍ତରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ତଥ୍ୟ ସଂଗ୍ରହ, ବୁଥସ୍ତରରେ ମହିଳା, ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ତଥା ସଂଖ୍ୟାଲଘୁମାନଙ୍କୁ ବୁଥ କମିଟିରେ ସ୍ଥାନ ଦିଆଯିବ। କ୍ଷମତା ଦଖଲ ପାଇଁ ନୁହେଁ ବରଂ ରାଜ୍ୟର ସ୍ବାର୍ଥ ରକ୍ଷା ଓ ବିଚାରଧାରାକୁ ନେଇ କଂଗ୍ରେସ ନିଜର ଲଢ଼େଇ କରିବ ବୋଲି ନେତୃମଣ୍ଡଳୀ ମତ ଦେଇଥିଲେ। ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବୁଥସ୍ତରରୁ କଂଗ୍ରେସକୁ ମଜଭୁତ କରାଯିବ। ରାଜ୍ୟବାସୀଙ୍କ ଆଶୀର୍ବାଦ ଓ କର୍ମଷ୍ଠ କଂଗ୍ରେସ କର୍ମୀଙ୍କୁ ନେଇ ଆଗାମୀ ଦିନରେ ଲଢ଼େଇ କରାଯିବ। ଅତ୍ୟାଚାରୀ ବିଜେଡି ସରକାରକୁ ଗାଦିଚ୍ୟୁତ ନ କରିବା ପର୍ଯ୍ୟନ୍ତ କଂଗ୍ରେସ ନିଜର ଲଢ଼େଇ ଜାରି ରଖିବ। ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ୨୦୨୪ରେ କଂଗ୍ରେସ ପୁଣିଥରେ ଶାସନକୁ ଫେରିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଦଳର ବରିଷ୍ଠମାନେ କନିଷ୍ଠମାନଙ୍କୁ ବାଟ ଛାଡ଼ନ୍ତୁ ବୋଲି ନବସଂକଳ୍ପ ଶିବିରରେ କଂଗ୍ରେସ ନେତା ନିଜର ମତ ରଖିଛନ୍ତି। ଗତକାଲି ବିଧାୟକ ସୁରେଶ ରାଉତରାୟ ଆଗକୁ ତାଙ୍କ ପୁଅ ନିର୍ବାଚନ ଲଢ଼ିବ ବୋଲି କହିଥିଲେ। ଆଜି ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସମାନ କଥା କହିଛନ୍ତି। ଏହାସହ ଯେଉଁମାନେ କଂଗ୍ରେସ ଦଳର ଯଥେଷ୍ଟ କ୍ଷତି କରିଛନ୍ତି ସେମାନେ ଯେତେ ବଡ଼ ନେତା ହେଉଥାନ୍ତୁ ନା କାହିଁକି ସେମାନଙ୍କୁ ଦଳରୁ ଦୂରେଇ ରଖିବା ଲାଗି ମଧ୍ୟ ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି।

ଉଦ୍‌ଯାପନୀ ଦିବସରେ କଂଗ୍ରେସ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର, ସହ ପ୍ରଭାରୀ ଜି.ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ସୁରେଶ ରାଉତରୟ, ସନ୍ତୋଷ ସିଂ ସାଲୁଜା, ସି.ଏସ୍‌ ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଗଣେଶ୍ବର ବେହେରା, ଜଗନ୍ନାଥ ପଟ୍ଟନାୟକ, ଯଜ୍ଞେଶ୍ବର ବାବୁ, ଶୁଭେନ୍ଦୁ ମହାନ୍ତି, ରାମଚନ୍ଦ୍ର ଖୁଣ୍ଟିଆ, ବିଶ୍ବରଂଜନ ମହାନ୍ତି, ଦେବାଶିଷ ପଟ୍ଟନାୟକ, ସୁରେଶ ମହାପାତ୍ର, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ସ୍ମୃତିରଂଜନ ଲେଙ୍କା, ୟାସିର ନୱାଜ, ସତ୍ୟବ୍ରତ ନାୟକ, ଲୋକନାଥ ମହାରଥୀ, ବିଶ୍ବଜିତ ଦାଶ, ମାନସ ଚୌଧୁରୀଙ୍କ ସମେତ ବହୁ କର୍ମକର୍ତା ସାମିଲ ହୋଇଥିଲେ। ବିଭିନ୍ନ ପ୍ରସଙ୍ଗ ଉପରେ ଜିଲ୍ଲା ସଭାପତି, ନଗର ଓ ବ୍ଲକ୍ ସଭାପତିମାନେ ନିଜର ମତାମତ ରଖିଥିଲେ।

ସମ୍ବନ୍ଧିତ ଖବର