କଂଗ୍ରେସ ସଭାପତି ନିର୍ବାଚନ: ଗେହଲଟ୍‌ଙ୍କୁ ମହଙ୍ଗା ପଡ଼ିଲା ଶକ୍ତି ପ୍ରଦର୍ଶନ

ସଭାପତି ନିର୍ବାଚନ ଲଢ଼ିବେନି, ମୁଖ୍ୟମନ୍ତ୍ରୀ ପଦ ବି ହରାଇ ପାରନ୍ତି

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳର ନିଷ୍ପତ୍ତି ବିରୋଧରେ କାର୍ଯ୍ୟକରି ଏବେ ଘୋର ଅଡ଼ୁଆରେ ପଡ଼ିଛନ୍ତି। ରାଜ୍ୟ କଂଗ୍ରେସରେ ନିଜ ସମର୍ଥକଙ୍କ ବିଦ୍ରୋହାତ୍ମକ ଆଚରଣ ପାଇଁ ଗେହଲଟ ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ‌ସୋନିଆ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟି କ୍ଷମାପ୍ରାର୍ଥନା କରିଛନ୍ତି ଏବଂ ସଭାପତି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଦଳୀୟ ବିଧାୟକ ଓ ମନ୍ତ୍ରୀମାନଙ୍କ ଦ୍ବାରା ସୃଷ୍ଟି କରାଯାଇଥିବା ପରିସ୍ଥିତି ନେଇ ଦଳର ଶୀର୍ଷ ନେତୃତ୍ବ ଅତ୍ୟନ୍ତ କ୍ଷୁବ୍ଧ ଥିବା ଜଣାପଡ଼ିଛି। ଗେହଲଟ ଆଜି ସୋନିଆଙ୍କୁ ଭେଟିବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଏବଂ ଦଳର ବରିଷ୍ଠ ନେତା କେସି ବେଣୁଗୋପାଳ ମଧ୍ୟ ସୋନିଆଙ୍କୁ ଭେଟିଥିଲେ। ବେଣୁଗୋପାଳ କହିଛନ୍ତି, ସୋନିଆ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ବେଣୁଗୋପାଳଙ୍କର ବୟାନରୁ ଜଣାପଡ଼ୁଛି ଯେ ସୋନିଆ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବଦଳାଇବା ନିଷ୍ପତ୍ତି ନେଇପାରନ୍ତି। ଗେହଲଟଙ୍କ ପାଖରେ ମୁଖ୍ୟମନ୍ତ୍ରୀ ପଦ ନ ରହିପାରେ। ସୋନିଆ ରାଜସ୍ଥାନର ଶାସନ ଭାର ସଚିନ ପାଇଲଟ କିମ୍ବା ଅନ୍ୟ କାହା ହାତରେ ଦେଇପାରନ୍ତି। ଭାରତ ଯୋଡ଼ୋ ଯାତ୍ରା ଏବଂ କଂଗ୍ରେସ ସଭାପତି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ରାଜସ୍ଥାନରେ ଗେହଲଟଙ୍କ ବିଶ୍ବସ୍ତମାନେ କରିଥିବା ବିଦ୍ରୋହ ପାଇଁ କଂଗ୍ରେସ ଲଜ୍ଜିତ ହୋଇଛି। ଏହି କାରଣ ପାଇଁ ପାର୍ଟି ହାଇକମାଣ୍ଡ ଗେହଲଟଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି। ଗେହଲଟଙ୍କ ଶକ୍ତି ପ୍ରଦର୍ଶନ ଏବଂ ବିଧାୟକମାନଙ୍କ ଇସ୍ତଫା ନାଟକ ଚରମ ଅନୁଶାସନହୀନତାର ପରିଚୟ ବୋଲି ଦଳ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି।

ସଭାପତି ନିର୍ବାଚନ ଲଢ଼ିବେନି
ମୁଖ୍ୟମନ୍ତ୍ରୀ ପଦ ବି ହରାଇ ପାରନ୍ତି
ରାଜସ୍ଥାନ ସଙ୍କଟ ପାଇଁ ସୋନିଆଙ୍କୁ କ୍ଷମା ମାଗିଲେ

ରାଜସ୍ଥାନର କୌଣସି କଂଗ୍ରେସ ନେତା ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗ କିମ୍ବା ସଚିନ ପାଇଲଟଙ୍କୁ ନେଇ ବୟାନ ‌ନଦେବାକୁ ଆଜି ଦଳ କଡ଼ା ନିର୍ଦ୍ଦେଶ ଜାରି କରିଛି। ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପାଇଁ ଗେହଲଟ ନୈତିକତା ଦୃଷ୍ଟିରୁ ନିଜକୁ ଦାୟୀ କରି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେନି ବୋଲି ଗଣମାଧ୍ୟମକୁ କହିଥିବା ବେଳେ ଅନ୍ୟପଟେ ପାଇଲଟ୍‌ ଏହି ପ୍ରସଙ୍ଗରେ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ସୋନିଆଙ୍କୁ ଭେଟିବାପରେ ଗେହଲଟ କହିଛନ୍ତି ଯେ ରାଜସ୍ଥାନରେ ତାଙ୍କ ସମର୍ଥକ ବିଧା‌ୟକମାନେ ଗତ ରବିବାର ଯେଉଁ ବିଦ୍ରୋହ କରିଥିଲେ ସେଥିପାଇଁ ସେ ସୋନିଆଙ୍କୁ କ୍ଷମା ମାଗିଛନ୍ତି। ଗେହଲଟ ନିଜକୁ ଦଳର ଜଣେ ଶୃଙ୍ଖଳିତ ସୈନିକ ବୋଲି କହିଛନ୍ତି ଏବଂ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଗେହଲଟ କହିଛନ୍ତି, ସେ ଆଗକୁ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ସେ ବାବଦରେ ନିଷ୍ପତ୍ତି ସୋନିଆ ନେବେ। ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଦୌଡ଼ରୁ ବାହାରିଯିବା ପରେ ବର୍ତ୍ତମାନ ଦୌଡ଼ରେ କେବଳ ଶଶି ଥରୁର ଏବଂ ଦିଗ୍‌ବିଜୟ ସିଂହ ଥିବା ସ୍ପଷ୍ଟ ହୋଇସାରିଛି। ଏହି ନିର୍ବାଚନରେ ଗାନ୍ଧି ପରିବାର କାହାକୁ ସମର୍ଥନ କରିବେ ତା’ଉପରେ ସମସ୍ତଙ୍କ ନଜର ରହିଛି।

ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଯେଉଁମାନେ ନିର୍ବାଚନ ଦୌଡ଼ରେ ଅଛନ୍ତି ସେମାନେ ସମସ୍ତେ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିବା ବେଳେ ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ସଭାପତି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଅନ୍ୟ କେତେଜଣଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ସଭାପତି ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି। ଲୋକସଭା ସାଂସଦ ମନୀଷ ତିୱାରୀ ବି କଂଗ୍ରେସ ସଭାପତି ନିର୍ବାଚନ ଦୌଡ଼ରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ତିୱାରୀ ନିଜେ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି । ଦଳର ସାଧାରଣ ସଚିବ ଏବଂ ରାହୁଲ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ କେସି ବେଣୁଗୋପାଳ, ରାଜ୍ୟସଭା ସଦସ୍ୟ ମୁକୁଲ ୱାସନିକ, ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରୀ ସୈଲଜା, ସୋନିଆ ଗାନ୍ଧିଙ୍କ ବିଶ୍ବସ୍ତ ଅମ୍ବିକା ସୋନି ଏବଂ ପୱନ କୁମାର ବନସଲଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଯିଏ ବି ନିର୍ବାଚନ ଲଢ଼ନ୍ତୁ କଂଗ୍ରେସକୁ ଆ‌ସନ୍ତା ଅକ୍ଟୋବର ୧୯ରେ ଜଣେ ଅଣଗାନ୍ଧି ସଭାପତି ମିଳିବ। ଏହି ନିର୍ବାଚନରେ ଗାନ୍ଧି ପରିବାର ସଂପୂର୍ଣ୍ଣ ନି‌ରପେକ୍ଷ ରହିବ ବୋଲି ସୋନିଆ ଗାନ୍ଧି ପୂର୍ବରୁ ସ୍ପଷ୍ଟ କରିଦେଇଥିଲେ ମଧ୍ୟ ଆଗକୁ ପରିସ୍ଥିତି ଭିନ୍ନ ହୋଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର