ତୈଳଦର ବୃଦ୍ଧି ପ୍ରତିବାଦ: ମହିଳା କଂଗ୍ରେସ ଓ ସମାଜବାଦୀ ପାର୍ଟିର ବିକ୍ଷୋଭ

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହିଳାମାନେ ମୁଣ୍ଡରେ ଗ୍ୟାସ୍‌ ସିଲିଣ୍ଡର ମୁଣ୍ଡାଇ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୁଶପୁତ୍ତଳିକା ଦାହ କରା ଯାଇଥିଲା। ପ୍ରଦେଶ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା ଓ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାପତି ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ରେ ପହଞ୍ଚିଥିଲା। ସେଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଶ୍ୱଜିତ ଦାସ, ରଶ୍ମି ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ସ୍ୱାଧୀନବାଳା ଦାସ, କୁସୁମ ପ୍ରଧାନ, ଶୈଳବାଳା ଜେନା, ଅଶୋକ ଦାସ, ନିରୁପମା ଦାସ, ନିରୁପମା ପାତ୍ର, ସ୍ମୃତିରେଖା ପହିଙ୍କ ସମେତ ବହୁ କର୍ମୀ ଯୋଗଦେଇ ବିକ୍ଷୋଭ କରିଥିଲେ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ବିଶେଷକରି ମହିଳାଙ୍କ ସମେତ ଗରିବ ଖଟିଖିଆ, କୃଷକ, ନିମ୍ନମଧ୍ୟବିତ୍ତ, ସ୍ୱଳ୍ପ ଆୟକାରୀ କର୍ମଚାରୀମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ। ରାଜ୍ୟ ବିଜେଡି ସରକାର ରାଜକୋଷ ବଢ଼ାଇବା ପାଇଁ କେନ୍ଦ୍ର ସରକାରଙ୍କର ତୈଳ ଦରବୃଦ୍ଧି ନିଷ୍ପତ୍ତିକୁ ମୌନ ସମର୍ଥନ ଦେଉଛନ୍ତି। ଏବେ ଛତିଶଗଡ଼ ସରକାର, ପଶ୍ଚିମବଙ୍ଗ ସରକାର ରାଜ୍ୟ ଶୁଳ୍କ କମାଇଥିବା ବେଳେ ବିଜେଡି ସରକାର ନିରବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

‌ସେହିପରି ସମାଜବାଦୀ ପାର୍ଟି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ତିନିଜଣିଆ ଏକ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଭିନ୍ନ ଆଳରେ ସରକାର ସେସ୍ ଲଗାଇବା ଯୋଗୁଁ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି ବୋଲି ସଭାପତି ଶ୍ରୀ ବେହେରା କହିଥିଲେ। ତୈଳ ଦର ବଢୁଥିବା ହେତୁ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ଦାମ ଉପରେ ପ୍ରଭାବ ପଡ଼ୁଛି ବୋଲି ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ କହିଥିଲେ। ସରକାରଙ୍କ କୃଷି ଆଇନର ଫାଇଦା ଉଠାଇ ବେପାରୀମାନେ ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁଦ କରି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ସେହିପରି ରାଜ୍ୟ ସରକାର ୩୨% ଓ ୨୭% ଭାଟ୍‌କୁ କମ୍‌ କରିବା ପାଇଁ ଦଳ ଦାବି କରିଛି। ଏଥିସହିତ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅନ୍ୟାନ୍ୟ ପେଟ୍ରୋଲିୟମ ଜାତ ପଦାର୍ଥକୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରିବା ଉଚିତ ବୋଲି ପାର୍ଟି ଦାବି କରିଛି। ଏହି ବିକ୍ଷୋଭ ପ୍ରଦର୍ଶନରେ କୋଷାଧ୍ୟକ୍ଷ ସଂଜୟ ନାୟକ, ବରିଷ୍ଠ ନେତା ବିଜୟ ବେହେରା, ନାରୀନେତ୍ରୀ ରୀତା ପଟ୍ଟନାୟକ, ସାବିତ୍ରୀ ବେହେରା, ଯୁବନେତା ସୁବତ୍ର ଲେଙ୍କା ଓ ଦୀପଦାସ ଯାଦବ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର