ଏମ୍‌ସରେ ଠିକାସଂସ୍ଥାର ମନମାନି: ୮ ଦଫା ଦାବିରେ ୮ ଶହ କର୍ମଚାରୀଙ୍କ ଧାରଣା

ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ ଠିକା କର୍ମଚାରୀମାନେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ୮ ଦଫା ଦାବି ନେଇ ସେମାନେ ଏହି ଆନ୍ଦୋଳନ କରିଥିଲେ। ପ୍ରାୟ ୮ ଶହ କର୍ମଚାରୀ କାର୍ଯ୍ୟବନ୍ଦ କରିବାରୁ ପୂର୍ବାହ୍ନରେ ପ୍ରାୟ ୫ ଘଣ୍ଟା ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରି ୩ ମାସ ଭିତରେ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ହଟିଥିଲେ।

ଗୋଲ୍‌ଡେନ୍‌ ହସ୍ପିଟାଲ ସର୍ଭିସେସ୍‌ ଅଧୀନରେ କାମ କରୁଥିବା ଏହି ଚତୁର୍ଥ ଶ୍ରେଣୀ ଠିକା କର୍ମଚାରୀମାନଙ୍କ ଅଭିଯୋଗ ଅନୁଯାୟୀ ୨୦୧୯ ସେପ୍ଟେମ୍ବରରୁ ସେମାନେ ଏହି ଠିକା ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ପ୍ରତିବର୍ଷ ଦରମା ବଢ଼ିବ ବୋଲି ସଂସ୍ଥା ଚୁକ୍ତି କରିଥିଲା। ଜାତୀୟ ଛୁଟି ସହିତ ବର୍ଷକୁ ୩ଟି ଛୁଟିର ପଇସା ଦିଆଯିବ ବୋଲି ଚୁକ୍ତି ଥିଲା। କିନ୍ତୁ ସଂସ୍ଥା‌ ସବୁ ଚୁକ୍ତି ଖିଲାଫ କରିଚାଲିଛି। କମ୍ ଦରମା ଦିଆଯାଉଛି, ତାହା ପୁଣି ଅନିୟମିତ। ଅଥଚ ଦୈନିକ ୨୯ ଟଙ୍କା କଟୁଛି। ଫଳରେ ବର୍ତ୍ତମାନର ମହଙ୍ଗା ବଜାରରେ ସେମାନେ ବଡ଼ କଷ୍ଟରେ ପରିବାର ଚଳାଉଛନ୍ତି।

ସେହିଭଳି ୬ ମାସ ହେଲା ପରିଚୟପତ୍ର ନବୀକରଣ କରାଯାଇନାହିଁ। ଏହି ମଉକାରେ ଅନେକ ନକଲି କର୍ମଚାରୀ ଏଠାରେ କାମ କରି ଲୋକଙ୍କୁ ଶୋଷଣ କରୁଛନ୍ତି। ଏହାକୁ ନେଇ ସେମାନେ ୩ ଥର ଦାବିପତ୍ର ଦେଇ ସାରିଛନ୍ତି। ଆଜି ଏମ୍‌ସ ଅଧୀକ୍ଷକ ଏସ୍‌ଏନ୍‌ ମହାନ୍ତି ଆନ୍ଦୋଳନରତ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ। ତଦନ୍ତ ପରେ କଟିଯାଇଥିବା ଟଙ୍କା ଫେରସ୍ତ, ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରାପ୍ୟ ସହିତ ଛୁଟି ମିଳିବା ଓ କର୍ମଚାରୀମାନଙ୍କୁ ପେ’ ସ୍ଲିପ୍ ଯୋଗାଇଦେବା ଭଳି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପ‌‌ରେ ଧାରଣାସ୍ଥଳରୁ ଉଠି ଆଟେଣ୍ଡାଣ୍ଟ ଓ ସଫେଇ କର୍ମଚାରୀମାନେ କାମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର